ଏହି ଗ୍ରୀଷ୍ମରେ ତରଭୁଜ ଓ ଖରଭୁଜ ଖାଆନ୍ତୁ, ଚୁଟ୍‌କିରେ ଦୂରେଇ ଦିଅନ୍ତୁ ଏହି ସବୁ ସମସ୍ୟା

Advertisment
ଏହି ଗ୍ରୀଷ୍ମରେ ତରଭୁଜ ଓ ଖରଭୁଜ ଖାଆନ୍ତୁ, ଚୁଟ୍‌କିରେ ଦୂରେଇ ଦିଅନ୍ତୁ ଏହି ସବୁ ସମସ୍ୟା

ତରଭୁଜ
ଗରମ ଦିନରେ ତରଭୁଜ ଖାଇବାକୁ କାହାକୁ ବା ଭଲ ନ ଲାଗେ। ଏହି ଋତୁରେ ଏହି ଫଳ ପ୍ରଚୁର ପରିମାଣରେ ମିଳିଥାଏ। ଏହା ଯେପରି ସ୍ୱାଦିଷ୍ଠ ସେହିପରି ତ୍ୱରିତ ଶକ୍ତିଦାୟକ। ଏଥିରେ ଭରି ରହିଥିବା ପାଣି ଭୋକ ଆଉ ଶୋଷ ଉଭୟକୁ ମେଣ୍ଟାଇଥାଏ। ଏଥିରେ ଛୟାନବେ ପ୍ରତିଶତ ପାଣି ରହିଥାଏ। ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ତରଭୁଜରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଏ, ବି, ସି ସହ ଆଇରନ୍‌, ମ୍ୟାଗ୍ନେସିୟମ୍‌ ଏବଂ ପଟାସିୟମ୍‌ ରହିଥାଏ। ବାଲିଆ ଜମିରେ ତରଭୁଜ ଚାଷ ହୋଇଥାଏ। ସାରା ଭାରତରେ ଏହାର ଚାଷ ହୋଇଥାଏ। ଉତ୍ତର ଭାରତରେ ଏହି ଫଳଟିର ଖୁବ୍‌ ଚାହିଦା ରହିଛି। ଶରୀରକୁ ତାତିରୁ ରକ୍ଷା କରିବା ପାଇଁ ଏହାକୁ ଖାଇବା ଦରକାର। କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଖଣିଜ ଲବଣ, ଫସ୍‌ଫରସ୍‌ ଏବଂ କ୍ୟାଲ୍‌ସିୟମ୍‌ରେ ଭରପୂର ତରଭୁଜ ରକ୍ତ ପରିଷ୍କାର କରିଥାଏ, ପଥରୀ, ହୃଦ୍‌ରୋଗରୁ ମଧ୍ୟ ରକ୍ଷା  ଭୋକ ଲାଗୁ ନ ଥିଲେ, ବାନ୍ତି ବାନ୍ତି ଲାଗୁଥିଲେ, ମୁଣ୍ଡବୁଲାଇ ଦେଉଥିଲେ ଖାଦ୍ୟଗ୍ରହଣ ପୂର୍ବରୁ ପଚାଶ ଗ୍ରାମ ତରଭୁଜ ରସରେ ମିଶ୍ରି ଏବଂ ଲେମ୍ବୁରସ ମିଶାଇ ଖାଆନ୍ତୁ।
ଅର୍ଶରୋଗୀମାନେ ତରଭୁଜର ପଚାଶ ଗ୍ରାମ୍‌ ରସ ନେଇ ସେଥିରେ ତିନି ଗ୍ରାମ୍‌ ଅଁଳା ଗୁଣ୍ଡ ମିଶାଇ କିଛିଦିନ ପର୍ଯ୍ୟନ୍ତ ନିୟମିତ ସେବନ କରନ୍ତୁ।
ତରଭୁଜ ମଞ୍ଜିକୁ ପାଣିରେ ବାଟି ମଥାରେ ଲେପ ଦେଲେ ମୁଣ୍ଡବିନ୍ଧା କମିଥାଏ।
ଜଣ୍ଡିସ୍‌ ବା କାମଳ ରୋଗରେ ନିୟମିତ ତରଭୁଜ ଖାଇବା ବା ତା’ର ରସ ପିଇବା ଦରକାର।
ଅତ୍ୟଧିକ ଖରାରେ ତ୍ୱଚାରେ ସମସ୍ୟା ଦେଖାଦେଲେ ତରଭୁଜ ରସ ଲଗାନ୍ତୁ। ଏହା ତ୍ୱଚାକୁ ସ୍ୱଚ୍ଛ ଏବଂ ସୁନ୍ଦର କରିଥାଏ।
ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପରିସ୍ରା ଲାଗୁ ନ ଥିଲେ ତରଭୁଜ ରସ ପିଇବା ଦ୍ୱାରା ଏହା ତୁରନ୍ତ ପରିସ୍ରା କରାଇଥାଏ। ମୂତ୍ରାଶୟ ସମ୍ବନ୍ଧିତ ଆହୁରି ଅନେକ ସମସ୍ୟା ମଧ୍ୟ ତରଭୁଜ ଦୂର କରିଥାଏ। ତରଭୁଜର ପଚାଶ ଗ୍ରାମ୍‌ ରସ ନେଇ ସେଥିରେ ମିଶ୍ରି ମିଶାଇ କିଛିଦିନ ନିୟମିତ ପିଅନ୍ତୁ।
ତରଭୁଜର ଧଳା ଅଂଶକୁ ବାଟି ସେଥିରେ ଚନ୍ଦନ ଆଉ କର୍ପୂର ମିଶାଇ ଶରୀରରେ ଲେପ ଦେବା ଦ୍ୱାରା ଗ୍ରୀଷ୍ମତାପ ଯୋଗୁଁ ତ୍ୱଚାର ଜ୍ୱଳନ ଏବଂ ଘିମିରି ଆଦି ସମସ୍ୟାକୁ ଦୂର କରିଥାଏ।
ଗ୍ରୀଷ୍ମରେ ତରଭୁଜ ରସରେ ସୈନ୍ଧବ ଲବଣ ଏବଂ ଲେମ୍ବୁରସ ମିଶାଇ ପିଇବା ଦ୍ୱାରା ଲୁ ପ୍ରକୋପରୁ ରକ୍ଷା ମିଳିଥାଏ।
ତରଭୁଜକୁ ରାତିରେ ବାହାରେ ରଖି ଦିଅନ୍ତୁ। ସକାଳୁ ସେହି ତରଭୁଜରୁ ରସ ବାହାର କରି ସେଥିରେ ଚିନି ମିଶାଇ ସେବନ କରିବା ଦ୍ୱାରା ପରିସ୍ରାର ଜ୍ୱଳନ ଏବଂ ଅବରୋଧ ଦୂର ହୋଇଥାଏ।
ତରଭୁଜ ଶରୀରର ରୋଗ ପ୍ରତିରୋଧୀ କ୍ଷମତାକୁ ବୃଦ୍ଧି କରିଥାଏ।
ଆମ୍ବିଳା ଓକାର ଆସୁଥିଲେ ତରଭୁଜରେ କଳାଲୁଣ ଏବଂ ଗୋଲମରିଚ ପକାଇ ଖାଆନ୍ତୁ।
ବାରଣ
ତେବେ ବି ତରଭୁଜ ଖାଇବାରେ କିଛି ବାରଣ ମଧ୍ୟ ରହିଛି। ଯେମିତିକି, ସକାଳୁ ଖାଲି ପେଟରେ ତରଭୁଜ ଖାଆନ୍ତୁ ନାହିଁ। ଖାଦ୍ୟ ଖାଇବା ପରେ ତରଭୁଜ ଖାଇବା ଦ୍ୱାରା ଅଧିକ ଲାଭପ୍ରଦ ହୋଇଥାଏ। ତରଭୁଜ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ। ଦୁଗ୍‌ଧ, ଦହି କିମ୍ବା ଅନ୍ୟାନ୍ୟ ପାନୀୟ ପିଅନ୍ତୁ ନାହିଁ। ଥଣ୍ଡାରୋଗରେ ପୀଡ଼ିତ ବ୍ୟକ୍ତି ଏବଂ ଶ୍ୱାସରୋଗୀମାନେ ତରଭୁଜ ରସ ପିଇବା ଉଚିତ ନୁହେଁ। ତରଭୁଜ ଖାଇବାର ଦୁଇ ତିନିଘଣ୍ଟା ପର୍ଯ୍ୟନ୍ତ ଭାତ ଖାଆନ୍ତୁ ନାହିଁ।

publive-image
ଖରଭୁଜ
ତରଭୁଜ ପରି ଖରଭୁଜ ଗ୍ରୀଷ୍ମଦିନମାନଙ୍କରେ ପ୍ରଚୁର ଉତ୍ପାଦନ ହୋଇଥାଏ। ତେବେ ଏହି ଫଳଟି ତରଭୁଜ ପରି ସର୍ବତ୍ର ଦେଖାଯାଏ ନାହିଁ। କଞ୍ଚା ଖରଭୁଜର ରଙ୍ଗ ସବୁଜ ହୋଇଥିବା ବେଳେ ପାଚିଲେ ଏହାର ରଙ୍ଗ ଈଷତ୍‌ ହଳଦିଆ ଦେଖାଯାଏ। ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଜଳ ଥିବାରୁ ଗ୍ରୀଷ୍ମଦିନରେ ଏହାର ଆଦର ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରରୁ ଜଳଶୁଷ୍କତା ଦୂର ହୋଇଥାଏ। ଏହାବାଦ୍‌ ଏହାର ମଞ୍ଜିକୁ ଶୁଖାଇ ଖିଆ ଯାଇଥାଏ। ଖରଭୁଜରେ ଶର୍କରା ସହିତ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌ସ, ଲୌହ ଏବଂ ଭିଟାମିନ ଏ, ବି ଭରପୂର ମାତ୍ରାରେ ରହିଛି। ଏଥିରେ ଥିବା ଭିଟାମିନ୍‌ ଏ ଏବଂ ବିଟା କେରୋଟିନ୍‌ ଆଖିକୁ ସୁସ୍ଥ ରଖିଥାଏ ଏବଂ ମୋତିଆବିନ୍ଦୁ ହେବାରୁ ରକ୍ଷା କରିଥାଏ। ଖରଭୁଜ ରକ୍ତଶର୍କରାକୁ ନିୟନ୍ତ୍ରିତ ରଖିବା ସହ ମଧୁମେହ ପୀଡ଼ିତଙ୍କ ପାଇଁ ଲାଭଦାୟକ ହୋଇଥାଏ। କୋଲେଷ୍ଟରଲ ସମସ୍ୟା ଥିବା ବ୍ୟକ୍ତି ଏହାକୁ ଖାଇବା ଉଚିତ। ଏବେ ଏହାର ଆଉକିଛି ଗୁଣ...
ଖରଭୁଜରେ ଥିବା ଭିଟାମନ୍‌-ସି ଶରୀରର ରୋଗପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ। ଏହା ଶ୍ୱେତ ରକ୍ତକଣିକା ମଧ୍ୟ ସୃଷ୍ଟି କରିଥାଏ। ଏହି ରକ୍ତକଣିକା ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ। ଏପରିକି କର୍କଟ ରୋଗ ପ୍ରତିରୋଧୀ କ୍ଷମତା ଏଥିରେ ରହିଥିବା କୁହାଯାଏ।
ଖରଭୁଜରେ ଥିବା ଡାଇଟରି ଫାଇବର୍ସ କୋଷ୍ଠବଦ୍ଧତାକୁ ଦୂର କରେ।
ଖରଭୁଜର ରସ କିଡ୍‌ନି ଷ୍ଟୋନ୍‌ ଏବଂ କିଡ୍‌ନିର ଆଉକିଛି ସମସ୍ୟାକୁ ଦୂର କରିଥାଏ। ଏହା କିଡ୍‌ନିକୁ ପରିଷ୍କାର ରଖିବା ସହ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିଦେଇଥାଏ।
ମହିଳାମାନଙ୍କ ପାଇଁ ଏହା ବେଶ୍‌ ଲାଭପ୍ରଦ। ଏଥିରେ ଥିବା ଫୋଲେଟ୍‌ ଶରୀରରୁ ଅଧିକମାତ୍ରାରେ ବାହାରକୁ ଯାଉଥିବା ସୋଡିୟମ୍‌କୁ ବାହାରକୁ ଯିବାକୁ ଦିଏ ନାହିଁ।
ଖରଭୁଜ ଖାଇବା ଦ୍ୱାରା ନିଦ୍ରାହୀନତା ଭୋଗୁଥିବା ବ୍ୟକ୍ତିର ମସ୍ତିଷ୍କର ମାଂସପେଶୀକୁ ଆରାମ ମିଳିଥାଏ। ଫଳରେ ଭଲ ନିଦ ହୁଏ।
ଖରଭୁଜ ଖାଇବା ଦ୍ୱାରା ଧୂମପାନ କରିବାକୁ ଇଚ୍ଛା ହୁଏ ନାହିଁ। ଏହା ଫୁସ୍‌ଫୁସ୍‌କୁ ଶକ୍ତିଶାଳୀ କରିଥାଏ। ନିକୋଟିନ୍‌କୁ ତୁରନ୍ତ ବାହାରକୁ ବାହାର କରି ଦେଇଥାଏ।
ଖରଭୁଜ ଟିକେ କାଟି ତାକୁ ପାଣିରେ ସିଝାଇ ସେଥିରେ କୁଳି କରିବା ଦ୍ୱାରା ଦାନ୍ତବିନ୍ଧାରୁ ଆରାମ ମିଳିଥାଏ।
ଏଥିରେ ଯଥେଷ୍ଟ ପ୍ରୋଟିନ୍‌ ରହୁଥିବାରୁ ଏହା ଅସ୍ଥି, କେଶ ଆଉ ନଖ ପାଇଁ ଲାଭଦାୟକ। ଅମ୍ଳରୋଗରେ ପୀଡ଼ିତ ବ୍ୟକ୍ତି ଏହାକୁ ଖାଇବା ଦ୍ୱାରା ତାକୁ ଆରାମ ମିଳିଥାଏ।
ଛାତିରେ ଜମିଥିବା କଫ ଖରଭୁଜର ମଞ୍ଜି ସେବନ ଦ୍ୱାରା ବାହାରକୁ ବାହାରି ଯାଏ।
ବାରଣ
ତେବେ ଖରଭୁଜ ଖାଇବାରେ କିଛି ବାରଣ ରହିଛି। ଖରଭୁଜ ଖାଇବା ପରେ ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ। ଏହା ହଇଜାର କାରଣ ହୋଇପାରେ। ସକାଳେ ଖାଲିପେଟରେ ଖରଭୁଜ ଖାଆନ୍ତୁ ନାହିଁ। ଏହାଦ୍ୱାରା ପିତ୍ତବିକାର ସୃଷ୍ଟି ହୋଇଥାଏ। ଅତ୍ୟଧିକ ଥଣ୍ଡା ବା କାଶ ହେଉଥିଲେ ଖରଭୁଜ ବେଶୀ ଖାଆନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe