‘ଭୋଜନରେ ହରଷ ହୋଇଲେ ଭାବଗ୍ରାହୀ’

Advertisment

ଲକ୍ଷ୍ମୀପୂରାଣ କଥା-୭୬

ଲକ୍ଷ୍ମୀପୂରାଣ କଥା-୭୬

‘ଭୋଜନରେ ହରଷ ହୋଇଲେ ଭାବଗ୍ରାହୀ’

ବଳରାମ ଓ ଜଗନ୍ନାଥ ଦୁଇଭାଇଙ୍କ ‘ଅମୃତ ମଣୋହି’ପାଇଁ ଲକ୍ଷ୍ମୀ ଯେଉଁସବୁ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରିଥିଲେ, ସେସବୁ ‘ମନ୍ତ୍ରପାକ’ରେ ପ୍ରସ୍ତୁତ ହୋଇଥିଲା ବୋଲି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଉଲ୍ଲେଖ ଅଛି।
“ପୂର୍ବେ ମହାଲକ୍ଷ୍ମୀ ଯେ ମନ୍ତ୍ରପାକ କରିଥିଲେ
ସେହିମତି ଅମୃତ ମଣୋହି ସଂପାଦିଲେ।”
ଗୋଟିଏ ପୋଥିରେ ଏ ସଂପର୍କରେ ରୋଚକ ବର୍ଣ୍ଣନା ଅଛି। ସେହି ପୋଥିର ପାଠ ଆଧାରରେ, ସେ ସଂପର୍କରେ ‘ବଳରାମ ଦାସକୃତ ଲକ୍ଷ୍ମୀପୁରାଣ’ର ସଂପାଦକବୃନ୍ଦ ଲେଖିଛନ୍ତି- ପରିଚିତ ଖାଦ୍ୟ ପାଇ ଦୁଇଭାଇ ଏତେ ଖାଇଛନ୍ତି, ଯେ ହାଣ୍ଡିଶାଳର ସକଳ ସଂପଦ ଶେଷ ହୋଇଯାଇଛି। ବଳରାମଙ୍କ ଭୋକ ତଥାପି ଅଶାନ୍ତ। ଦାସୀମାନେ ପେଜମିଶା ଭାତ ଦେଇଛନ୍ତି। ତଥାପି ପତ୍ରପାଖରୁ ଉଠୁନାହାନ୍ତି ସେ। ଦାସୀମାନେ କାକୁସ୍ଥ। ଅତୃପ୍ତ ବଳରାମଙ୍କ ଉକ୍ତିରେ ସେହି ଘଟଣାର ରୋଚକ ବର୍ଣ୍ଣନା ଅଛି।
“ବଳରାମେ ବୋଇଲେ ବ୍ରାହ୍ମଣୀ ହୋଇଲ କି ବାଈ
ପେଟ ମୋର ପୂରିନାହିଁ ଉଠିଯିବି କାହିଁ।
ଭୁଞ୍ଜାଇ ବସାଇ ଥାଇ ଅପୂରା କରାଇଲେ
ଏ ପୁଣି କେବଣ କଥା କହ ମୋତେ ଭଲେ।
ଭାତ ଯେ ରାନ୍ଧି ପେଜ କି କଲଟି ତୁମ୍ଭେ
ହାଣ୍ଡି ଆଣ ଯାଇ ଖାଇବୁଟି ଆମ୍ଭେ।”
ବଳରାମଙ୍କର ଏହି ଆଚରଣ ଦାସୀମାନଙ୍କୁ ବଡ଼ ବିଚିତ୍ର ଲାଗିଛି। ସେମାନେ ଯାଇ ଲକ୍ଷ୍ମୀଙ୍କୁ କହିଛନ୍ତି-
“ଷାଠିଏ ପଉଟି ଅନ୍ନ ତିଉଣ ଚଉରାଶି
ଛପନ ଭୋଗ ଦୁଇ ଖାଇଲେଟି ବସି।
ଏଥିପରେ ବୋଲୁଛନ୍ତି ପେଜ ଆଣିଦିଅ ମୋତେ
ୟେତେବଡ଼ ରଙ୍କା ବୋଲି ନାହିଂଟି ଜଗତେ।”

ଦେଡ଼ଶୁରଙ୍କର ଏହି ଆଚରଣରେ ଆମୋଦିତ ହୋଇଛନ୍ତି ଲକ୍ଷ୍ମୀ। ମନେମନେ ହସି ଦେଇଛନ୍ତି। ମନ୍ତ୍ରଦ୍ୱାରା ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ତାହା ପରଷି ଦେଇଛନ୍ତି ଦୁଇଭାଇଙ୍କୁ। ଯେତେ ଇଚ୍ଛା ସେତେ। ଏବେ ଭୋକ ଶାନ୍ତ।
କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ସଂପାଦିତ ମୂଳପାଠରେ ଏସବୁ ଦିଆଯାଇ ନାହିଁ। କାରଣ, ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ଲକ୍ଷ୍ମୀ ଦୁଇଭାଇଙ୍କ ପାଇଁ ଯେଉଁ ରନ୍ଧନ କରିଥିଲେ, ସେଥିରେ ସେମାନଙ୍କର ପେଟ ନପୂରିବା ବା ସେମାନେ ଅତୃପ୍ତ ରହିବାର ଅବକାଶ ନାହିଁ। ଏଣୁ ମୂଳରୁ ହିଁ ଲକ୍ଷ୍ମୀ ‘ମନ୍ତ୍ରପାକ’ରେ ସମସ୍ତ ଖାଦ୍ୟ ପ୍ରସ୍ତୁତ କରିଥିବାର ବର୍ଣ୍ଣନା ଯଥାର୍ଥ ଭାବରେ ମୂଳପାଠରେ ଅଛି।
ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ, ଯେ ଆମର ପ୍ରାଚୀନ ଶାସ୍ତ୍ରଗ୍ରନ୍ଥମାନଙ୍କରେ ତିନିପ୍ରକାରର ପାକ ବା ରନ୍ଧନର କଥା ବର୍ଣ୍ଣିତ ଅଛି। ତାହା ହେଉଛି- ‘ସୌରୀପାକ’, ‘ଗୌରୀପାକ’ ଓ ‘ନଳପାକ’। କିନ୍ତୁ ବଳରାମ ଦାସ ଏ ପ୍ରସଙ୍ଗରେ ‘ମନ୍ତ୍ରପାକ’ର ଉଲ୍ଳେଖ କରିଛନ୍ତି।

ତୁଳନାତ୍ମକ ଭାବରେ ଉଲ୍ଲେଖନୀୟ, ଯେ ବଳରାମ ଦାସ ତାଙ୍କ ‘ରାମାୟଣ’ (ଦାଣ୍ଡି ରାମାୟଣ ବା ଜଗମୋହନ ରାମାୟଣ)ରେ, ଭରଦ୍ୱାଜ ମୁନିଙ୍କ ଆଶ୍ରମର ରନ୍ଧନ ସଂପର୍କରେ ବର୍ଣ୍ଣନା କରିଛନ୍ତି। ସୀତା ଓ ଲକ୍ଷ୍ମଣଙ୍କ ସହିତ ରାମଚନ୍ଦ୍ର ଯେତେବେଳେ ବନବାସରେ ଯାଇଥିଲେ, ଭରତ ତାଙ୍କୁ ଫେରାଇ ଆଣିବାକୁ ଯାଇ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ପହଞ୍ଚି ଥିଲେ। ସେଠାରେ ସେମାନେ ରାତ୍ରିଯାପନ କରିଥିଲେ। ସେତେବେଳେ ଭରଦ୍ୱାଜ ଋଷି ମାୟାରେ ବ୍ରାହ୍ମଣ ସୃଷ୍ଟି କରି, ଭରତ, ଶତ୍ରୁଘ୍ନ ଓ ତାଙ୍କ ସହ ଯାଇଥିବା ଅନ୍ୟ ସୈନ୍ୟ, ସାମନ୍ତମାନଙ୍କୁ ଅନେକପ୍ରକାରର ଖାଦ୍ୟଦ୍ରବ୍ୟ ରନ୍ଧନ କରାଇ ପରଷି ଥିଲେ। ଏଣୁ, ଯେତେବେଳେ ଭରଦ୍ୱାଜ ମୁନି ମାୟାବ୍ରାହ୍ମଣ ସୃଷ୍ଟି କରି କ୍ଷଣକ ମଧ୍ୟରେ ନାନାବିଧ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରି ପାରୁଥିଲେ, ସେତେବେଳେ ଲକ୍ଷ୍ମୀ ମନ୍ତ୍ରଦ୍ୱାରା ପାକ ପ୍ରସ୍ତୁତ କରିବା କି ବା କଥା!

ଏଣୁ ବଳରାମ ଦାସଙ୍କ ଏ ଲକ୍ଷ୍ମୀ ଯେତିକି ଲୌକିକ, ସେତିକି ଅଲୌକିକ।
ତେବେ, ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ, ଯେ ଶ୍ରୀମନ୍ଦିରର ରୋଷବିଧିରେ ‘ବୈଷ୍ଣବାଗ୍ନି’ର ଉଲ୍ଲେଖ ଅଛି। ‘ସ୍କନ୍ଦପୁରାଣ’ ଅନୁସାରେ- ଜଗଦ୍ଧାତ୍ରୀ ଲକ୍ଷ୍ମୀଦେବୀ ସ୍ୱୟଂ ସୁସଂସ୍କୃତ ବୈଷ୍ଣବାଗ୍ନିରେ ପାକ କରନ୍ତି ଏବଂ ପ୍ରତିଦିନ ସ୍ୱୟଂ ଭଗବାନ ଚକ୍ରପାଣି ତାହା ଭୋଜନ କରନ୍ତି। ସମ୍ଭବତଃ ବଳରାମ ଦାସ ଏହାକୁ ଲକ୍ଷ୍ମୀଙ୍କର ‘ମନ୍ତ୍ରପାକ’ ବୋଲି କହିଛନ୍ତି। ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଯେଉଁ ଭୋଗନୈବେଦ୍ୟ ହୁଏ, ତାହାକୁ ‘ଅମୃତ ମଣୋହି’ କୁହାଯାଏ। ଏଣୁ ଏ ପ୍ରସଙ୍ଗରେ ‘ଅମୃତ ମଣୋହି’ର ଉଲ୍ଲେଖ ରହିଛି।

ଏ ସଂପର୍କରେ ପରିଶେଷରେ ଜଗନ୍ନାଥ କହିଥିବା କଥାଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ତାହା ହେଉଛି-
“ପୂର୍ବଜନ୍ମେ ଆମ୍ଭେ ପୁଣ୍ୟ କରିଥିଲୁ
ତେଣୁକରି ଅନ୍ନ ଆମ୍ଭେ ଏଠାରେ ପାଇଲୁ।”
-ଅସିତ ମହାନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe