ବର୍ତ୍ତମାନ ଘରେ ଘରେ ଥଣ୍ଡା, କାଶ ଓ ଜ୍ୱର। ଏହାର ପ୍ରତିକାର ପାଇଁ କ’ଣ ପରାମର୍ଶ ଦେବେ?
ଯଦି ଥଣ୍ଡା, କାଶ ଓ ଜ୍ୱର ଅଛି ତେବେ ସର୍ବପ୍ରଥମେ ନିଜ ଅଞ୍ଚଳରେ ଥିବା ଚିକିତ୍ସାଳୟର ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ଯଦି ଛୋଟପିଲାକୁ ହୋଇଛି ତେବେ ଆଦୌ ଅବହେଳା ନକରି ତୁରନ୍ତ ଶିଶୁରୋଗ ବିଶେଷଜ୍ଞଙ୍କୁ ଦେଖାନ୍ତୁ। ଜ୍ୱର ଯଦି ୩ ଦିନରୁ ଅଧିକ ରହିଲା ତେବେ ମେଡିସିନ୍ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଡାକ୍ତର ଯେଉଁ ସବୁ ପରୀକ୍ଷା କରିବାକୁ କହିଛନ୍ତି ତାକୁ ଅଣଦେଖା କରନ୍ତୁ ନାହିଁ କିମ୍ବା ଜ୍ୱର କମିଗଲେ ବା ଟିକିଏ ଭଲ ଲାଗିଲେ ଔଷଧ ବନ୍ଦ କରିବା ଉଚିତ ନୁହେଁ। ପୂରା କୋର୍ସ ଔଷଧ ଖାଇବା ଉଚିତ।
ସବୁ ଥଣ୍ଡା କାଶ ଓ ଜ୍ୱର କ’ଣ ଭାଇରାଲ୍? ଏହାର ଚିକିତ୍ସା କ’ଣ ସମାନ?
କାଶ ଓ ଜ୍ୱର ଭିନ୍ନ ଭିନ୍ନ ଭାଇରସ୍ ଯୋଗୁଁ ହୋଇଥାଏ। ଆଜିକାଲି ରୋଗୀମାନେ ଔଷଧ ଦୋକାନରୁ ମୁଖ୍ୟତଃ ଆଣ୍ଟିବାୟୋଟିକ୍ ‘ଆଜିଥ୍ରୋମାଇସିନ୍’ କିମ୍ବା ଆଣ୍ଟି-ଆଲର୍ଜି ‘ଲିଭୋସେଟ୍ରିଜିନ୍’ ଭଳି ଔଷଧ ଆଣି ଖାଉଛନ୍ତି। ପରୀକ୍ଷାନିରୀକ୍ଷା ନକରି ଏଭଳି ଔଷଧ ସେବନ ରୋଗୀପାଇଁ ବିପଦ ହୋଇପାରେ। ହୁଏତ ରୋଗୀ ଇନ୍ଫ୍ଲୁଏଞ୍ଜା, ଚିକେନଗୁନିଆ କିମ୍ବା ଶ୍ୱାସନଳୀ ଜନିତ ଭାଇରାଲ୍ ରୋଗରେ ଆକ୍ରାନ୍ତ ହୋଇଥାଇପାରେ। ତେଣୁ ସର୍ବପ୍ରଥମେ ଡାକ୍ତରଙ୍କ ପରାମର୍ଶ ଜରୁରି ଅଟେ।
ବର୍ତ୍ତମାନ ବହୁ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି। ଏହାକୁ ନେଇ ଆପଣଙ୍କ ପରାମର୍ଶ କ’ଣ?
ଦେଖନ୍ତୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗର ପ୍ରାଦୁର୍ଭାବ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ପାଇବ। ଲୋକମାନେ ମଶାରି ବ୍ୟବହାର ଭୁଲିଗଲେଣି। ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗର ମୁକାବିଲା ପାଇଁ ପ୍ରଥମେ ମଶାରି ବ୍ୟବହାର ଜରୁରି। ଯଦି ଜ୍ୱର ଲାଗିରହୁଛି ଏବଂ କମ୍ପ ଆସୁଛି ତେବେ ଡାକ୍ତରଙ୍କ ପରାମର୍ଶରେ ଯଥାଶୀଘ୍ର ରକ୍ତ ପରୀକ୍ଷା କରି ଔଷଧ ସେବନ କରିବା ଆବଶ୍ୟକ।
ଡେଙ୍ଗୁ ରୋଗୀର ରକ୍ତ ପ୍ଲେଟ୍ଲେଟ୍ ସ୍ତର ଠିକ୍ ରଖିବାକୁ ଅମୃତଭଣ୍ଡା ପତ୍ର ରସ ପିଇବାକୁ ଦିଆଯାଇଥାଏ। ଏହାକୁ ନେଇ ଆପଣଙ୍କ ମତ କ’ଣ?
ଡାକ୍ତରୀ ପାଠରେ ଅମୃତଭଣ୍ଡା ପତ୍ରର ରସକୁ ନେଇ ଡେଙ୍ଗୁ ରୋଗୀର ଚିକିତ୍ସା ଉପରେ ସେଭଳି କିଛି ସିଦ୍ଧାନ୍ତଗତ ପ୍ରମାଣ ନାହିଁ। କିନ୍ତୁ ନିଶ୍ଚିତ ଭାବେ ହୋଲିଷ୍ଟିକ୍ ମେଡିସିନ୍ ପଦ୍ଧତି ଚିକିତ୍ସାରେ ଏହା ଆଦୃତ ହୋଇଛି। କିନ୍ତୁ ମୁଁ କହିବି ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ଯଦି ଚିହ୍ନଟ ହେଲା ତେବେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଯଥାଶୀଘ୍ର ଚିକିତ୍ସା ଆରମ୍ଭ ନକଲେ ଜୀବନ ପ୍ରତି ବିପଦର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।
ଭାଇରାଲ୍ ଜ୍ବରରେ ପଡ଼ି ଅନେକେ ଆଣ୍ଟିବାୟୋଟିକ୍ କିଣି ଖାଉଛନ୍ତି। ଏପରି ଅଭ୍ୟାସ କେତେ ଠିକ୍?
ପରୀକ୍ଷାନିରୀକ୍ଷା ନକରି ଓ ଡାକ୍ତରଙ୍କ ପରାମର୍ଶ ନନେଇ ଆଣ୍ଟିବାୟୋଟିକ୍ ଖାଇବା ଆଦୌ ଠିକ୍ ନୁହେଁ। ଆଣ୍ଟି-ଭାଇରାଲ୍ ଚିକିତ୍ସାରେ ଆଣ୍ଟିବାୟୋଟିକ୍ ସଂଗେ ସଂଗେ ଖାଇଲେ କିଛି ଲାଭ ମିଳେନାହିଁ ବରଂ ରୋଗୀ ଶରୀରରେ ବିପରୀତ ପ୍ରତିକ୍ରିୟା ସୃଷ୍ଟି ହୋଇ କେତେକ ଉପକାରୀ ବ୍ୟାକ୍ଟେରିଆର ମୃତ୍ୟୁ ହୋଇଥାଏ। ଫଳରେ ପରୋକ୍ଷରେ ଆମର କ୍ଷତି ଘଟିଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍ ସେବନ ଅନୁଚିତ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us