ରାସ୍ତାକଡ଼ରେ ମଳତ୍ୟାଗ କରାଇଲେ୧୦ ହଜାର

Advertisment

ପୋଷା କୁକୁରଙ୍କ ପାଇଁ ବିଏମ୍‌ସିର ମାର୍ଗଦର୍ଶିକା, କର୍ପୋରେସନ ବୈଠକରେ ଗୃହୀତ ହେବ

ପୋଷା କୁକୁରଙ୍କ ପାଇଁ ବିଏମ୍‌ସିର ମାର୍ଗଦର୍ଶିକା, କର୍ପୋରେସନ ବୈଠକରେ ଗୃହୀତ ହେବ

ରାସ୍ତାକଡ଼ରେ ମଳତ୍ୟାଗ କରାଇଲେ୧୦ ହଜାର

representetational immge- Times of India

ଭୁବନେଶ୍ୱର: ପୋଷା କୁକୁରଙ୍କ ଲାଗି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଅଣାଯିବାକୁ ଥିବା ମାର୍ଗଦର୍ଶିକା ଚୂଡ଼ାନ୍ତ ରୂପ ନେବାକୁ ଯାଉଛି। ଚିଠା ପ୍ରସ୍ତାବ ଉପରେ କର୍ପୋରେଟର୍‌ଙ୍କଠାରୁ ମଗାଯାଇଥିବା ଆପତ୍ତି ଓ ପରାମର୍ଶଗୁଡ଼ିକ ଆସିବା ପରେ ବିଏମ୍‌ସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ସ୍ବତନ୍ତ୍ର ବୈଠକରେ ଆଲୋଚନା ହୋଇଛି। ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ୫୩ଟି ଆପତ୍ତି ଓ ପରାମର୍ଶ ଉପରେ ତର୍ଜମା କରାଯିବା ପରେ ଦୁଇଟି ନିୟମକୁ ବଦଳାଯାଇଛି। କୁକୁରଙ୍କ ପାଇଁ ଇନ୍‌ସ୍ୟୁରାନ୍ସ ବ୍ୟବସ୍ଥା କରିବାକୁ ସ୍ଥିର ହୋଇଛି। ଏଥିସହ ଜଣେ ମାଲିକ ଚାହିଁଲେ ଦୁଇରୁ ଅଧିକ କୁକୁର ରଖିପାରିବେ। ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଥିବାରୁ ଆସନ୍ତା କର୍ପୋରେସନ ବୈଠକରେ ଏହି ମାର୍ଗଦର୍ଶିକା ଗୃହୀତ ହେବ ବୋଲି ଜଣାପଡ଼ିଛି।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏଣିକି ରାଜଧାନୀ ରାସ୍ତା କଡ଼ରେ ଝାଡ଼ା ଫେରିପାରିବେନି ପୋଷା କୁକୁର। ଯଦି କୌଣସି ମାଲିକ ତାଙ୍କ କୁକୁରଙ୍କୁ ଏଭଳି କାର୍ଯ୍ୟ କରାଉଥିବାର ନଜର ଆସନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କୁକୁର ପୋଷୁଥିବା ବ୍ୟକ୍ତିମାନେ କିପରି ପଞ୍ଜୀକରଣ କରିବେ, ସେମାନଙ୍କ ରହିବା ସ୍ଥାନ, ବ୍ୟବସ୍ଥା, ସ୍ୱାସ୍ଥ୍ୟ ରକ୍ଷା, କୁକୁର ମରିଯିବା ପରେ ତାହାର ଉପଯୁକ୍ତ ସତ୍କାର(ଏଣେତେଣେ ଫିଙ୍ଗି ନଦେଇ ନିର୍ଦ୍ଧାରିତ ସ୍ଥାନରେ ନିୟମ ଅନୁଯାୟୀ ପୋତିବା), କୁକୁରଟିକୁ ରୋଗ ହୋଇଗଲେ କିମ୍ବା ବୟସ୍କ ହେଲେ ତାକୁ ମାଲିକ ବାହାରକୁ ନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। କୁକୁରଙ୍କ ସମ୍ପର୍କରେ କୌଣସି ପ୍ରକାରର ଅନୁସନ୍ଧାନ ବା ସମୀକ୍ଷା ନିମନ୍ତେ ବିଏମ୍‌ସି ଅଧିକାରୀମାନେ ନିର୍ଦ୍ଧିଷ୍ଟ ମାଲିକଙ୍କ ଘରକୁ ଯାଇ ପଚରାଉଚରା କରିପାରିବେ। କୁକରଙ୍କ ପଞ୍ଜୀକରଣଠାରୁ ଉପଯୁକ୍ତ ନିୟନ୍ତ୍ରଣ ବାବଦରେ ବିଏମ୍‌ସି ପକ୍ଷରୁ ଜାରି ହେବାକୁ ଥିବା ଲିଖିତ ନିର୍ଦ୍ଦେଶାବଳୀକୁ ମାନିବେ ସହରବାସୀ। ଯିଏ ନ ମାନିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ସ୍ଥଳେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

ବିଏମ୍‌ସି ପକ୍ଷରୁ ଜାରି ହେବାକୁ ଥିବା ମାର୍ଗଦର୍ଶିକାରେ ପଞ୍ଜୀକରଣ ବାବଦ ଦେୟ ବାର୍ଷିକ ୫୦୦ ଟଙ୍କା ରଖାଯାଇଛି। ପଞ୍ଜୀକରଣର ବିଭିନ୍ନ ନିୟମ, ଯେପରିକି ପୁନଃପଞ୍ଜୀକରଣ, କକୁର ଟ୍ୟାଗ୍‌ ଓ ପୋଷା କୁକୁରର ନିର୍ଦ୍ଦିଷ୍ଟ ସାବଧାନତା, ବେକରେ ଫିତା, ଶିକୁଳି ଆଦି ରଖିବା, ବିନା ଟ୍ୟାଗ୍‌ରେ କୁକୁରକୁ ବାହାରକୁ ନ ଆଣିବା, ରାସ୍ତାରେ କୁକୁରକୁ ଝାଡା ନ ଫେରାଇବା ଆଦି ବାବଦରେ ମାର୍ଗଦର୍ଶିକାରେ ସ୍ପଷ୍ଟ ହୋଇଛି। ଏଥିସହ ଖେଳକୁଦରେ କୁକୁରଙ୍କୁ ସାମିଲ କରିବା, ବ୍ୟବସାୟିକ ଉଦ୍ଦେଶ୍ୟରେ କୁକୁରଙ୍କୁ ରଖିବାର ସ୍ୱତନ୍ତ୍ର ବିଧି ଓ ପାଗଳ କୁକୁରଙ୍କ ନିୟନ୍ତ୍ରଣ ବାବଦରେ ମାଲିକଙ୍କ କର୍ତ୍ତବ୍ୟ କଣ ରହିବ ସେନେଇ ମଧ୍ୟ ଏଥିରେ ଉଲ୍ଲେଖ ହୋଇଛି। ନିୟମ ନ ମାନିଲେ, ମାଲିକଙ୍କୁ କେଉଁ ପ୍ରକାର ଆଇନର ସମ୍ମୁଖୀନ ହେବାକୁ ପଡ଼ିବ ସେନେଇ କର୍ପୋରେଟରମାନେ ପ୍ରଶ୍ନ ଉଠାଇଥିଲେ। ମାର୍ଗଦର୍ଶିକାକୁ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଓ କୁକୁର ସ୍ନେହୀମାନଙ୍କୁ ସମ୍ମାନ ଦେଇ ଲାଗୁ କରିବାକୁ କହିଥିଲେ। ବୁଲା କୁକୁରମାନେ ରାସ୍ତା ଉପରେ ଝାଡ଼ା ଫେରିବା ସ୍ୱାଭାବିକ। ଅଳିଆ ସହ ଏହାକୁ ମଧ୍ୟ ନିୟମିତ ସଫା କରିବା ଦରକାର ବୋଲି କର୍ପୋରେଟରମାନେ ମତ ଦେଇଥିଲେ।

ମେୟର ଶ୍ରୀମତୀ ଦାସ କହିଛନ୍ତି ଯେ ଭୁବନେଶ୍ୱରରେ ଦିନକୁ ଦିନ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତାହାର ସମାଧାନ ଲାଗି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କୁକୁରଙ୍କ ଲାଗି ଉପୁଜୁଥିବା ସମସ୍ୟାର ସମାଧାନ ନିମନ୍ତେ ଚେଷ୍ଟା ଜାରି ରହିଛି। ପୌର ଆଇନ ଧାରା ୪୦୯(ଖ) ଓ ୫୪୩(ଖ) ଅନୁଯାୟୀ କୌଣସି ବ୍ୟକ୍ତି କୁକୁର ପାଳିଲେ ତାଙ୍କୁ ବିଭିନ୍ନ ନିୟମ ମାନିବାକୁ ହେବ। ଛୁଆ ଜନ୍ମ, ଟିକାକରଣ, ବନ୍ଧ୍ୟାକରଣ, ଲାଇସେନ୍ସ୍‌ ଆଦି କରିବାକୁ ପଡ଼ିବ। ଏସମ୍ପର୍କରେ କର୍ପୋରେଟରମାନଙ୍କ ସହ ବିଶଦ ଆଲୋଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe