oneindia.com
ଭୁବନେଶ୍ବର: ଅନ୍ଲାଇନ୍ରେ ହେଉଛି ଅଭିଯୋଗ ଶୁଣାଣି। ୩୦ମାସ ଭିତରେ ବିଏମ୍ସିରେ ୧୧୬୩୪ଜଣ ଅଭିଯୋଗ କରିଛନ୍ତି। ଏଥିରୁ ବିଏମ୍ସି ୧୦,୭୭୪ ଅଭିଯୋଗର ସମାଧାନ କରିଥିବା ବେଳେ ଆହୁରି ୮୬୦ଲୋକଙ୍କର ଅଭିଯୋଗର ଶୁଣାଣି ହୋଇପାରିନି। ଏଥିରୁ ଅଧିକାଂଶ ଲୋକ ‘ଭୁବନେଶ୍ବର ମି’ ୱେବ ପୋର୍ଟାଲ ଓ ମୋବାଇଲ୍ ଆପ୍ ମାଧ୍ୟମରେ ଅଭିଯୋଗ କରିଥିବା ବେଳେ ବହୁ ଲୋକ ବିଏମ୍ସିର ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୦୦୬୧ରେ ଫୋନ୍ କରି ଅଭିଯୋଗ କରିଥିଲେ। ବିଏମ୍ସି କର୍ତ୍ତୃପକ୍ଷ ୱାର୍ଡ ଅଫିସରଙ୍କ ମାଧ୍ୟମରେ ୱାର୍ଡ ସ୍ତରରେ ଏହାର ସମାଧାନ କରୁଛନ୍ତି ବୋଲି କହିଛନ୍ତି।
ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି ଯେ ଲୋକମାନେ ‘ଭୁବନେଶ୍ବର ମି’ ଆପ୍ କିମ୍ବା ୱେବସାଇଟ୍ରେ ଅଭିଯୋଗ କଲେ ସେମାନଙ୍କ ମୋବାଇଲ୍ ନମ୍ବର ଦେଉଛନ୍ତି। ଏହି ମୋବାଇଲ୍ ନମ୍ବରରେ ମେସେଜ୍ ପଠାଇ ଅଭିଯୋଗକାରୀଙ୍କୁ ସେମାନଙ୍କ ଅଭିଯୋଗ ନେଇ କ’ଣ ପଦକ୍ଷେପ ନିଆଯାଉଛି ତା’ର ସୂଚନା ଦିଆଯାଉଛି। ଧାର୍ଯ୍ୟ ସମୟ ଭିତରେ ସବୁ ଅଭିଯୋଗର ସମାଧାନ କରାଯାଉଛି। ବର୍ଷତମାମ୍ ୨୪ଘଣ୍ଟିଆ ଅଭିଯୋଗ ଗ୍ରହଣ ଓ ସମାଧାନ ନେଇ ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଲୋକମାନେ ମୁଖ୍ୟତଃ ଷ୍ଟ୍ରିଟ ଲାଇଟ୍ ନଜଳିବା,ଅଳିଆ ନଉଠିବା ଭଳି ଅଭିଯୋଗ ଅଧିକ କରୁଛନ୍ତି। ଏହାବ୍ୟତୀତ ବିଭିନ୍ନ ପ୍ରକାରର ନିର୍ମାଣ, ରାସ୍ତା, ପ୍ଲାନିଂ, ନାଗରିକ ସେବା, ହୋଲଡିଂ ଟିକସ ଆଦିକୁ ନେଇ ଅଭିଯୋଗ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଅଗଷ୍ଟ, ୨୦୧୮ରୁ ବିଏମ୍ସି ‘ଭୁବନେଶ୍ବର ମି’ ପୋର୍ଟାଲ ଓ ମୋବାଇଲ୍ ଆପ୍ ମାଧ୍ୟମରେ ଅଭିଯୋଗ ଗ୍ରହଣ କରୁଛି।
Follow Us