ବାରମ୍ବାର ଗରମ ପରେ ତେଲ ହୁଏ ବିଷ

Advertisment
ବାରମ୍ବାର ଗରମ ପରେ ତେଲ ହୁଏ ବିଷ

ଘରେ ହେଉ ବା ରେସ୍ତୋରାଁରେ, ଛଣାଛଣି ବେଳେ କଡ଼େଇରେ ଥିବା ସବୁତକ ତେଲ କେବେ ସରିନଥାଏ। ତେଣୁ ବଳକା ତେଲକୁ ସ୍ବାଭାବିକ ଭାବେ ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ସାଇତି ରଖାଯାଇଥାଏ। ମାତ୍ର ତେଲକୁ ବାରମ୍ବାର ଗରମ କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ ସତର୍କ କରାଇ ଦିଆଯାଇଛି। ତେଲକୁ ବାରମ୍ବାର ଗରମ କରିବା ଦ୍ବାରା ସେଥିରେ କେତେକ ବିଷାକ୍ତ ଯୌଗିକ ନିର୍ଗତ ହୋଇଥାଏ, ଯାହା ଦ୍ବାରା କର୍କଟ ଓ ହୃଦ୍‌ରୋଗ ଆଶଙ୍କା ବଢ଼ିଥାଏ ବୋଲି କୁହାଯାଇଛି। ପୂର୍ବରୁ ହୋଇଥିବା ଅନୁଧ୍ୟାନ ଅନୁଯାୟୀ, ତେଲର ଏପରି ପୁନରୁତ୍ତପ୍ତୀକରଣ ଦ୍ବାରା ଏଭଳି ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ, ଯାହା ଶରୀରରେ ‘ଫ୍ରି ରାଡିକାଲ୍‌ସ’ ବଢ଼ାଇଥାଏ। ଫଳରେ ପ୍ରଦାହ ବଢ଼ିବା ସହ ନାନା ଦୀର୍ଘମିଆଦୀ ରୋଗ ସୃଷ୍ଟି କରିଥାଏ। ଉଚ୍ଚ ତାପମାତ୍ରାରେ ତେଲରେ ଥିବା କିଛି ଚର୍ବି ଅଂଶ ‘ଟ୍ରାନ୍‌ସ ଫ୍ୟାଟ୍‌ସ’ ଓ ‘ଆକ୍ରିଲାମାଇଡ୍‌’ ପରି ବିଷାକ୍ତ ଯୌଗିକରେ ପରିଣତ ହୋଇଥା’ନ୍ତି। ତେଣୁ ତେଲକୁ ବାରମ୍ବାର ଗରମ କରିବା ବେଳେ ଅଧିକରୁ ଅଧିକ ‘ଟ୍ରାନ୍‌ସ ଫ୍ୟାଟ୍‌ସ’ ସୃଷ୍ଟି ହୋଇଥାଏ ଯାହା କର୍କଟ ଓ ହୃଦ୍‌ରୋଗର କାରଣ ସାଜିଥାଏ। ସେହିପରି ଛଣାତେଲର ଏପରି ପୁନର୍ବ୍ୟବହାର ଦ୍ବାରା ଶରୀରରେ ଅଧିକ ‘ଫ୍ରି ରାଡିକାଲ୍‌ସ’ ସୃଷ୍ଟି ହୋଇ ନାନା ରୋଗକୁ ଆମନ୍ତ୍ରଣ କରିଥାଏ।

ତେଲକୁ ବାରମ୍ବାର ଗରମ କରିବା ଦ୍ବାରା ସେଥିରେ କେତେକ ବିଷାକ୍ତ ଯୌଗିକ ନିର୍ଗତ ହୋଇଥାଏ ଯାହା ଦ୍ବାରା କର୍କଟ ଓ ହୃଦ୍‌ରୋଗ ଆଶଙ୍କା ବଢ଼ିଥାଏ ବୋଲି କୁହାଯାଇଛି।

ତେଣୁ ଛଣାଛଣି ପରେ ବଳିଯାଉଥିବା ତେଲକୁ ଦିନକ ଭିତରେ ତରକାରି ଓ ଅନ୍ୟାନ୍ୟ ଭଜାଭଜି କରିବାରେ ସାରିଦେବାକୁ ଆଇସିଏମ୍‌ଆର୍‌ ପରାମର୍ଶ ଦେଇଛି। ତେବେ ବଳକା ତେଲକୁ ପରିସ୍ରବଣ କରି ଏପରି ବ୍ୟବହାର କରିହେବ। ମାତ୍ର କୌଣସି ପରିସ୍ଥିତିରେ ବି ତାହାକୁ ଅଧିକ ଦିନ ଧରି ସାଇତି ରଖିବାକୁ ବାରଣ କରାଯାଇଛି। ଅପରପକ୍ଷେ, ବଳକା ତେଲର ପୁନର୍ବ୍ୟବହାର ଖାଦ୍ୟପଦାର୍ଥର ସ୍ବାଦ କମାଇଦେଇଥାଏ। ତେଣୁ ଯଦିଓ ବଳିପଡୁଥିବା ତେଲକୁ କାଁ ଭାଁ ବ୍ୟବହାର କଲେ ସେଭଳି ଉଲ୍ଲେଖନୀୟ କ୍ଷତି ହେବନାହିଁ, ତେବେ ସର୍ବଦା ଆବଶ୍ୟକ ଅନୁଯାୟୀ ପ୍ରତି ଥର ରୋଷେଇରେ ସଜ ତେଲ ବ୍ୟବହାର କରିବା ଉଭୟ ସ୍ବାଦ ଓ ସ୍ବାସ୍ଥ୍ୟ ପକ୍ଷେ ମଙ୍ଗଳକାରକ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe