ସମ୍ବାଦ ସାହିତ୍ୟଘର, ଓୟୁଏଟି ଓ ସତ୍ୟସାଇ ସେବା ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ: ୩ଏକର ଜମିରେ ଲାଗିଲା ୧୧ଶହ ଗଛ

Advertisment
ସମ୍ବାଦ ସାହିତ୍ୟଘର, ଓୟୁଏଟି ଓ ସତ୍ୟସାଇ ସେବା ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ: ୩ଏକର ଜମିରେ ଲାଗିଲା ୧୧ଶହ ଗଛ

ଭୁବନେଶ୍ୱର: ସମ୍ବାଦ ସହିତ୍ୟଘର, ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି) ଏବଂ ଶ୍ରୀସତ୍ୟସାଇ ସେବା ଟ୍ରଷ୍ଟର ମିଳିତ ସହଯୋଗରେ ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡ ପଛ ପାଖରେ ଥିବା ଓୟୁଏଟି ଜୈବ ବିବିଧତା ଉଦ୍ୟାନର ୩ ଏକର ଜମିରେ ଆଜି ପ୍ରାୟ ୧୧ ଶହ ଗଛ ଲଗାଯାଇଛି। ଏଥିରେ ରୁଦ୍ରାକ୍ଷ, ଅଶୋକ, ରିଠା, ନିମ୍ବ, ଅଣଫଣା, ମେଧା, ଡାଲଚିନ୍, ଅଗସ୍ତି, ସମି, କୁମ୍‌କୁମ୍, ବଉଳ, ଚମ୍ପା ଭଳି ୨୨ ପ୍ରକାର ଚାରାରୋପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ବ୍ୟାପକ ବୃକ୍ଷରୋପଣ କରିବାକୁ ଆହ୍ୱାନ ଦେଇଥିଲେ। ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉତ ଯୋଗଦେଇ କହିଲେ ଓୟୁଏଟି ପକ୍ଷରୁ ପ୍ରତ୍ୟେକ ବର୍ଷ ବୃକ୍ଷରୋପଣ କରାଯାଉଛି। ଚଳିତ ବର୍ଷ ଓ ଆଗାମୀ ବର୍ଷରେ ୨୧ ଏକର ଜମିରେ ବୃକ୍ଷରୋପଣ କରାଯିବ ବୋଲି କହିଥିଲେ। ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ସାହିତ୍ୟଘର ପକ୍ଷରୁ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ଲକ୍ଷାଧିକ ବୃକ୍ଷରୋପଣ କରାଯାଉଥିବା ସୂଚନା ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଶ୍ରୀସତ୍ୟସାଇ ସେବା ଟ୍ରଷ୍ଟ ଓଡ଼ିଶାର ସମ୍ପାଦକ ସୁଶାନ୍ତ ପଟ୍ଟନାୟକ କହିଲେ ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ସାରା ଓଡ଼ିଶାରେ ୫ ଲକ୍ଷ ଓ ଆସନ୍ତା ୩ ବର୍ଷ ଭିତରେ ୧୦ ଲକ୍ଷ ବୃକ୍ଷରୋପଣ କରାଯିବ ବୋଲି ଯୋଜନା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଓୟୁଏଟି ବନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବାମା ଶଙ୍କର ରଥ, ‘ଆମ ଓଡ଼ିଶା’ର ସମ୍ପାଦକ ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଓୟୁଏଟି କୃଷି ବନୀକରଣ ବିଭାଗର ମୁଖ୍ୟ ଡ. ନିରାକାର ଭୋଳ, ସହକାରୀ ପ୍ରଫେସର ମାନସ କୁମାର ନାୟକ, ସୌରଭ କୁମାର ମହାନ୍ତି, ସତ୍ୟସାଇ ସେବା ଟ୍ରଷ୍ଟର ପ୍ରତାପ ପଣ୍ଡା, ଦିଗାମ୍ବର ଆଚାର୍ଯ୍ୟ, ଉମା ସୁବୁଦ୍ଧି, ରଜନୀକାନ୍ତ ଦାସଙ୍କ ସମେତ ଓୟୁଏଟିର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ। ‘ସମ୍ବାଦ’ ପ୍ରତିନିଧି ଗାର୍ଗୀ ଶତପଥୀ, ସୋମନାଥ ପରିଡ଼ା, ହରପ୍ରିୟା ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe