ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା କେରଳ ଯାଇ ରାଜ୍ୟରେ ଥିବା ମେଣ୍ଟ ସରକାରକୁ ଭାଙ୍ଗିବାର ପ୍ରୟାସ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ କେରଳରେ ଥିବା ଜଣେ ଯାଦୁକରଙ୍କ ସହାୟତାରେ ମେଣ୍ଟ ସରକାର ଭାଙ୍ଗିବେ ଓ ନିଜେ ମୁଖ୍ୟମନ୍ତ୍ରୀ ହେବେ। ଏଥିଲାଗି ସେ ଜଣେ ଯାଦୁକରଙ୍କ ସହାୟତା ନେଉଛନ୍ତି ବୋଲି କୁହାଯାଉଛି।
ଏକଥାକୁ କିନ୍ତୁ ବି.ଏସ୍.ୟେଦୁରପ୍ପାଙ୍କ ପୁଅ ତଥା ଶିବମୋଗାର ଲୋକସଭା ସଦସ୍ୟ ଭିବାଇ ରାଘବେନ୍ଦ୍ର ଅସ୍ୱୀକାର କରିଛନ୍ତି। ରାଘବେନ୍ଦ୍ର କହିଛନ୍ତି ଯେ ତାଙ୍କ ବାପା ଓ ଭାଜପା ପ୍ରଦେଶ ଅଧ୍ୟକ୍ଷ ଡିସେମ୍ବର ୧୦ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନପୂର୍ବରୁ ବ୍ରେକ୍ ନେଇଛନ୍ତି। ୟେଦୁରପ୍ପାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ଯେ ୟେଦୁରପ୍ପାଙ୍କ କାନ୍ଧରେ ଯନ୍ତ୍ରଣା ଅନୁଭୂତ ହେଉଥିବା ହେତୁ ପ୍ରାକୃତିକ ଚିକିତ୍ସା ଲାଗି କେରଳ ଯାଇଛନ୍ତି।
ଶୁକ୍ରବାର ୟେଦୁରପ୍ପା କେରଳର ପ୍ରାକୃତିକ ଚିକିତ୍ସା କେନ୍ଦ୍ରକୁ ଯାଇଛନ୍ତି ଓ ସେଠାରୁ ସେ ଡିସେମ୍ବର ୪ ତାରିଖରେ ଫେରିବେ। କିନ୍ତୁ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ୟେଦୁରପ୍ପା ଜଣେ ଯାଦୁକରଙ୍କ ପରାମର୍ଶ ନେବା ଲାଗି କହିଛନ୍ତି।
Follow Us