ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ଅଧୀନ ସରକଣା ସେବା ସମବାୟ ସମିତିରେ ଆଜିଠାରୁ ଧାନକିଣା ଆରମ୍ଭ ହୋଇଛି। ହେଲେ ମଣ୍ଡିରେ କୁଇଣ୍ଟାଲ୍ ପିଛା ଧାନରେ ମିଲର୍ସ ଦେଢ଼ କିଲୋ ଧାନ କାଟିବାକୁ ନିଷ୍ପତ୍ତି ନେଇଛି। ଏଥିସହ ୮୦୦ଗ୍ରାମ ତଳକୁ ଧାନ ମିଲର୍ସ ଖାତାକୁ ଯିବ ଏବଂ ୮୦୦ ଉପରକୁ ୧ କିଲୋ ହିସାବ ହେବ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି। ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଚାଷୀଙ୍କଠାରୁ ଶାଗମାଛ ଦରରେ ଧାନ କିଣି ନିଜ ପାଖରେ ଗଚ୍ଛିତ ରଖିଥିବା ପଞ୍ଚାୟତର କିଛି ଅସାଧୁ ବ୍ୟବସାୟୀମାନଙ୍କୁ ସୁହାଇଲା ଭଳି ନିୟମ ନିର୍ଦ୍ଧାରଣ ହୋଇଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି। ଏହି ଅବସରରେ ଆେୟାଜିତ ସଭାରେ ସମିତି ସଂପାଦକ ସୋମନାଥ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଖୋର୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପ୍ରଶାନ୍ତ ଦାଶ, କେନ୍ଦ୍ର ବ୍ୟାଙ୍କ ସହକାରୀ ପରିଚାଳକ ବିଜୟ ମଙ୍ଗରାଜ, ଭୁବନେଶ୍ବର ସହକାରୀ ଯୋଗାଣ ଅଧିକାରୀ ପବିତ୍ର ପୃଷ୍ଟି, ସରକଣା ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ, ସମିତି ସଭ୍ୟ ପ୍ରଭାତ ଭୋଇ, ପୂରଣ ସରପଞ୍ଚ ଝିଲି ସ୍ବାଇଁଙ୍କ ସମେତ ଭୁବନେଶ୍ବର ଏଆର୍ସିଏସ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଧାନ କିଣା କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ପ୍ରତି ସପ୍ତାହର ବୁଧବାର ଓ ଶୁକ୍ରବାର ଧାନ କିଣାଯିବା ପାଇଁ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଚାଷୀଙ୍କ ସୁବିଧା ଦୃଷ୍ଟିରୁ ସୋମବାର ମଣ୍ଡି ଖୋଲିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବା ସଂପର୍କରେ ସୂଚନା ମିଳିଛି। ପ୍ରତି ପାଳିରେ ମଣ୍ଡିରୁ ସର୍ବାଧିକ ୧୦୦୦ କୁଇଣ୍ଟାଲ୍ ଧାନ ସଂଗ୍ରହ ନିଷ୍ପତ୍ତି ଜାରି ରହିଥିବା ସମିତି ସଭାପତି ଶ୍ରୀ ସ୍ବାଇଁ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us