ରଙ୍ଗକୁ ହଁ, ବିପଦକୁ ନା

ରଙ୍ଗକୁ ହଁ, ବିପଦକୁ ନା

ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ଭାରତର କୋଣ ଅନୁକୋଣରେ ଏହା ଆବାଳବୃଦ୍ଧବନିତା ସଭିଙ୍କ ମନରେ ଅଫୁରନ୍ତ ଆନନ୍ଦ ଆଣିଦେଇଥାଏ। ଆମ ପରମ୍ପରାରେ ପ୍ରଚଳିତ ଅନ୍ୟାନ୍ୟ ପର୍ବଠାରୁ ନିଆରା ହୋଲି ପର୍ବରେ ନିଜକୁ ରଙ୍ଗିନ କରାଇବାର ମଜା ଅନନ୍ୟ। ତେବେ ବଜାରରେ ଉପଲବ୍‌ଧ ନାନା ପ୍ରକାର ରଙ୍ଗ ଯେତିକି ଆମୋଦଦାୟକ, ରାସାୟନିକ ଦ୍ରବ୍ୟର ଉପସ୍ଥିତି ଯୋଗୁଁ ତାହା ସ୍ବାସ୍ଥ୍ୟ ପ୍ରତି ସେତିକି ବିପଦ ଆଶଙ୍କା ମଧ୍ୟ ଆଣିଥାଏ। ସୁତରାଂ ସାଙ୍ଗସାଥୀ ଗହଣରେ ଏ ବର୍ଷର ରଙ୍ଗଖେଳ କିପରି ନିରାପଦ ହୋଇପାରିବ, ସେ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ବିଷୟରେ ଜାଣିବା।

ରାସାୟନିକ ରଙ୍ଗ ବଦଳରେ ଫୁଲ, ପରିବା ବା ଗୁଳ୍ମରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ
ଆଖିକୁ ସୁରକ୍ଷା ଦେବା ଲାଗି ଚଷମା ବ୍ୟବହାର କରନ୍ତୁ
ଭାସମାନ କଣିକାରୁ ଫୁସ୍‌ଫୁସ୍‌କୁ ସୁରକ୍ଷା ଦେବା ପାଇଁ ହୋଲି ରଙ୍ଗକୁ ଅଳ୍ପ ଓଦା କରିଦିଅନ୍ତୁ
ପ୍ୟାକେଟ୍‌ରେ ଉପାଦାନ ଦେଖି କେବଳ ଜୈବିକ ରଙ୍ଗ କିଣନ୍ତୁ

publive-image

ପ୍ରଥମ ପଦକ୍ଷେପ ସ୍ବରୂପ, ଯାବତୀୟ ରାସାୟନିକ ରଙ୍ଗକୁ ଦୂରେଇ ଦେଇ ବିଭିନ୍ନ ପ୍ରକାର ଫୁଲ, ପରିବା ବା ଗୁଳ୍ମରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗର ଗୁଣ୍ଡକୁ ଗ୍ରହଣ କରିବା ଉଚିତ। ଆଖିକୁ ଆକର୍ଷଣୀୟ ଦିଶୁଥିବା ବଜାରରେ ଉପଲବ୍‌ଧ ଶସ୍ତା ରଙ୍ଗଗୁଡ଼ିକରେ ବିଷାକ୍ତ ରାସାୟନିକ, ସୀସା, କ୍ରୋମିଅମ୍‌ ଓ ପାରଦ ପରି କ୍ଷତିକାରକ ଭାରୀ ଧାତୁର ଅଣୁ ରହିଛି ଯାହା ଚର୍ମ ସଂସ୍ପର୍ଶରେ ଆସିଲେ ଫଳିଯିବା ପରି ବିକାର ସୃଷ୍ଟି ହୋଇଥାଏ ଏବଂ ଆଖିକୁ ବହୁତ କ୍ଷତି ପହଞ୍ଚାଇଥାଏ।
ଅତର୍କିତ ପିଚକାରି ମାଡ଼ ବା ରଙ୍ଗବୋଳାରୁ ଅତି ସମ୍ବେଦନଶୀଳ ପ୍ରତ୍ୟଙ୍ଗ ଆଖିକୁ ସୁରକ୍ଷା ଦେବା ଲାଗି ଚଷମା ବ୍ୟବହାର କରିବା ଅପରିହାର୍ଯ୍ୟ। ଆଉ ଏକ ବିଶେଷ କଥା ହେଲା, ହୋଲି ଖେଳ ବେଳେ ଶୁଖିଲା ରଙ୍ଗଗୁଣ୍ଡ ସବୁ ପବନରେ ଭାସି ବୁଲୁଥା’ନ୍ତି। ତାହା ଆମ ପ୍ରଶ୍ବାସ ଦ୍ବାରା ଫୁସ୍‌ଫୁସ୍‌ରେ ପହଞ୍ଚି ନାନା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ହୋଲି ଖେଳ ପୂର୍ବରୁ ରଙ୍ଗକୁ ଟିକେ ଓଦା କରିଦେବା ଉଚିତ ଯଦ୍ଦ୍ବାରା ତାହା ଆଉ ପବନରେ ଭାସମାନ ହୋଇ ରହିବ ନାହିଁ।

ରଙ୍ଗରେ ମିଶିଥିବା ବିଭିନ୍ନ ବିଷାକ୍ତ ପଦାର୍ଥ ଚର୍ମରେ ଶୋଷି ହୋଇ ଶରୀରରେ ରାସାୟନିକ ବିଷକ୍ରିୟା ସୃଷ୍ଟି କରିପାରେ। ବିଷକ୍ରିୟା ହେଲେ ବାନ୍ତି ମାଡ଼ିବା, ତଳିପେଟରେ ଯନ୍ତ୍ରଣା ହେବା ସହ ସ୍ଥଳବିଶେଷରେ ଅନ୍ତନଳୀ କ୍ଷତିଗ୍ରସ୍ତ ହୋଇଥାଏ। ତେଣୁ କୌଣସି ରଙ୍ଗ ବ୍ୟବହାର ପୂର୍ବରୁ ପ୍ୟାକେଟ୍‌ରେ ଦର୍ଶାଯାଇଥିବା ତାହାର ବିଭିନ୍ନ ଉପାଦାନଗୁଡ଼ିକୁ ଲକ୍ଷ୍ୟ କରି କେବଳ ଜୈବିକ ରଙ୍ଗରେ ହୋଲି ଖେଳିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe