ବିଶୃଙ୍ଖଳା, ଚାପ ଓ ନିରନ୍ତର କୋଳାହଳ ପୂର୍ଣ୍ଣ ବିଶ୍ୱରେ ଜଣେ ମହିଳା ନିଜର ଚିନ୍ତାଧାରା ଆଧାରିତ ଶୈଳୀରେ ଜୀବନ ଧାରଣ କରି ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ହେବାର ବିରଳ ଗୌରବ ଲାଭ କରିଛନ୍ତି । ବୃଦ୍ଧାବସ୍ଥା ଗବେଷଣା ସଂସ୍ଥା ଅନୁଯାୟୀ, ୧୧୫ ବର୍ଷୀୟା ବ୍ରିଟିସ ମହିଳା ଏଥେଲ୍ କ୍ୟାଟର୍ହାମ୍ଙ୍କୁ ଏବେ ବିଶ୍ୱର ସବୁଠୁ ବୟସ୍କ ଜୀବିତ ବ୍ୟକ୍ତିର ମାନ୍ୟତା ମିଳିଛି। ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ପୂର୍ବରୁ ୧୯୦୯ ଅଗଷ୍ଟ ୨୧ରେ ଦକ୍ଷିଣ ଇଂଲାଣ୍ଡର ସିପ୍ଟନ୍ ବେଲିଞ୍ଜର୍ ନାମକ ଛୋଟ ଗାଁରେ ଜନ୍ମିତ ଏଥେଲ୍ ତାଙ୍କ ଜୀବନରେ ଦୁଇଟି ବିଶ୍ବଯୁଦ୍ଧ, ପ୍ରଯୁକ୍ତିବିଦ୍ୟା ଓ ଇଣ୍ଟର୍ନେଟ୍ର ଉତ୍ଥାନ ସମେତ ବିଶ୍ୱ ଇତିହାସରେ ଅଗଣିତ ପରିବର୍ତ୍ତନ ଦେଖିଥିଲେ ମଧ୍ୟ ତାଙ୍କର ଜୀବନର ମନ୍ତ୍ର ସମାନ ରହିଛି: “କେବେ ବି କାହା ସହିତ ଯୁକ୍ତିତର୍କ କରନାହିଁ।
ମୁଁ ସବୁ ଶୁଣେ ଏବଂ ମୁଁ ଯାହା ପସନ୍ଦ କରେ ତାହା କରେ।” ଏହି ନିୟମ ହିଁ ତାଙ୍କ ଦୀର୍ଘ ଆୟୁଷର ରହସ୍ୟ। ଆଠ ଭାଇଭଉଣୀଙ୍କ ମଧ୍ୟରେ ସପ୍ତମ ସନ୍ତାନ ଏଥେଲ୍ ୧୮ ବର୍ଷ ବୟସରେ ଭାରତକୁ ଆସି ଜଣେ ଧାଈ ଭାବରେ କାମ କଲେ। ତିନି ବର୍ଷ ପରେ ସେ ଇଂଲଣ୍ଡ ଫେରି ଜଣେ ବ୍ରିଟିସ ସେନାଧିକାରୀଙ୍କୁ ବିବାହ କରି ପରେ ହଂକଂ ଓ ଜିବ୍ରାଲ୍ଟରରେ ବସବାସ କଲେ। ଦୁଇ ଝିଅଙ୍କର ପାଳିତା ମା’ଏଥେଲ୍ ୧୯୭୬ରେ ସ୍ବାମୀଙ୍କ ବିୟୋଗ ପରେ ନିଜ ଚିନ୍ତାଧାରାର ଅନୁସରଣରେ ଶାନ୍ତ ଓ ନୀରବ ଭାବେ ଜୀବନଯାପନ କରିଆସୁଛନ୍ତି।
Follow Us