ପୁଲିସ ଅଭିଯୋଗ କର୍ତୃପକ୍ଷ କାର୍ଯ୍ୟାଳୟ ଅଚଳ

Advertisment
ପୁଲିସ ଅଭିଯୋଗ କର୍ତୃପକ୍ଷ କାର୍ଯ୍ୟାଳୟ ଅଚଳ

ଭୁବନେଶ୍ବର: ପୁଲିସ ଅଭିଯୋଗ କର୍ତୃପକ୍ଷ କାର୍ଯ୍ୟାଳୟ ସଂପୂର୍ଣ୍ଣ ଅଚଳ ହୋଇଯାଇଛି। ପୁଲିସ ବିରୋଧରେ ଆସୁଥିବା ଅଭିଯୋଗର ବିଚାର ତ ଦୂରର କଥା ମାମଲାକୁ ରଖିବା ପାଇଁ ମଧ୍ୟ କର୍ମଚାରୀ ନାହାନ୍ତି। ଗୃହ ବିଭାଗରୁ ଜଣେ କର୍ମଚାରୀଙ୍କୁ ଏହି କାର୍ଯ୍ୟାଳୟରେ ନିଯୁକ୍ତ କରାଯାଇଛି। ମାମଲାର ବିଚାର ହେଉ ନ ଥିବାରୁ ମାମଲାର ପଞ୍ଜୀକରଣ ହେଉନାହିଁ। କେବଳ ଅଭିଯୋଗକୁ ନମ୍ବର ପକାଇ ରଖି ଦିଆଯାଉଛି। ତୋଷାଳୀ ପ୍ଲାଜାରେ ରହିଛି ପୁଲିସ ଅଭିଯୋଗ କର୍ତୃପକ୍ଷଙ୍କ କାର୍ଯ୍ୟାଳୟ। ଲୋକପାଳଙ୍କ ଅଧୀନରେ ରହିଥିବା ପୁଲିସ ବିରୋଧରେ ଯେଉଁ ସବୁ ଅଭିଯୋଗ ଆସିବ ଏଠାରେ ସେସବୁର ବିଚାର କରାଯିବ। କିନ୍ତୁ ଲୋକପାଳ ପଦବି ଖାଲି ପଡ଼ିବା ପରେ ଏହି କାର୍ଯ୍ୟାଳୟ ମଧ୍ୟ ଅଚଳ ହୋଇଯାଇଛି। ଯଦିଓ ପ୍ରତିବର୍ଷ କିଛି କିଛି ମାମଲା ପୁଲିସ ବିରୋଧରେ ଆସୁଛି, ହେଲେ ବିଚାର ହୋଇପାରୁନି। ସୂଚନା ମୁତାବକ, ଗତ ୩ବର୍ଷରେ ୧୧୨ ମାମଲା କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଛି।

୩ବର୍ଷରେ ପୁଲିସ୍ ବିରୋଧରେ ୧୧୨ ଅଭିଯୋଗ
ଅଭିଯୋଗର ବିଚାର ହୋଇପାରୁନି
କର୍ମଚାରୀ ନାହାନ୍ତି, ନାଁକୁ ମାତ୍ର ଖୋଲୁଛି କାର୍ଯ୍ୟାଳୟ

୨୦୧୬ ମସିହାରେ ୫୪ଟି ମାମଲା, ୨୦୧୭ରେ ୪୦ ଓ ୨୦୧୮ରେ ଏ ପର୍ଯ୍ୟନ୍ତ ୧୮ଟି ମାମଲା ଆସିଛି। ଏହା ପୂର୍ବରୁ ମଧ୍ୟ ଅନେକ ମାମଲା କର୍ତୃପକ୍ଷଙ୍କ ନିକଟରେ ପଡ଼ି ରହିଛି। ଏଥିରେ ପୁଲିସ ଏଫ୍‌ଆଇଆର୍‌ ନ ରଖିବାଠାରୁ ଆରମ୍ଭ କରି ଗଣ୍ଡଗୋଳ ମାମଲା, ଦୁଷ୍କର୍ମ ଭଳି ଘଟଣାରେ ଉପଯୁକ୍ତ ତଦନ୍ତ ନ ହେବା ଭଳି ଅଭିଯୋଗ ରହିଛି। ଅଭିଯୋଗର ତ୍ବରିତ ବିଚାର କରିବାକୁ କେହି ନାହାନ୍ତି। ଜଣେ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଲୋକପାଳ ନ ଥିବାରୁ ଏହାର ପ୍ରତି ବଦଳରେ ଜିଲ୍ଲାସ୍ତରରେ ଏସ୍‌ପିମାନଙ୍କୁ ସେହି ଜିଲ୍ଲାରୁ ଆସୁଥିବା ଅଭିଯୋଗର ଶୁଣାଣି ପାଇଁ ଗୃହ ବିଭାଗକୁ ଚିଠି ଲେଖାଯାଇଛି। ହେଲେ ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ଫଳରେ ଅଭିଯୋଗର ତାଲିକା ଲମ୍ବୁଛି ସିନା ସାଧାରଣ ଜନତାଙ୍କୁ କୌଣସି ସୁଫଳ ମିଳୁନାହିଁ। ପୁଲିସ ଅଭିଯୋଗ କର୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ରେଜିଷ୍ଟର୍‌ ପଦବି ରହିଛି। ହେଲେ ଏହି ପଦବି ମଧ୍ୟ ଦୀର୍ଘ ଦିନ ହେବ ଖାଲି ପଡ଼ିଛି। କିଛିବର୍ଷ ପୂର୍ବରୁ କର୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଥିବା ୭ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୩ଜଣ ଅନ୍ୟ କର୍ମଚାରୀଙ୍କୁ ମିଶାଇ ୧୦ଜଣଙ୍କୁ ଛଟେଇ କରାଯାଇଥିଲା। ଏହି ଛଟେଇ ପ୍ରତିବାଦରେ କର୍ମଚାରୀମାନେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏଭଳି ପରିସ୍ଥିତିରେ କାର୍ଯ୍ୟାଳୟକୁ ସଫା ସୁତୁରା ରଖିବା ପାଇଁ ଜଣେ ପିଅନ ମଧ୍ୟ ନାହିଁ। ଜଣେ ଡିଏସ୍‌ପିଙ୍କୁ କାର୍ଯ୍ୟାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ତେଣୁ ଅଭିଯୋଗର ତ୍ବରିତ ବିଚାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe