କଣ୍ଟ ପୂରିଲା, ହୋଇପାରିଲାନି ଶତପ୍ରତିଶତ ବିଜୁଳି ସଂଯୋଗ

Advertisment
କଣ୍ଟ ପୂରିଲା, ହୋଇପାରିଲାନି ଶତପ୍ରତିଶତ ବିଜୁଳି ସଂଯୋଗ

ଭୁବନେଶ୍ବର : ୧୫ ତାରିଖରେ ସାରା ଭୁବନେଶ୍ବରରେ ପହଞ୍ଚିବ ବିଜୁଳି ସଂଯୋଗ। ଏଭଳି ଘୋଷଣା କରିଥିଲା ସେସୁ। ଆଜି ଏହି କଣ୍ଟ ପୂରିଛି। ହେଲେ ଶତ ପ୍ରତିଶତ ବିଜୁଳି ପହଞ୍ଚି ପାରିନାହିଁ। ଏହି ତାରିଖକୁ ମିଶାଇ ଧାର୍ଯ୍ୟ ହୋଇଥିବା ୫ଟି ତାରିଖରେ ଶତପ୍ରତିଶତ ବିଜୁଳି ଦେବାପାଇଁ ସେସୁ ଫେଲ୍‌ ମାରିଛି। ତେବେ ଆଜି ସୁଦ୍ଧା ବିସିଡିଡି-୧ ଅଧୀନରେ ଶତପ୍ରତିଶତ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆ ସରିଥିବା ବେଳେ ବିସିଡିଡି-୨ର ୮୧ ପ୍ରତିଶତ ଓ ବିଇଡିର ୮୫ ପ୍ରତିଶତ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆ‌ଯାଇଥିବା ସେସୁ ଦାବି କରିଛି। କିନ୍ତୁ କେବେ ଭୁବନେଶ୍ବରକୁ ଶତ ପ୍ରତିଶତ ବିଜୁଳି ସଂଯୋଗ ହେବ ସେଥିପାଇଁ ଆଉ ନୂଆ କଣ୍ଟ ଧାର୍ଯ୍ୟ କରିନାହିଁ।

ସେସୁକୁ ନୂଆ ଟେନ୍‌ସନ୍‌: ଫନି ପରେ ପ୍ରଭାବିତଙ୍କୁ ନାନା ସମସ୍ୟା ରହିଥିଲେ ମଧ୍ୟ ବିଜୁଳି ସଂଯୋଗ ଉପରେ ସମସ୍ତଙ୍କର ନଜର ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ମଧ୍ୟ ଚାଲିଛି। କିନ୍ତୁ ସେସୁକୁ ଏବେ ନୂଆ ଟେନ୍‌ସନ୍‌ ଆସିଛି। କାମ ବେଳେ ଛୋଟ ହେଉ କି ବଡ଼, ଲଗାତାର ଦୁର୍ଘଟଣା ଘଟୁଛି। ପରିଚାଳନାଗତ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟୁଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ମୋବାଇଲ ଫୋନ୍‌ ନେଟ୍‌ୱର୍କ ଡାଉନ୍‌ ଥିବାରୁ ଯୋଗାଯୋଗକୁ ଆଳ କରି ଅଧିକାରୀ ଖସି ଯାଉଥିଲେ। ହେଲେ ସେ ସମସ୍ୟା ଏବେ ନାହିଁ। କିନ୍ତୁ ଦୁର୍ଘଟଣା କମୁନାହିଁ। ଆଜି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଆହତ ହୋଇଛନ୍ତି। ଏହାକୁ ରୋକିବା ପାଇଁ ତନାଘନା ହୋଇଛି। ଆଜି ନିୟନ୍ତ୍ରଣ କକ୍ଷରେ ଅଧିକାରୀ ମାନଙ୍କର ରୁଦ୍ଧଦ୍ବାର ବୈଠକ ବସିଛି। ଆଜିର ଅଘଟଣରେ ଦୋଷୀ ଅଧିକାରୀ ବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୋଜନା ହୋଇଥିବା ବେଳେ ଆଗକୁ ଦୁର୍ଘଟଣା ନ ଘଟିବା ଉପରେ କଡ଼ା ନଜର ଦେବା ପାଇଁ ଆଲୋଚନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe