The Economic Times
ଭୁବନେଶ୍ବର: ଆସନ୍ତା ୩ ତାରିଖରୁ ରାଜ୍ୟରେ ୧୫ରୁ ୧୮ବର୍ଷ ବୟସ ବର୍ଗର କିଶୋରମାନଙ୍କ ଟିକାକରଣ କରାଯିବ। ଏହି କ୍ରମରେ ରାଜଧାନୀରେ ଟିକାକରଣ ପାଇଁ ବିଏମ୍ସିର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ବୟସ ବର୍ଗରେ ରାଜଧାନୀରେ କେତେ କିଶୋର ଅଛନ୍ତି, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବିଏମ୍ସି ତଥ୍ୟ ମାଗିଛି।
ଏବେ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦେବା ପାଇଁ ୩୫ଟି ଟିକାକରଣ କେନ୍ଦ୍ର କରାଯାଇଛି। ପିଲାଙ୍କ ସଂଖ୍ୟାର ତଥ୍ୟ ଆସିବା ପରେ ତଦନୁସାରେ ଟିକାକରଣ କେନ୍ଦ୍ର ବଢ଼ାଯିବ। ସେହିପରି ବିଦ୍ୟାଳୟ ଯାଉନଥିବା ଏହି ବର୍ଗର ପିଲାଙ୍କୁ ବି ଟିକା ଦେବାକୁ ବି ବିଏମ୍ସି ଯୋଜନା କରିଛି। ମୋଟ୍ ଉପରେ ରାଜଧାନୀରେ ସର୍ବାଧିକ ୧ଲକ୍ଷ କିଶୋରଙ୍କୁ ଟିକା ଦିଆଯିବା ନେଇ ପ୍ରସ୍ତୁତି କରାଯାଇଥିବା ବିଏମ୍ସି ସୂଚନା ଦେଇଛି।
ଶନିବାରଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ୧୫ରୁ ୧୮ବୟସ ବର୍ଗର ଶିଶୁମାନେ ସ୍ଲଟ୍ ବୁକିଂ କରି ନିର୍ଦ୍ଧାରିତ ଟିକାକରଣ କେନ୍ଦ୍ରରେ ୩ ତାରିଖଠାରୁ ଟିକା ନେଇ ପାରିବେ। ଏହାଛଡ଼ା ‘ଅନ୍ ଦ ସ୍ପଟ୍’ ଟିକାକରଣର ବି ବ୍ୟବସ୍ଥା ରହିଛି। ଯେଉଁମାନେ ସ୍ଲଟ୍ ବୁକିଂ କରିପାରିବେ ନାହିଁ ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ଏହି ସୁବିଧା ନେଇପାରିବେ ବୋଲି ବିଏମ୍ସି ଜନସ୍ୱାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି।
ଶ୍ରୀ ମିଶ୍ରଙ୍କ ସୂଚନା ମୁତାବକ, ପ୍ରାଥମିକ ପର୍ଯ୍ୟାୟରେ ପୂର୍ବରୁ ପ୍ରସ୍ତୁତ ଥିବା ୩୫ ଟିକାକରଣ କେନ୍ଦ୍ରରେ ଶିଶୁମାନଙ୍କୁ ଟିକା ଦେବାକୁ ଯୋଜନା ହୋଇଛି। ଆବଶ୍ୟକ ପଡ଼ିଲେ, କେନ୍ଦ୍ର ସଂଖ୍ୟା ବଢ଼ାଯିବ। ତେବେ ସ୍କୁଲମାନଙ୍କରେ ସ୍ବତନ୍ତ୍ର ଶିବିର କରାଯାଇ ଶିଶୁମାନଙ୍କୁ ଟିକାକରଣ ପ୍ରସ୍ତାବ ଉପରେ ବିଚାରବିମର୍ଶ ଚାଲିଛି। ଯଦି ନିଷ୍ପତ୍ତି ନିଆଯାଏ, ତେବେ ୪ କିମ୍ବା ୫ଟି ସ୍କୁଲକୁ ନେଇ ଗୋଟିଏ କେନ୍ଦ୍ର କରାଯିବ। ସେଠାରେ ପିଲାମାନଙ୍କୁ ଟିକା ଦିଆଯିବ। ଏଭଳି ସମସ୍ତ ପିଲାଙ୍କୁ ଟିକା ଦେବା ପାଇଁ କେନ୍ଦ୍ରମାନ କରାଯିବ।
ସ୍କୁଲ ଓ କଲେଜ୍ରେ ହୋଇପାରେ ଶିବିର
ଗଣଶିକ୍ଷା ବିଭାଗରୁ ତଥ୍ୟ ଆସିବା ପରେ ବଢ଼ିବ ଟିକାକରଣ କେନ୍ଦ୍ର
ସେ ନେଇ ନିଷ୍ପତ୍ତି ହୋଇନଥିବାରୁ ପିଲାମାନେ ସ୍ଲଟ୍ ବୁକିଂ କରି ଟିକା ନେବାକୁ କୁହାଯାଇଛି। ନିକଟ ଅତୀତରେ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ଟିମ୍ ବୁଲି ସ୍କୁଲମାନଙ୍କରେ ଛାତ୍ରଛାତ୍ରୀମାନଙ୍କର କୋଭିଡ୍ ପରୀକ୍ଷା କରିଥିଲା। ଏଣୁ ଏକାଧିକ ସ୍ବତନ୍ତ୍ର ଟିମ୍ କରି ଶିବିରରେ ଟିକାକରଣ କରିବାରେ ସମସ୍ୟା ହେବ ନାହିଁ ବୋଲି ବିଏମ୍ସି ସୂଚନା ଦେଇଛି।
୩ ତାରିଖରୁ ଶିଶୁମାନଙ୍କର ଟିକାକରଣ ଯୋଜନା ଥିବା ବେଳେ ୧୦ ତାରିଖରୁ ସମ୍ମୁଖ ଯୋଦ୍ଧା, ସ୍ବାସ୍ଥ୍ୟସେବାରେ ଥିବା କର୍ମଚାରୀ, ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ। ଯେଉଁମାନେ ପଞ୍ଚାୟତ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି, ସେମାନଙ୍କୁ ମଧ୍ୟ ବୁଷ୍ଟର୍ ଡୋଜ୍ ଦିଆଯିବାକୁ ଯୋଜନା ରହିଛି। ସ୍ଲଟ୍ ବୁକିଂ ସହ ଟିକାକରଣ କେନ୍ଦ୍ରରେ ସିଧାସଳଖ ଟିକା ଦେବା ପାଇଁ ବ୍ୟବସ୍ଥା ରହିଛି। ଏଣୁ ଟିକାକରଣ କେନ୍ଦ୍ରରେ ଗହଳି କିମ୍ବା ବିଶୃଙ୍ଖଳା ନେଇ ଆଶଙ୍କା ରହିଛି। ତେବେ ବିଏମ୍ସି ଏଥିପାଇଁ ଶୃଙ୍ଖଳିତ ବ୍ୟବସ୍ଥା କରିଛି।
ଗୁରୁବାର ଏନେଇ ବିଏମ୍ସି କମିସନର ସଞ୍ଜୟ ସିଂହ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିବା ବେଳେ ଆଜି ବିଭିନ୍ନ ଟିକାକରଣ କେନ୍ଦ୍ରର ସ୍ଥତି ବୁଲି ଦେଖିଛନ୍ତି। ପ୍ରାଥମିକତା ଭିତ୍ତିରେ ଶିଶୁମାନଙ୍କୁ ସକାଳୁ ଅପରାହ୍ଣ ଗୋଟାଏ ଭିତରେ ଟିକା ଦେବାକୁ ଯୋଜନା କରାଯାଇଛି। ବୁଷ୍ଟର୍ ଡୋଜ୍ ପାଇଁ ଅପରାହ୍ଣକୁ ସମୟ ରଖାଯାଇଛି।
ଗୋଟିଏ ମାସ ମଧ୍ୟରେ ଶିଶୁମାନଙ୍କୁ ପ୍ରଥମ ଡୋଜ୍ ଦିଆଯିବାକୁ ଯୋଜନା ଥିବା ସୂଚନା ଦେଇଛି ବିଏମ୍ସି। ଦ୍ବିତୀୟ ଡୋଜ୍ ନେବାର ୯ ମାସ ପରେ ଏହି ବୁଷ୍ଟର୍ ଡୋଜ୍ ଦିଆଯାଉଛି। ଦ୍ବିତୀୟ ଡୋଜ୍ର ପ୍ରମାଣପତ୍ର ଓ ଆଧାରକାର୍ଡ ଧରି ପୂର୍ବରୁ ଟିକା ନେଇଥିବା କେନ୍ଦ୍ରରେ ପହଞ୍ଚିଲେ ଏହି ବୁଷ୍ଟର ଡୋଜ୍ ଦିଆଯିବ। ୯ ମାସ ହୋଇନଥିଲେ ସେମାନେ ବୁଷ୍ଟର ଡୋଜ୍ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।
Follow Us