Winter Season Health Issues: ଶୀତଦିନେ ବଢ଼ିଯାଏ ବ୍ରେନ୍‌ଷ୍ଟ୍ରୋକ୍ ହେବାର ଆଶଙ୍କା ! ଜାଣନ୍ତୁ ହୋଇପାରେ ଆଉ କେଉଁ ସବୁ ସମସ୍ୟା

ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବା ସହ ଥଣ୍ତା ପବନ ଓ ପ୍ରଦୂଷଣ ଶରୀରକୁ ଅଧିକ ପ୍ରଭାବିତ କରୁଛି। କାଶ, ଥଣ୍ଡା, ହାଡ଼ ଓ ମାଂସପେଶୀ ଯନ୍ତ୍ରଣା, ଚର୍ମ ଶୁଷ୍କତା, ଓ ରକ୍ତଚାପ ଭଳି ସମସ୍ୟା ବଢ଼ୁଛି।

Winter Season

Winter Season Health Risks Photograph: (sambad.in)

ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ଏକପ୍ରକାର ଲୁଚକାଳି ଖେଳ ଖେଳୁଛି। କେବେ କମିଯାଉଛି ତ କେବେ ବଢ଼ିଯାଉଛି। ନଭେମ୍ବର ମାସ ପରେ ପରେ ଶୀତ ଆରମ୍ଭ ହୋଇଥିବା ବେଳେ ଅନେକ ପ୍ରଦୂଷିତ ସହରର ଅବସ୍ଥା ଆହୁରି ଖରାପ ହୋଇଛି। ବିଶେଷ କରି ମେଟ୍ରୋ ସହରମାନଙ୍କରେ ଲୋକେ ପ୍ରଦୂଷଣ ପାଇଁ ହଟହଟା ହେଉଛନ୍ତି। ଏହା ଅନେକ ଶାରୀରିକ ସମସ୍ୟା ଉପୁଜାଉଥିବା ବେଳେ ଶୀତଦିନେ ବୋହୁଥିବା ଥଣ୍ତା ପବନ ଅନେକ ରୋଗ ସୃଷ୍ଟି କରୁଛି। ତେବେ ଆସନ୍ତୁ ଜାଣିବା ଶୀତଦିନେ କେଉଁ ରୋଗ ଅଧିକ ମାତ୍ରାରେ ବ୍ୟାପିଥାଏ।

ନଭେମ୍ବର ମାସ ସରିବା ସହ ଶୀତର ଲହର ବଢିବାରେ ଲାଗିଛି। ଫଳରେ ସକାଳ ଏବଂ ରାତିରେ ବେଶୀ ଥଣ୍ଡା ଅନୁଭୂତ ହେଉଛି। ଯଦିଓ ଖରାବେଳେ ସୁର୍ଯ୍ୟଙ୍କ ପ୍ରଭାବରେ ଟିକେ ଗରମ ଲାଗୁଛି, କିନ୍ତୁ ଏହା ଶରୀର ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଏହି ପରିବର୍ତ୍ତିତ ପାଗ ଆମ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି। ପ୍ରବଳ ଥଣ୍ଡା ଫଳରେ ଅନେକ ରୋଗ ସୃଷ୍ଟି ହୋଇ ଆମ ଶରୀରକୁ ଦୁର୍ବଳ କରିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ କମାଇ ଦେଉଛି। ତେବେ ଶୀତ ଦିନରେ ଥଣ୍ତା ପବନ ଶରୀରରେ କେଉଁ ପ୍ରଭାବ ପକାଇଥାଏ? ଆମେ କେଉଁ ରୋଗର ଶିକାର ହୋଇଥାଉ? ଏ ସଂପର୍କରେ ଜାତୀୟ ଗଣମାଧ୍ୟମକୁ କନୌଜ ସରକାରୀ ମେଡିକାଲ କଲେଜର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡାକ୍ତର ଦିଲୀପ ସିଂହ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ।

ଥଣ୍ତା ଆମ ଶରୀରରେ କେଉଁ ରୋଗକୁ ଜନ୍ମ ଦେଇଥାଏ ଆସନ୍ତୁ ଜାଣିବା 
  

କାଶ ଓ ଥଣ୍ଡା ସମସ୍ୟା 

ଅନେକ ସମୟ ପରେ ଶୀତ ଆସିବା ଦ୍ବାରା ପ୍ରଥମେ ପ୍ରଥମେ ଥଣ୍ଡା ପବନ ଶରୀରକୁ ଭଲ ଲାଗିଥାଏ। କିନ୍ତୁ କିଛିଦିନ ପରେ ଏହି ଥଣ୍ଡା ପବନ ଶରୀର ପାଇଁ ହାନୀକାରକ ସାବ୍ୟସ୍ତ ହୋଇଥାଏ। ଶୀତଦିନରେ ଥଣ୍ଡା ପବନ ଶରୀରର ବହୁତ ସମୟ ପର୍ଯ୍ୟନ୍ତ ବାଜିବା ଦ୍ବାରା କାନ, ନାକ, ଗଳା ଏବଂ ଛାତିରେ ଗଭୀର ଯନ୍ତ୍ରଣା ସୃଷ୍ଟି ହୋଇଥାଏ। ଏଥିରୁ ବଞ୍ଚିବାକୁ ହେଲେ ଶୀତଦିନେ ଘରୁ ବାହାରିବା ଆଗରୁ ଶୀତବସ୍ତ୍ର ପିନ୍ଧିବା ଉଚିତ୍। ଶୀତବସ୍ତ୍ର ସହ ଗରମ ଖାଦ୍ୟ ଏବଂ ବିଭିନ୍ନ ପ୍ରକାର ସୁପ ପିଇବା ଦ୍ବାରା ଶରୀର ଥଣ୍ତା କବଳରୁ ରକ୍ଷା ପାଇଥାଏ।

ହାଡ଼ ଏବଂ ଗଣ୍ଠିଜନିତ ସମସ୍ୟା 

ଶୀତଦିନେ ପ୍ରବଳ ଥଣ୍ଡା ଅନୁଭୂତ ଦେଉଥିବା ବେଳେ ଖରାର ପ୍ରକୋପ କମ ରହିଥାଏ। ଖରା କେବଳ ମଧ୍ୟାନ୍ନ ସମୟରେ ହେଉଥିବା ବେଳେ ଏହା ଆମ ଶରୀର ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ ଶରୀରରେ ଭିଟାମିନ ଡିର ମାତ୍ରା କମ ରହିଥାଏ। ଫଳରେ ହାଡ଼ ଏବଂ ମାଂସପେଶୀ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ତେଣୁ, ଏହି ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ଗରମ ପୋଷାକ ପିନ୍ଧିବା ସହ ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ଖାଇବା  ଏବଂ ବ୍ୟାୟାମ କରିବା ଦ୍ବାରା ଏହା ହାଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। 

ଚର୍ମ ସମସ୍ୟା

ଶୀତଦିନେ ପ୍ରବଳ ଥଣ୍ଡା ହେବା ଯୋଗୁଁ ବାୟୁମଣ୍ଡଳ ଶୁଷ୍କ ରହିଥାଏ। ଫଳରେ ଏହା ସିଧସଳଖ ଭାବରେ ଆମ ଚର୍ମକୁ ପ୍ରଭାବିତ କରିଥାଏ। ଚର୍ମ ଶୁଷ୍କ ହେବା ଫଳରେ ଓଠ ଫାଟିବା, ପାଦ ଫାଟିବା, ମୁହଁର ଚର୍ମ ଶୁଖିଯିବା ପରି ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟାରୁ ନିସ୍ତାର ପାଇବାକୁ ହେଲେ ପ୍ରତିଦିନ ଶରୀରରେ ତେଲ ସହ ମାର୍କେଟରେ ମିଳୁଥିବା ଭଲ କମ୍ପାନିର ମଏଶ୍ଚରାଇଜର ଲଗାଇବା ଉଚିତ୍। ଏହାକୁ ଲାଗାଇବା ଫଳରେ ଶରୀର ଶୁଷ୍କ ହୋଇନଥାଏ। ଏହା ସହ ଶୀତଦିନେ ପ୍ରଚୁର ପାଣି ପିଇବା ଫଳରେ ଶରୀରରେ ଜଳୀୟ ଅଂଶ କମି ନଥାଏ।

ରକ୍ତଚାପ ସମସ୍ୟା  

ଶୀତଦିନେ ପ୍ରବଳ ଥଣ୍ତା ପବନ ବୋହୁ ହେଉଥିବାରୁ ଏହା ବାୟୁମଣ୍ଡଳୀୟ ଚାପ ହ୍ରାସ କରିଥାଏ। ଏହା ଦ୍ବାରା ରକ୍ତଚାପ ବଢ଼ିଯାଇଥାଏ। ସବୁଦିନ ଥଣ୍ଡା ପବନ ଶରୀରରେ ମାଡ଼ ହେବା ଫଳରେ ମୁଣ୍ତ ବିନ୍ଧା ସହ ଷ୍ଟ୍ରୋକ ହେବାର ସମ୍ଭାବନା ବଢିଯାଇଥାଏ। ଏହାକୁ ଦୂର କରିବା ପାଇଁ ପ୍ରତ୍ୟେକ ଦିନ ନିଜ ଖାଦ୍ୟରେ ରସୁଣ, କଦଳୀ, ଲେମ୍ବୁ ଏବଂ ମହୁକୁ ସାମିଲ କରନ୍ତୁ। ଫଳରେ ଶରୀରରେ ଦେଖାଯାଉଥିବା ଏହିସବୁ ସମସ୍ୟାରୁ ନିସ୍ତାର ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe