ବିକଟାଳ ଶବ୍ଦ କରୁଥିବା ୧୪୭ ସାଇଲେନ୍ସର୍‌ ଜବତ; ୩ ଦିନରେ ଜବତ ହେଲାଣି ୫୩ ବୁଲେଟ୍‌

Advertisment
ବିକଟାଳ ଶବ୍ଦ କରୁଥିବା ୧୪୭ ସାଇଲେନ୍ସର୍‌ ଜବତ; ୩ ଦିନରେ ଜବତ ହେଲାଣି ୫୩ ବୁଲେଟ୍‌

ଭୁବନେଶ୍ବର: ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର୍‌ ଲଗାଇ ଶବ୍ଦ ପ୍ରଦୂଷଣ କରୁଥିବା ତଥା ସାଧାରଣରେ ଏକ ଭୟର ବାତାବରଣ ସୃଷ୍ଟି କରୁଥିବା ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବା ପାଇଁ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ୍‌ ଅଣ୍ଟା ଭିଡ଼ିଛି। ଗତ କିଛି ଦିନ ହେଲା, ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେଭଳି ବାଇକ୍‌ଗୁଡ଼ିକୁ ଜବଜ କରିଥିଲା।

ଆଜି ରାଜଧାନୀର ବିଭିନ୍ନ ଗାଡ଼ି ପାର୍ଟସ୍‌ ଦୋକାନରେ ଚଢ଼ଉ କରି ମୋଟ ୧୪୭ଟି ସାଇଲେନ୍ସର୍‌ ଜବତ କରିଛି। ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଥିବା କଲନି ମୋଟର୍ସରୁ ୩୦ଟି, ବସୁଧରା ବାଇକ୍‌ ୱାର୍ଲ୍ଡରୁ ୩୫ଟି, ଲକ୍ଷ୍ମୀସାଗର ଥାନା କଟକ ରୋଡ୍‌ ଅଞ୍ଚଳରେ ଥିବା ଗୋଲ୍ଡେନ୍‌ ମୋଟର ସାଇକେଲ୍‌ରୁ ୪ଟି, ସୁହାନି ବାଇକ୍‌ରୁ ୨୩ଟି, ଚନ୍ଦ୍ରଶେଖରପୁର ଅଞ୍ଚଳର ଅର୍ମାନ ବାଇକ୍‌ ୱାର୍ଲ୍ଡରୁ ୩୪ଟି ଏବଂ ବନଦୁର୍ଗା କାଇନେଟିକ୍‌ ଓ୍ବାର୍ଲ୍ଡରୁ ୨୧ଟି ନୂଆ ସାଇଲେନ୍ସର୍‌ ଜବତ କରିଛି।

ଏହାବ୍ୟତୀତ ପୁଲିସ ଗତ ୩ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫୨ଟି ବୁଲେଟ୍‌ ଜବତ କରିଛି। ବିଏମ୍‌ସି ନିର୍ବାଚନ ଶେଷ ପର୍ଯ୍ୟନ୍ତ ବାଇକ୍‌ଗୁଡ଼ିକ ପୁଲିସ୍‌ ହେପାଜତରେ ରହିବ। ନିର୍ବାଚନ ଶେଷ ହେବା ପରେ ବାଇକ୍‌ଗୁଡ଼ିକୁ ଆର୍‌ଟିଓ ଦ୍ବାରା ଯାଞ୍ଚ କରାଯାଇ ଜରିମାନା ନିର୍ଦ୍ଧାରଣ କରାଯିବ। ଅତି କମ୍‌ରେ ବାଇକ୍‌ ପିଛା ହଜାରେ ଟଙ୍କା ଜରିମାନା ଆଦାୟ ହେବ ବୋଲି ଜଣାଯାଇଛି। ସେହିପରି ନିୟମ ଉଲ୍ଲଂଘନ ମୁତାବକ ଜରିମାନା ଆଦାୟ ପରିମାଣ ବଢ଼ିପାରେ। ଆବଶ୍ୟକସ୍ଥଳେ ଚାଳକ ଜେଲ୍‌ ବି ଯାଇପାରନ୍ତି ବୋଲି କମିସନରେଟ୍‌ ପୁଲିସ୍‌ କହିଛି। ପୌର ନିର୍ବାଚନକୁ ଆଖି ଆଗରେ ରଖି ପୁଲିସ୍‌ ପକ୍ଷରୁ ଏପରି ଧରପଗଡ଼ ଜୋରଦାର କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଅମାନିଆ ଚାଳକଙ୍କୁ ସାବାଡ୍‌ କରିବା ପାଇଁ ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ ପରେ ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡାଙ୍କ ନେତୃତ୍ବରେ ଦୁଇ ଦୁଇଜଣ ଆଇଆଇସି ଏବଂ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବାଇକ୍‌ଗୁଡ଼ିକୁ ଜବତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe