ସ୍ୱାସ୍ଥ୍ୟ ସମ୍ବାଦ : ଗର୍ଭାବସ୍ଥା ସମୟରେ କରୋନା ପ୍ରଭାବ

Advertisment

ପ୍ରଫେସର ଡାକ୍ତର ତୁଷାରକାନ୍ତ କର

ପ୍ରଫେସର ଡାକ୍ତର ତୁଷାରକାନ୍ତ କର

ସ୍ୱାସ୍ଥ୍ୟ ସମ୍ବାଦ : ଗର୍ଭାବସ୍ଥା ସମୟରେ କରୋନା ପ୍ରଭାବ

ସାରା ବିଶ୍ୱ ଏବେ କରୋ‌ନା କବଳରେ। ଏଭଳି ସମୟରେ ଗର୍ଭବତୀ ମହିଳାଙ୍କ ପ୍ରତି କରୋନା ସଂକ୍ରମଣ ବିପଦ ବଢୁଛି। ଗର୍ଭାବସ୍ଥାରେ ସାଧାରଣ ଭାବେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଗର୍ଭବତୀ ମହିଳା ଯଦି କରୋନା ସଂକ୍ରମିତ ହୁଅନ୍ତି ତେବେ ଏହା ରୋଗପ୍ରତିରୋଧକ ଶକ୍ତିକୁ ଅଧିକ ମାତ୍ରାରେ  ହ୍ରାସ କରିଥାଏ। ଗର୍ଭାବସ୍ଥା ସମୟରେ ଏହି ଭୂତାଣୁ ଦ୍ବାରା ପ୍ରଥମ, ମଧ୍ୟମ ବା ଶେଷ ଅବସ୍ଥାରେ ମଧ୍ୟ ଜଣେ ସଂକ୍ରମିତ ହୋଇପାରେ। ଏ ପର୍ଯ୍ୟନ୍ତ କରୋନା ଭୂତାଣୁ ପ୍ରଭାବରେ ଗର୍ଭାବସ୍ଥାରେ କ‌ୌଣସି ବିକଳାଙ୍ଗ ଶିଶୁ ଜନ୍ମ କରିବାର ନଜିର ନାହିଁ। କିନ୍ତୁ ଭବିଷ୍ୟତରେ କେ‌ତେବେଳେ ଯେ ଏଭଳି ଘଟଣା ନ ଘଟିବ ତାହା କହିବା ଅସମ୍ଭବ। କାରଣ କରୋନା ଭୂତାଣୁ ଏକ ନୂଆ ରୋଗ। ଗର୍ଭାବସ୍ଥା ସମୟରେ ଜ୍ବର, ଥଣ୍ଡା, ମୁଣ୍ଡ ବ୍ୟଥା, ଦେହ ଘୋଳାବିନ୍ଧା, କାଶ, ଗଳାରେ କଷ୍ଟ ଅନୁଭବ କରିବା ଏବଂ ଘ୍ରାଣ ଶକ୍ତିରେ ପରିବର୍ତ୍ତନ ହେଲେ ତୁରନ୍ତ ଡାକ୍ତରଖାନା ଯାଇ କରୋନା ପରୀକ୍ଷା କରିବା ଦରକାର। କରୋନା ସଂକ୍ରମଣ ସମୟରେ ଯେଉଁସବୁ ଲକ୍ଷଣ ଦେଖା ଦେଇଥାଏ ତାର ଚିକିତ୍ସା ଏବଂ ଗର୍ଭାବସ୍ଥା ସମୟର ଚିକିତ୍ସା ଏକା ସମୟରେ କରିବା‌ ଉଚିତ। ଗର୍ଭାବସ୍ଥା ସମୟରେ ଯେହେତୁ କରୋନା ସଂକ୍ରମଣ ବିପଦ ରହୁଛି, ତେଣୁ ସାଧାରଣ ଭାବେ ଗର୍ଭବତୀ ପ୍ରତି ମାସକରେ ଯେଉଁ ଡାକ୍ତରୀ ଚେକଅପ୍‌ କରାଇ ଥାନ୍ତି, ତାହାର ବ୍ୟବଧାନ ବୃଦ୍ଧି କରିବା କଥା। ଅତ୍ୟନ୍ତ ଆବଶ୍ୟକତା ନଥିଲେ ୨/୩ ମାସ ଅନ୍ତରରେ ପରୀକ୍ଷା ବା ଚେକଅପ ପାଇଁ ଗଲେ ସଂକ୍ରମଣ ଆଶଙ୍କାକୁ ରୋକାଯାଇ ପାରିବ। ଯଦି ଅଲଟ୍ରାସାଉଣ୍ଡର ଆବଶ୍ୟକତା ପଡେ ତେବେ ପେଟକୁ ଆବୃତ କରି ବା ଘୋଡାଇ, ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଇ ଅଲଟ୍ରାସାଉଣ୍ଡ କରିବା ଉଚିତ।

publive-image ClipartMax

ଅବଶ୍ୟ ସାଧାରଣ ଭାବେ ଗର୍ଭାବସ୍ଥାରେ ପ୍ରତି ସମୟରେ ମନରେ ଭୟ ଆସେ। କିନ୍ତୁ ଏହି ସମୟରେ ଆଦୌ ବିଚଳିତ ହୁଅନ୍ତୁ ନାହିଁ। ଚାପମୁକ୍ତ ରୁହନ୍ତୁ। ଚାପରେ ରହିଲେ ତା’ର ପ୍ରଭାବ ମା’ ଓ ଗର୍ଭସ୍ଥ ଶିଶୁ ଉପରେ ପଡିଥାଏ। ଯଦି ହଠାତ ରକ୍ତସ୍ରାବ ହେବା, ପେଟରେ ଯନ୍ତ୍ରଣା ହେବା, ଖୁବ ଜୋରରେ ମୁଣ୍ଡ ବୁଲାଇବା, ଜ୍ବର, କାଶ, ଶ୍ବାସରେ କଷ୍ଟ, ପିଲା ପେଟରେ ଠିକରେ ବୁଲୁ ନଥିବା ଭଳି ଅନୁଭବ କରନ୍ତି ତେବେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କିନ୍ତୁ ଗର୍ଭବତୀ ମହିଳାଙ୍କର ଯଦି ପିଲା ଠିକରେ ପେଟରେ ବୁଲୁଛି, ଠିକରେ ଝାଡ଼ା ପରିସ୍ରା ହେଉଛି, ତେବେ ବିଶେଷ ବିଚଳିତ ନ ହୋଇ ଗର୍ଭବତୀ ମହିଳା ମନକୁ ଚାପମୁକ୍ତ ରଖିବା ଉଚିତ।

ଗର୍ଭବତୀ ମହିଳା କରୋନା ସଂକ୍ରମିତ ଜଣା ପଡିଲେ ତୁରନ୍ତ ସରକାରଙ୍କ ତାଲିକାରେ ନିଜ ନାମକୁ ପଞ୍ଜିକରଣ କରାଇବା ଉଚିତ। ନିୟମିତ ମାସ୍କ ବ୍ୟବହାର କରିବା, ପରିଷ୍କାର ପରିଛନ୍ନ ରହିବା, ହାତକୁ ନିୟମିତ ବ୍ୟବଧାନରେ ସାବୁନରେ ଧୋଇବା, ସାନିଟାଇଜର ବ୍ୟବହାର କରିବା ଓ ସର୍ବୋପରି ସାମାଜିକ ଦୂରତ୍ବ ମାନିବା ନିହାତି ଆବଶ୍ୟକ। ‌ସେହି ସମୟରେ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ, ଭିଟାମିନ ସି' ଓ ଜିଙ୍କ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ବିଭିନ୍ନ ପ୍ରକାର ଫଳ, ପିଜୁଳି, ଲେମ୍ବୁ, କମଳା ଗର୍ଭବତୀ ମହିଳା ଅଧିକ ପରିମାଣରେ ଖାଇବା ଉଚିତ। ପ୍ରତ୍ୟହ ଉଷୁମ ଲୁଣ ପାଣି‌ରେ କୁଳି କରୁନ୍ତୁ। ସଂକ୍ରମିତ ଗର୍ଭବତୀ ମହିଳାମାନଙ୍କ ଠାରେ ଯଦି କୌଣସି ଲକ୍ଷଣ ନାହିଁ ତା ହେଲେ ସେମାନେ ଗୃହ ସଙ୍ଗରୋଧରେ (ହୋମ ଆଇସୋଲେସନ) ରେ ରହିବା ଉଚିତ। କିନ୍ତୁ ଲକ୍ଷଣ ଥିଲେ ବା ଜ୍ବର, ଅତ୍ୟଧିକ କାଶ, ନିଶ୍ବାସ ପ୍ରଶ୍ବାସରେ କଷ୍ଟ ‌ଅନୁଭବ କରୁଥିଲେ ତୁରନ୍ତ କୋଭିଡ ମେଡିକାଲରେ ଭର୍ତ୍ତି ହେବା ଉଚିତ। ଏହି ସମୟରେ ସାଧାରଣ ଭାବେ ଗର୍ଭବତୀ ମହିଳା ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ। ଆବଶ୍ୟକତା ନଥିଲେ ସେମାନେ ଆଦୌ ଘରୁ ବାହାରକୁ ଯାଆନ୍ତୁ ନାହିଁ।
(ଅବଶିଷ୍ଟାଂଶ ଆସନ୍ତା ସୋମବାର ପ୍ରକାଶ ପାଇବ)

ବିଭାଗୀୟ ମୁଖ୍ୟ; ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ, ଏସ୍‌ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe