ଆଇନ ଭାଙ୍ଗିଲେ ୧୦ ଗୁଣ ତଣ୍ଡ ହେ‌ଲେ ଚେତା ପଶିଲା ନାହିଁ, ଆଉ କେବେ ଚେତିବେ?

Advertisment
ଆଇନ ଭାଙ୍ଗିଲେ ୧୦ ଗୁଣ ତଣ୍ଡ ହେ‌ଲେ ଚେତା ପଶିଲା ନାହିଁ,  ଆଉ କେବେ ଚେତିବେ?

ଭୁବନେଶ୍ବର: କଡ଼ା ଆଇନ ହେଲା। ଆଇନ ଭାଙ୍ଗିଲେ ୧୦ ଗୁଣ ତଣ୍ଡ ଗଣିବାକୁ ପଡ଼ିଲା। ଧରପଗଡ଼ ଛାଟ ଅନେକ ଅମାନିଆଙ୍କୁ ସାବାଡ୍‌ ବି କଲା। ଅଥଚ ଚେତା ପଶିଲା ନାହିଁ। ମୁଖ୍ୟମନ୍ତ୍ରୀ କୋହଳ କରିଦେଲେନି ଯେ ଅମାନିଆଙ୍କୁ ଦୁଷ୍ଟାମି କରିବାକୁ ୩ ମାସ ମହଲତ ଦେଇଦେଲେ। କୌତୂହଳର ବିଷୟ ଏହି ଯେ କିଛି ଦିନ ତଳେ ଅବୋଧ ପଣରେ ହେଉ ପଛେ ଏକ ମଇଁଷି ପଲ ଜାଭିୟର ଛକ ପାର୍‌ ହେବା ପୂର୍ବରୁ ଜେବ୍ରା କ୍ରସିଂ ପୂର୍ବରୁ ଅଟକି ଯାଇଥିଲେ। ମାତ୍ର କିଛି ମଣିଷ ଏବେ ବି ଧରିନେଇଛନ୍ତି ସେମାନେ ଏଇ ୩ମାସ ନିୟମ ଭାଙ୍ଗିବେ। ସୋସିଆଲ୍‌ ‌ମିଡିଆରେ ଘୂରି ବୁଲୁଥିବା ମଇଁଷିମାନଙ୍କ ଏହି ଶୃଙ୍ଖଳିତ ଫଟୋଟି ଅନ୍ତତଃ ଅମାନିଆମାନେ ଥରେ ଆଖି ପୂରେଇ ଦେଖିନେବା ଉଚିତ୍‌ ହେବ। ଏକଥା ଆମେ କହୁନାହୁଁ, ସୋସିଆଲ୍‌ ମିଡିଆରେ ଅନେକ ସଚେତନ ନାଗରିକଙ୍କ କମେଣ୍ଟ୍‌ ତଥା ମତ ଏହା ବଖାଣୁଛି।

ସୋସିଆଲ୍‌ ମିଡିଆରେ ଏହି ଘଟଣା ରେଖାପାତ କରିବା ପରେ ବାସ୍ତବିକତା ପରଖିବାକୁ ଆମେ ପହଞ୍ଚିଥିଲୁ ଓୟୁଏଟି ବିଶ୍ବବିଦ୍ୟାଳୟ ଛକରେ। ପାଖାପାଖି ୪୫ ମିନିଟ୍‌ ବିତାଇଲୁ। ଖରାବେଳ ସମୟ। କୌଣସି ଟ୍ରାଫିକ୍‌ ପୁଲିସ୍‌ ନଥାଆନ୍ତି। ଟ୍ରାଫିକ୍‌ର ୩ ରଙ୍ଗିଆ ଲାଇଟ୍‌ ଯାହା ‘ଅଟକିବାକୁ-ପ୍ରସ୍ତୁତ ହେବାକୁ-ଯିବାକୁ’ ଚେତାଇ ଦେଉଥିଲା। ମାତ୍ର ଏସବୁ ଯେମିତି ଅନେକ ମାନିବାକୁ ପ୍ରସ୍ତୁତ ନଥିଲେ। କେହିକେହି ଜେବ୍ରା କ୍ରସିଂ ଅତିକ୍ରମ କରି ଟ୍ରାଫିକ୍‌ ପୋଷ୍ଟ୍‌ ପାଖକୁ ଚାଲି ଯାଉଥିଲେ। ଆଉ କେହିକେହି ମଉକା ଦେଖି ବିନା ସ‌ଙ୍କେତରେ ଗାଡ଼ି ଷ୍ଟାର୍ଟ କରି ଫୁର୍‌କିନା ଉଡ଼ିଯାଉଥିଲେ। ସେଇଠୁ ଯାଇ ପହଞ୍ଚିଥିଲୁ ଗଙ୍ଗନଗର ଟ୍ରାଫିକ୍‌ ଛକରେ। ଛକ ସଂଲଗ୍ନ ବଡ଼ ବଜାର ଥିବାରୁ ଏ ଅଞ୍ଚଳରେ ଜନଗହଳି ଲାଗି ରହିଥିଲା। ମାତ୍ର ନା ଏଠି ଟ୍ରାଫିକ୍‌ ଥିଲେ ନା ଟ୍ରାଫିକ୍‌ ନିୟମ ମାନିବାକୁ (କିଛି) ଲୋକେ ପ୍ରସ୍ତୁତ ଥିଲେ। ଏଠିକାର ଅବ୍ୟବସ୍ଥିତ ଦୃଶ୍ୟ ବୟାନ କରୁଥିଲା ଯେମିତି ଏଇ ନିକଟରେ ଟ୍ରାଫିକ୍‌ କଟକଣାକୁ ନେଇ ବଡ଼ଧରଣର ସେମିତି କିଛି ଘଟିନାହିଁ। ଜେବ୍ରା କ୍ରସିଂ ମାନିବାକୁ ଯେମିତି କେହି ପ୍ରସ୍ତୁତ ନଥିଲେ। ନାଲି ଲାଇଟ୍‌ ଅନେକଙ୍କ ଉପରେ ଫରକ ପକାଉନଥିଲା। ନାଲି ଲାଇଟ୍‌ ଜଳି ରହିବାକୁ ସଙ୍କେତ ଆସୁଥିଲେ ବି ଗାଡ଼ିରେ ବ୍ରେକ୍‌ ଲାଗୁନଥିଲା। ଯଦି କେହି ଜଣେ ସଚେତନ ନାଗରିକ ଅଟକି ଯାଉଥିଲା, ତେବେ ଯାଇ ଅନ୍ୟମାନେ ତା ପଛକୁ ବାଧ୍ୟ ବାଧକତାରେ ଅଟକୁ ଥିଲେ। ଅନେକ ଅଟକି ରହିଥିଲେ ମଧ୍ୟ କିଛି ବ୍ୟକ୍ତି ପଛରୁ ଆସି ସଙ୍କେତକୁ ଖାତିର୍‌ ନକରି ଗାଡ଼ିର ସ୍ପିଡ୍‌ ବଢ଼େଇ ଛକ ପାର୍‌ ହୋଇ ଚାଲିଯାଉଥିଲେ।

ଭୁଲ୍‌ ରୁଟ୍‌ରେ ଗାଡ଼ି ଚଳାଇବା, ହେଲ୍‌ମେଟ୍‌ ନପିନ୍ଧିବା, ୨ ଜଣରୁ ଅଧିକ ବସି ବାଇକ୍‌ ଚଳାଉଥିବା ଲୋକଙ୍କ ସଂଖ୍ୟା ଯେତିକି ଦୃଷ୍ଟିରେ ପଡ଼ିଲା, ଧରପଗଡ଼ ଚାଲିଥିଲେ ହୁଏତ ପୁଲିସ୍‌ ହାବୁଡ଼ରେ ପଡ଼ି ତଣ୍ଡ ଗଣିବା ପର୍ଯ୍ୟନ୍ତ ସେମାନଙ୍କୁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଥାନ୍ତା। କୋହଳର ସୁଯୋଗ ନେଇ ଖୋଲାଖୋଲି ନିୟମ ଭାଙ୍ଗି ଚାଲି ଯାଉଥିବା ଲୋକେ ଅନ୍ତତଃ ମନେ ରଖିବା ଉଚିତ୍‌ ହେବ ଯେ ସେଠି ହୁଏତ ଟ୍ରାଫିକ୍ ପୁଲିସ୍‌ ନଥିଲେ, ହେଲେ ସେମାନଙ୍କ ଆଇନ୍‌ ଭାଙ୍ଗିବାର ଗୋଟିଗୋଟି ଅପରାଧକୁ ସିସିଟିଭି କଏଦ କରିନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe