ଆଜି ବିଶ୍ବ ହେମୋଫିଲିଆ ଦିବସ। ହେମୋଫିଲିଆ ହେଉଛି ଏକ ବିରଳ ଗମ୍ଭୀର, ବଂଶାନୁକ୍ରମିକ ରକ୍ତସ୍ରାବ ବିଶୃଙ୍ଖଳା ଯାହା ବିଶେଷ କରି ରକ୍ତ ଜମାଟ ବାନ୍ଧୁଥିବା କାରକର ତ୍ରୁଟି ଯୋଗୁଁ ହୋଇଥାଏ। ଯଦିଓ ସବୁ ସମ୍ପ୍ରଦାୟର ବ୍ୟକ୍ତି ହିମୋଫିଲିଆ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି, ତେବେ ପୁରୁଷମାନେ ଏଥିରେ ବେଶୀ ପ୍ରଭାବିତ ହୋଇଥା’ନ୍ତି। ତେବେ ଏ ବାବଦରେ ସଚେତନତା ସୃଷ୍ଟି ସହ ତାହାର ପ୍ରତିକାର ଉଦ୍ଦେଶ୍ୟରେ ୧୯୮୯ ମସିହା ଏପ୍ରିଲ ୧୭ ତାରିଖରେ ପ୍ରଥମ ଥର ପାଇଁ ବିଶ୍ବ ହେମୋଫିଲିଆ ମହାସଂଘ (ଡବଲ୍ୟୁଏଫ୍ଏଚ୍)ର ପ୍ରତିଷ୍ଠାତା ଫ୍ରାଙ୍କ ସ୍ନାବେଲଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ଡବଲ୍ୟୁଏଫ୍ଏଚ୍ ପକ୍ଷରୁ ଏହି ଦିବସର ପରିକଳ୍ପନା କରାଯାଇଥିଲା।
ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ସମସ୍ତଙ୍କ ପାଇଁ ସୁବିଧା: ବିଶ୍ବସ୍ତରୀୟ ଯତ୍ନର ମାନକ ଅନୁଯାୟୀ ରକ୍ତସ୍ରାବକୁ ରୋକିବା’। ଅର୍ଥାତ୍ ମାନବ ସମୁଦାୟ ପାଇଁ ଆହ୍ବାନ ହେଉଛି ସମସ୍ତେ ଏକତ୍ର ହେବା ଏବଂ ସ୍ଥାନୀୟ ନୀତି ନିର୍ଦ୍ଧାରକ ଓ ସରକାରଙ୍କ ସହିତ ମିଶି ଉନ୍ନତ ଚିକିତ୍ସା ଓ ଯତ୍ନକୁ ପ୍ରାଧାନ୍ୟ ଦେବା ସହିତ ରକ୍ତସ୍ରାବ ଜନିତ ସମସ୍ୟା ଥିବା ସମସ୍ତ ପୀଡ଼ିତଙ୍କ ଲାଗି ଉତ୍ତମ ରକ୍ତସ୍ରାବ ନିୟନ୍ତ୍ରଣ ଓ ପ୍ରତିରୋଧ ଉପରେ ଗୁରୁତ୍ବାରୋପ କରିବା। ମୋଟାମୋଟି ଭାବେ ହେମୋଫିଲିଆ ପୀଡ଼ିତଙ୍କୁ ଉନ୍ନତମାନର ଜୀବନ ଧାରଣ କରିବାରେ ସାହାଯ୍ୟ କରିବା ପାଇଁ ଘରୋଇ ଚିକିତ୍ସା ସହ ରୋଗନିରୋଧୀ ଚିକିତ୍ସାକୁ କାର୍ଯ୍ୟକାରୀ କରିବା ହେଉଛି ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ।
Follow Us