ବାଉଁଶବାଡ଼ ପାଖରୁ ଭୋଗ ବଢ଼ାଇଲେ ଶ୍ରଦ୍ଧାଳୁ: ଅନନ୍ତ ବାସୁଦେବ ମନ୍ଦିରରେ ୧୪୪ ଧାରା

ବାଉଁଶବାଡ଼ ପାଖରୁ ଭୋଗ ବଢ଼ାଇଲେ ଶ୍ରଦ୍ଧାଳୁ: ଅନନ୍ତ ବାସୁଦେବ ମନ୍ଦିରରେ ୧୪୪ ଧାରା

ପୁରୁଣା ଭୁବନେଶ୍ବର: ଆଜି ପବିତ୍ର ଅନନ୍ତବ୍ରତ ଅବସରରେ ଏକାମ୍ର କ୍ଷେତ୍ରସ୍ଥିତ ଶ୍ରୀଅନନ୍ତ ବାସୁଦେବ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ନିୟନ୍ତ୍ରଣ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିଲା। ଫଳରେ ଭୋର୍‌ ସମୟରୁ ମନ୍ଦିରକୁ ହଜାର ହଜାର ସଂଖ୍ୟାରେ ଆସୁଥିବା ଶ୍ରଦ୍ଧାଳୁମାନେ ବାଉଁଶବାଡ଼ ପାଖରୁ ହିଁ ସେବାୟତମାନଙ୍କ ଜରିଆରେ ଭୋଗ ପଠାଇ ପାରିଥିଲେ। କେହି ମନ୍ଦିର ଭିତରକୁ ଯାଇ ଠାକୁର ଦର୍ଶନ କରିପାରିନଥିଲେ। ମଧ୍ୟାହ୍ନରେ ପ୍ରବଳ ବର୍ଷା ସତ୍ତ୍ବେ ଶ୍ରଦ୍ଧାଳୁମାନେ ସେମିତି ବାଉଁଶବାଡ଼ ପାଖରେ ଭିଜିଥିଲେ ବି ମନ୍ଦିର ଭିତରକୁ ଯାଇପାରିନଥିଲେ।

ଆଜି ଭୋର୍‌ରୁ ମନ୍ଦିରକୁ ବ୍ରତଧାରୀମାନଙ୍କ ସୁଅ ଛୁଟିଥିଲା। ମହିଳା ଓ ପୁରୁଷମାନେ ଭୋଗ ଧରି ପହଞ୍ଚିଥିଲେ। କିନ୍ତୁ ୧୪୪ ଧାରା ଲାଗୁ ହୋଇଥିବାରୁ କାହାକୁ ମନ୍ଦିର ପାଖକୁ ଯିବାକୁ ଦିଆଯାଇନଥିଲା। ସେବାୟତମାନେ ବାଉଁଶବାଡ଼ ପାଖରୁ ଶ୍ରଦ୍ଧାଳୁମାନଙ୍କଠାରୁ ଭୋଗ ନେଇ ଠାକୁରଙ୍କୁ ଲାଗି କରିବା ପରେ ପୁଣି ଫେରାଇ ଦେଉଥିଲେ। ବାଉଁଶବାଡ଼ ପାଖରେ ପୁଲିସ ଦୁଇ ପାର୍ଶ୍ବରେ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ସାମାଜିକ ଦୂରତା ରକ୍ଷା‌ କରାଉଥିଲା। ଅନ୍ୟ ପକ୍ଷରେ ଆଜି କେବଳ ବରାଦି ଅବଢ଼ା ବିକ୍ରି ଚାଲିଥିଲା। ଅନ୍ୟ ଶ୍ରଦ୍ଧାଳୁମାନେ ଅବଢ଼ା ଟିକିଏ ପାଇବା ପାଇଁ ବ୍ୟାକୁଳ ହୋଇଥିଲେ ବି ପାଇବା ବ୍ୟବସ୍ଥା ନଥିଲା। ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମାନସିକ ବା ବ୍ରତଧାରୀମାନେ ଆସୁଥିବା ଦେଖିବାକୁ ମିଳିଥିଲା। ସେହିପରି ଏକାମ୍ର କ୍ଷେତ୍ରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ଏହି ବ୍ରତ ପୂଜା ପାଇଁ ଭିଡ଼ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe