ଭୁବନେଶ୍ବର: ବାପା ଓ ମା'ଙ୍କ ବିରୋଧରେ ୧୦ ବର୍ଷ ବୟସର ନାବାଳିକା ସାଙ୍ଘାତିକ ଅଭିଯୋଗ ଆଣିଛି। ରାଜଧାନୀ ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ଅଞ୍ଚଳରେ ନାବାଳିକାର ହାତ-ଗୋଡ଼ରେ ବେଡ଼ି ପକାଇ ଭିକ ମାଗିବାକୁ ବାପା-ମା’ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ତେବେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନନ୍ଦନକାନନ ପୁଲିସ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପରେ ଏହି ସମ୍ବେଦନଶୀଳ ଘଟଣାକୁ ଚାଇଲ୍ଡଲାଇନ୍ ଗୁରୁତ୍ବର ସହ ନେଇଛି।
ଚାଇଲ୍ଡଲାଇନ୍ର ନିର୍ଦ୍ଦେଶକ ଡ. ବେଣୁଧର ସେନାପତି କହିଛନ୍ତି, ନନ୍ଦନକାନନ ଅଞ୍ଚଳରେ ଜଣେ ୧୦ ବର୍ଷର ଝିଅକୁ ତାର ହାତ-ଗୋଡ଼ରେ ବେଡି ପକାଇ ବାପା-ମା ଭିକ୍ଷାବୃତ୍ତି କରିବାକୁ ବାଧ୍ୟ କରିଥିବା ନଜରକୁ ଆସିଛି। ଭିକ୍ଷା ମାଗୁଥିବା ସମୟରେ ନନ୍ଦନକାନନ ପୁଲିସ ଦ୍ବାରା ଉଦ୍ଧାର କରାଯିବା ପରେ ନାବାଳିକା କହିଛି ଯେ, ତା’ର ବାପା-ମା’ ତାକୁ ହାତଗୋଡ଼ ବାନ୍ଧି ନିର୍ଯାତନା ଦେଉଥିଲେ। ଜୁଭେନାଇଲ ଜଷ୍ଟିସ ଆକ୍ଟ ଅଧୀନରେ ମାମଲା ରୁଜୁ ହୋଇଛି। ଭିକ୍ଷାବୃତ୍ତିରେ ନିୟୋଜିତ କରିବା ଏକ ଜଘନ୍ୟ ଅପରାଧ। ତେଣୁ ଏଭଳି ମାମଲାରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୧ ଲକ୍ଷ ଜରିମାନା ହୋଇପାରେ। ଏପରି ଘଟଣା କାହିଁକି ଘଟିଲା, କେଉଁ ପରିସ୍ଥିତିରେ ବାପା-ମା ନିର୍ଯାତନା ଦେଉଥିଲେ। ଘଟଣାର ତଦନ୍ତ ପରେ ବିସ୍ତୃତ ବିବରଣୀ ଜଣାପଡ଼ିବ ବୋଲି ଡକ୍ଟର ସେନାପତି କହିଛନ୍ତି।
Follow Us