ଭୟରେ ଶାନ୍ତିପଲ୍ଲୀନଗରର ୧୫ ପରିବାର: ଭୁଶୁଡ଼ିବ ଇଏସ୍‌ଆଇସି ହସ୍ପିଟାଲ ପାଚେରି!

ଭୟରେ ଶାନ୍ତିପଲ୍ଲୀନଗରର ୧୫ ପରିବାର: ଭୁଶୁଡ଼ିବ ଇଏସ୍‌ଆଇସି ହସ୍ପିଟାଲ ପାଚେରି!

ଭୁବନେଶ୍ବର: ଦୀର୍ଘ ଦିନ ହେଲା କର୍ମଚାରୀ ବୀମା ନିଗମ (ଇଏସ୍‌ଆଇସି) ହସ୍ପିଟାଲର ପାଚେରି ଭୁଶୁଡ଼ିବା ସ୍ଥିତିରେ ଅଛି। ପାଚେରି ମୂଳ ଦୁର୍ବଳ ହୋଇ ଆସିଥିବାରୁ କୌଣସି ସମୟରେ ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା କରାଯାଉଛି। ତେଣୁ ପାଚେରିକୁ ଲାଗି ରହୁଥିବା ଶାନ୍ତିପଲ୍ଲିନଗରର ୧୫ ପରିବାର ଭୟରେ କାଳ କାଟୁଛନ୍ତି। ପାଚେରି ଭୁଶୁଡ଼ିଲେ ସେମାନଙ୍କ ଧନଜୀବନ କ୍ଷତିଗ୍ରସ୍ତ ହେବାକୁ ଥିବାରୁ ସେମାନେ ସବୁ ସମୟରେ ଚିନ୍ତାରେ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବି କିଛି ସୁଫଳ ମିଳୁନଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ବିଏମ୍‌ସି ୩୪ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଶାନ୍ତିପଲ୍ଲୀନଗର ପାଖରେ ରହିଛି ଇଏସ୍‌ଆଇସି ହସ୍ପିଟାଲ। ଏହାର ପାଚେରୀ ମୂଳ ସଂପୂର୍ଣ୍ଣ ଭାବେ ଖାଇଗଲାଣି। ପ୍ଲାଷ୍ଟର ଛାଡ଼ି ରଡ୍‌ ବାହାରି ଦେଖାଗଲାଣି। ବହୁ ଦିନ ଧରି ଲୁହା ରଡ୍‌ ବାହାରି ରହିଥିବାରୁ କଳଙ୍କି ଲାଗିଗଲାଣି। ଏହି ପାଚେରି ପାଖରେ ଉକ୍ତ କଲୋନିର ୧୫ ପରିବାରଙ୍କ ଘର ରହିଛି। ପିଲାଛୁଆ ମଧ୍ୟ ପାଚେରି କଡ଼ରେ ଚଳପ୍ରଚଳ ହେଉଛନ୍ତି। ପାଚେରି ଏ‌ତେ ଦୁର୍ବଳ ହୋଇପଡ଼ିଛି ‌ଯେ କୌଣସି ସମୟ‌‌‌ରେ ଭାଙ୍ଗି ପଡ଼ିବ। ଯଦି କେବେ ଏଭଳି ଅଘଟଣ ଘଟେ, ଏହି ୧୫ ପରିବାରର ଘର ଭାଙ୍ଗିବା ସହ ଧନଜୀବନ ପ୍ରଭାବିତ ହେବ।

ଏନେଇ ସାହିବାସିନ୍ଦା ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଅଭିଯୋଗପତ୍ର ଦେଇଛନ୍ତି। ପାଚେରି ମରାମତି କରିବା ବା ନୂଆ ପାଚେରି କରିବାକୁ ଅନୁରୋଧ କରିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ସାହିଲୋକଙ୍କ କଥାକୁ ଗ୍ରହଣ କରି ନୂଆ ପାଚେରି କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ପ୍ରତିଶ୍ରୁତି ସେମିତି କାଗଜପତ୍ରରେ ହିଁ ରହିଯାଇଛି। ଏହା ଭିତରେ ୫ବର୍ଷ ବତିଗଲାଣି, ଅଥଚ ପାଚେରି ମରାମତି ବା ନୂଆ ପାଚେରି ନିର୍ମାଣ ପାଇଁ କୌଣସି ପଦ‌କ୍ଷେପ ନିଆଯାଇନାହିଁ।

ଏନେଇ ଇଏସ୍‌ଆଇସି ହସ୍ପିଟାଲ୍‌ର ଶାଖା ପ୍ରବନ୍ଧକ ସୁରଜିତ୍ ଘୋଷଙ୍କ କହିବା କଥା ବର୍ଷେ ହେଲାଣି ବିଭାଗୀୟ ଅଧିକାରୀଙ୍କୁ ଏବାବଦରେ ଚିଠି ଲେଖି ଅବଗତ କରାଯାଇଛି। ପୁଣି ଥରେ ଲୋକଙ୍କ ସମସ୍ୟା ବାବଦରେ ଜଣାଇବେ ବୋଲି ଶ୍ରୀ ଘୋଷ କହିଛନ୍ତି। ତେବେ ଏମିତି ‌କେତେ ବିଭାଗୀୟ ଚିଠି ଲେଖା ହେଉଥିବ ଓ ଲୋକଙ୍କ ସମସ୍ୟା କେବେ ସୁଧୁରିବ, ତାହାକୁ ଚାତକ ଭଳି ସାହି ଲୋକେ ଚାହିଁବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe