ସରଳା ଦେବୀଙ୍କ ୧୨୧ତମ ଜନ୍ମଦିବସ ଓ ଅଗଷ୍ଟ କ୍ରାନ୍ତିଦିବସ ପାଳନ ସମାରୋହ: ଦାମୋଦର ସାହୁଙ୍କୁ ‘ସରଳା ଦେବୀ ପୁରସ୍କାର’

Advertisment
ସରଳା ଦେବୀଙ୍କ ୧୨୧ତମ ଜନ୍ମଦିବସ ଓ ଅଗଷ୍ଟ କ୍ରାନ୍ତିଦିବସ ପାଳନ ସମାରୋହ: ଦାମୋଦର ସାହୁଙ୍କୁ ‘ସରଳା ଦେବୀ ପୁରସ୍କାର’

ଭୁବନେଶ୍ବର: ମହାନ ସ୍ବାଧୀନତା ସଂଗ୍ରାମୀ ଓଡ଼ିଶାର ପ୍ରଥମ ମହିଳା ବିଧାୟିକା ସରଳା ଦେବୀଙ୍କ ମନରେ ପିଲାବେଳୁ ଜଳିଥିଲା ସ୍ବାଧୀନତାର ବହ୍ନି। ମହିଳାଙ୍କ ହକ୍‌ ପାଇଁ ସେ ସମାଜର କୁତ୍ସିତ ବିଧି ବ୍ୟବସ୍ଥା ବିରୋଧରେ ସଂଗ୍ରାମ କରୁଥିଲେ। ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ। କ୍ରାନ୍ତିକାରୀ କଲମ ଚାଳନା ଜରିଆରେ ହଜାର ହଜାର ମହିଳାଙ୍କୁ ସ୍ବାଧୀନତା ସଂଗ୍ରାମରେ ସାମିଲ କରାଇ ପାରିଥିଲେ। ଆଜି ସରଳା ଦେବୀ ସ୍ମାରକୀ ଟ୍ରଷ୍ଟ ଓ ଜଗତସିଂହପୁର ବିକାଶ ପରିଷଦ ପକ୍ଷରୁ ସରଳା ଦେବୀଙ୍କ ୧୨୧ ତମ ଜନ୍ମଦିବସ ଓ ଅଗଷ୍ଟ କ୍ରାନ୍ତି ଦିସବ ପାଳନ ସମାରୋହରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ।

ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି ସମାରୋହରେ ଟ୍ରଷ୍ଟର ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ, ୧୯୩୦ ମସିହାରେ ସରଳା ଦେବୀ ଲବଣ ସତ୍ୟାଗ୍ରହରେ ଯୋଗଦେଇ ଅଦମ୍ୟ ସାହସିକତାର ପ୍ରମାଣ ଦେଇଥିଲେ। ଦୁଃଖୀ ଦରିଦ୍ରଙ୍କ ପାଇଁ ତାଙ୍କ ପ୍ରାଣ କାନ୍ଦୁଥିଲା। ସେ ଖୁବ୍‌ ସ୍ପଷ୍ଟବାଦୀ ଓ ନିର୍ଭୀକ ଥିଲେ। ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରେଣାର ଉତ୍ସ। ମୁଖ୍ୟବକ୍ତା ବିଶିଷ୍ଟ ଐତିହାସିକ ପ୍ରଫେସର ନିହାର ରଂଜନ ପଟ୍ଟନାୟକ ଯୋଗଦେଇ ସରଳା ଦେବୀଙ୍କ ଜୀବନୀ ସମ୍ପର୍କରେ ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଶିଳ୍ପ, ବୈଷୟିକ ଶିକ୍ଷା ତଥା ପ୍ରଯୁକ୍ତି ବିଜ୍ଞାନ ବିଭାଗ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଲେ, ସରଳା ଦେବୀ ଜମିଦାର ଘରର ବୋହୁ ହୋଇ ମଧ୍ୟ ଚାଷୀ, ମୂଲିଆ ଓ ଜମିହରାଙ୍କୁ ସମର୍ଥନ ଦେଉଥିଲେ। ତାଙ୍କ ପରି ଅନନ୍ୟ ନେତୃତ୍ବ ସମସ୍ତଙ୍କ ପାଇଁ ବଡ଼ ପ୍ରେରଣା। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାଲିକୁଦା-ଏରସମାର ବିଧାୟକ ସାରଦା ଜେନା କହିଲେ, ବର୍ତ୍ତମାନ ଯେଉଁ ନାରୀସଶକ୍ତୀକରଣ କଥା ଉଠୁଛି ତାହା ସେ ସମୟରେ ସରଳା ଦେବୀଙ୍କଠାରୁ ଆରମ୍ଭ ହୋଇଥିଲା। କିନ୍ତୁ ତାଙ୍କୁ ଯେଉଁଭଳି ସମ୍ମାନ ମିଳିବା କଥା ତାହା ଆଜି ଯାଏ ମିଳିନାହିଁ। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ, ସେବା ଓ ରାଜ‌ନୀତିର ଶ୍ରେଷ୍ଠ ନିଦର୍ଶନ ସରଳା ଦେବୀ ବୋଲି କହିଥିଲେ।

ଏହି ଅବସରରେ ଡାକ୍ତର ସାଗରିକା ଦାସଙ୍କ ଓଡ଼ିଆ ଉପନ୍ୟାସ ‘ଉତ୍ତପ୍ତ ପଙ୍କ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିସହ ବିଶିଷ୍ଟ ସମାଜସେବୀ ତଥା ହିନ୍ଦ୍‌ ସେବକ ସମାଜର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁଙ୍କୁ ଦ୍ବିତୀୟ ସରଳା ଦେବୀ ପୁରସ୍କାର ଏବଂ ୭ ଜଣ ବିଶିଷ୍ଟ ବ୍ୟକ୍ତି, ଯଥା: ଗୌରାଙ୍ଗ ଚରଣ ‌ହୋତା, ଡାକ୍ତର ଅନିତା ପଣ୍ଡା, ଡ. ଭି. ରାଜେନ୍ଦ୍ର ରାଜୁ, ଡ. ଜ୍ୟୋସ୍ନା ମହାପାତ୍ର, ରେଣୁକା ମିଶ୍ର, ସୂର୍ଯ୍ୟରଞ୍ଜନ ମହାନ୍ତି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା। ଟ୍ରଷ୍ଟର ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ପ୍ରାରମ୍ଭିକ ସୂଚନା ଓ ପରିଷଦର ଉପସଭାପତି ଦୀପକ ଦାସ ଧନ୍ୟବାଦ ଦେଇଥିଲେ। ଅନସୂୟା ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe