ଚନ୍ଦ୍ରଶେଖରପୁର: ମେଟ୍ରୋ ପ୍ରକଳ୍ପ ପାଇଁ ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଫୁଟ୍ପାଥ ତଡ଼ାଯିବା ଘଟଣାକୁ ପୂର୍ତ୍ତ ବିଭାଗ ଗୁରୁତ୍ବର ସହ ନେଇଛି। ପୂର୍ବରୁ ୱାଟ୍କୋ ଯେଉଁ ଭୁଲ୍ କରିଥିଲା ତାହାକୁ ମେଟ୍ରୋ ପ୍ରକଳ୍ପ କାମ କରୁଥିବା ସଂସ୍ଥା ଦୋହରାଇଛି। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପୂର୍ତ୍ତ ବିଭାଗ ତତ୍ପରତା ପ୍ରକାଶ କରିବା ସହ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ତେଣୁ ମେଟ୍ରୋ ପ୍ରକଳ୍ପ କାମ କରୁଥିବା ସଂସ୍ଥା ଏବେ କାର୍ଯ୍ୟ ବନ୍ଦ ରଖିଛି। ପୂର୍ତ୍ତ ବିଭାଗ ନିକଟରେ ସମ୍ପୂର୍ଣ୍ଣ ବିବରଣୀ ସହ ଆବେଦନ କରିବା ସହ ଏନ୍ଓସି (ନୋ ଅବଜେକ୍ସନ୍ ସାର୍ଟିଫିକେଟ୍) ନପାଇବା ପର୍ଯ୍ୟନ୍ତ ସମ୍ପୃକ୍ତ ସଂସ୍ଥା କାମ ଆଗେଇପାରିବ ନାହିଁ ବୋଲି କୁହାଯାଇଛି। ତେଣୁ କାମ ଅଧାରେ ରହିଛି। ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧୨୦୦ ଗଛ ବଳି ପଡ଼ିବ। ପ୍ରକଳ୍ପ ଯିବାକୁ ଯେଉଁ ନକ୍ସା ପ୍ରସ୍ତୁତ ହୋଇଛି ସେଥିରେ ରାସ୍ତାର ମେଡିଆନ୍ରେ ଖୁଣ୍ଟ ନିର୍ମାଣ କରାଯିବ। ମେଡିଆନ୍ର ଉଭୟ ପାର୍ଶ୍ବରେ ରେଳପଥ ପାଇଁ ୩.୫ ମିଟର ଲେଖାଏଁ ଏବଂ ଦୁଇଟି ଖୁଣ୍ଟ ମଧ୍ୟରେ ଦୂରତା ୨୮ ମିଟର ରହିବ। ‘ଓଭରହେଡ୍ ଟ୍ରାକ୍’ ନିର୍ମାଣ ହେବାକୁ ଥିବାରୁ ମେଡିଆନ୍ରେ ଥିବା ଗଛଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ହୋଇଛି। ଯେଉଁ ଗଛଗୁଡ଼ିକ ସ୍ଥାନାନ୍ତରଣ ଯୋଗ୍ୟ ଥିବ ସେଗୁଡ଼ିକୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଅନ୍ୟତ୍ର ଉଠାଯିବ। ବଡ଼ ହୋଇଯାଇଥିବା ଗଛଗୁଡ଼ିକ ଯଦି ସ୍ଥାନାନ୍ତର ହୋଇପାରିବ ନାହିଁ ତାହାକୁ କଟାଯିବ। ଏଭଳି ପାଖାପାଖି ୪୦୦ ଗଛ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ଶିଶୁ ଭବନ ଛକରୁ ବାଣୀବିହାର ଛକ, ବାଣୀବିହାରରୁ ଜୟଦେବବିହାର, ଜୟଦେବବିହାରରୁ ପଟିଆ ଦେଇ ତ୍ରିଶୁଳିଆ ଛକ ମଧ୍ୟରେ ଥିବା ମେଡିଆନ୍ରେ ୯୪୨ଟି ଗଛ ରହିଛି। ଏଥିସହ ବହୁ ପରିମାଣର ଅର୍ଥ ବ୍ୟୟବରାଦ କରାଯାଇ ମେଡିଆନ୍କୁ ମଧ୍ୟ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ହକି ବିଶ୍ବକପ୍ ସମୟରେ ଅର୍ଥାତ୍ ୪ରୁ ୫ ବର୍ଷ ମଧ୍ୟରେ ଲଗାଯାଇଥିବା ସୌନ୍ଦର୍ଯ୍ୟୀକରଣ ଗଛଗୁଡ଼ିକୁ ମଧ୍ୟ ଏବେ କଟାଯିବ। ସେହି ଗଛଗୁଡ଼ିକ କାଟିବା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ତା’ଠାରୁ ଅଧିକ ଚିନ୍ତାର ବିଷୟ ହେଉଛି ଯେ ରାସ୍ତାର ଦୁଇ ପାର୍ଶ୍ବରେ ଥିବା ହଜାର ହଜାର ଗଛର ସୁରକ୍ଷା। ମେଟ୍ରୋ ପ୍ରକଳ୍ପ ପାଇଁ ବର୍ତ୍ତମାନ ସମୟରେ ଜୟଦେବବିହାର-ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଛି। ଉଭୟ ପାର୍ଶ୍ବରେ ତିନି ଲେନ୍ ଲେଖାଏଁ ଥିବା ଏହି ରାସ୍ତାକୁ ପ୍ରଥମେ ୪ ଲେନ୍ ବିଶିଷ୍ଟ କରାଯିବ। ରାସ୍ତା ସମ୍ପ୍ରସାରଣ ହେବା ପରେ ଗୋଟିଏ ଲେନ୍କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ମେଟ୍ରୋ ପ୍ରକଳ୍ପ କାମ ହେବ। ପରିଣାମ ସ୍ବରୂପ ଏହି ରାସ୍ତାରେ ଉପୁଜିବାକୁ ଥିବା ଟ୍ରାଫିକ୍ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ମତପ୍ରକାଶ ପାଇଛି।
ପରିବେଶବିତ୍ଙ୍କ ମତରେ ଏକ ଦଶନ୍ଧି ତଳେ ଏହି ରାସ୍ତାଗୁଡ଼ିକର ସମ୍ପ୍ରସାରଣ ପାଇଁ ଗଛ କାଟିବାକୁ ପଡ଼ିଛି। ରାଜମହଲରୁ ବାଣୀବିହାର ମଧ୍ୟରେ ବହୁ ପୁରୁଣା ବର, ଆମ୍ବ, ପଣସ, ଜାମୁ, କରଞ୍ଜ, ଦେବଦାରୁ ପରି ବିଶାଳ ବୃକ୍ଷ କଟିଥିଲା। ସମ୍ପ୍ରସାରଣ ପରେ ନୂଆ ଗଛ ଲଗାଯାଇଥିଲେ ମଧ୍ୟ ତାହା ପୂର୍ବଭଳି ବଡ଼ ହୋଇପାରୁ ନାହିଁ କି ଲୋକଙ୍କୁ ସେବା ଯୋଗାଇପାରୁ ନାହିଁ। ଏବେ ଯେଉଁ ଗଛଗୁଡ଼ିକ ଲଗାଯାଇଛି ତାହା ମଧ୍ୟ ସେତେଟା ପରିବେଶ ଉପଯୋଗୀ ହୋଇପାରୁ ନଥିବାରୁ ଗ୍ରୀଷ୍ମ ଦିନରେ ସହରରେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଶୀତ ଦିନରେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଇତିମଧ୍ୟରେ ତ୍ରିଶୁଳିଆରୁ ବାରଙ୍ଗ ରାସ୍ତା ସମ୍ପ୍ରସାରଣ ପାଇଁ ୫୦୦ରୁ ଅଧିକ ଗଛ କଟା ସରିଲାଣି।
Follow Us