‘ମୋ ପାର୍କିଂ’ ଆପ୍‌ରେ ୩ ମାସରେ ୧୮ ଲକ୍ଷ ଆଦାୟ

‘ମୋ ପାର୍କିଂ’ ଆପ୍‌ରେ ୩ ମାସରେ ୧୮ ଲକ୍ଷ ଆଦାୟ

Telegraph India

ଭୁବନେଶ୍ବର: ବଜାରକୁ ବାହାରିବା ପୂର୍ବରୁ ଗାଡ଼ି ପାର୍କିଂ ପାଇଁ ଆଗୁଆ ବୁକିଂ କରି ହେବ। କ୍ରମବର୍ଦ୍ଧିଷ୍ଣୁ ପାର୍କିଂ ସମସ୍ୟାକୁ ଆଖି ଆଗରେ ରଖି ସ୍ମାର୍ଟ ଜନପଥରେ ଏଭଳି ସୁଯୋଗ ସୃଷ୍ଟି କରିଛି ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌)। ଏଥିପାଇଁ ନିକଟ ଅତୀତରେ କାର୍ଯ୍ୟକ୍ଷମ ହୋଇଥିବା ‘ମୋ ପାର୍କିଂ’ ଆପ୍‌ର ଚାହିଦା ବଢ଼ିଛି। ଗାଡ଼ି ନେଇ ଗହଳି ଭିତରେ ପାର୍କିଂ ପାଇଁ ଜାଗା ଖୋଜିବା ଅପେକ୍ଷା ପୂର୍ବରୁ ପାର୍କିଂ ଜାଗା ବୁକିଂ କରିବାକୁ ଭୁବନେଶ୍ବର ବାସିନ୍ଦା ପସନ୍ଦ କରିଛନ୍ତି। ଗତ ତିନି ମାସରେ ଏହି ଆପ୍‌ ଜରିଆରେ ଅଗ୍ରୀମ ପାର୍କିଂ ଫି’ ବାବଦକୁ ୧୮ ଲକ୍ଷ ଟଙ୍କା ଆଦାୟ ହୋଇଛି। ଅର୍ଥାତ୍‌ ଦିନକୁ ହାରାହାରି ୨୦ ହଜାର ଟଙ୍କା ଲେଖାଏଁ ଆଦାୟ ହେଉଛି।

ଅନ୍‌ଲାଇନ୍‌ରେ ୪୦ ପ୍ରତିଶତ ଆଦାୟ ହୋଇଥିବା ବେଳେ ପିଓଏସ୍‌ ମେସିନ୍‌ ଜରିଆରେ ୬୦ ପ୍ରତିଶତ ଆଦାୟ ହୋଇଛି। ଅର୍ଥା‌ତ୍‌ ୩ ମାସରେ ଜନପଥ‌ରେ ପାର୍କିଂ ବାବଦକୁ ୪୫ ଲକ୍ଷ ଟଙ୍କା ଆଦାୟ ହୋଇଛି। ଏଥିରୁ ଆପ୍‌ ଜରିଆରେ ୧୮ ଲକ୍ଷ ଓ ପିଓଏସ୍‌(ପଏଣ୍ଟ ଅଫ୍‌ ସେଲ୍‌) ମେସିନ୍‌ ଜରିଆରେ ୨୭ ଲକ୍ଷ ଆଦାୟ ହୋଇଛି। ଅଦ୍ୟାବଧି ୧ ଲକ୍ଷ ୧୩ ହଜାର ବ୍ୟକ୍ତି ଏହି ଆପ୍‌ ଡାଉନ୍‌ଲୋଡ୍‌ କରିଛନ୍ତି। ପ୍ରତ୍ୟେକ ଦିନ ୨ଶହରୁ ଊର୍ଦ୍ଧ୍ବ ଡାଉନ୍‌ଲୋଡ୍‌ ହେଉଥିବା ସ୍ମାର୍ଟ ସିଟି ଲିମିଟେଡ୍‌ ସୂଚନା ଦେଇଛି।

ଏଠାରେ ସୂଚାଇ ଦିଆଯାଇପାରେ, ସ୍ମାର୍ଟ ଜନପଥରେ ପାର୍କିଂ ପାଇଁ କାଗଜ ରସିଦ୍‌ ବ୍ୟବହାରକୁ ବାରଣ କରାଯାଇଛି। କେବଳ ଅନ୍‌ଲାଇନ୍‌ ଓ ପିଓଏସ୍‌ ମେସିନ୍ ଜରିଆରେ ପାର୍କିଂ ଫି’ ଆଦାୟ କରାଯାଉଛି। ଯେଉଁମାନେ ଆପ୍‌ ବ୍ୟବହାର ନ କରି ସିଧାସଳଖ ଗାଡ଼ି ପାର୍କିଂ କରୁଛନ୍ତି, ସେମାନେ ଏହି ପିଓଏସ୍‌ ମେସିନ୍‌ ଜରିଆରେ ଫି’ ପଇଠ କରୁଛନ୍ତି। ତେବେ ସ୍ମାର୍ଟ ଜନପଥରେ କେତେକ ଜାଗାରେ କାଗଜ ରସିଦ୍‌ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ଯେଉଁମାନେ ଜାଣିନାହାନ୍ତି, ସେମାନେ ଏହି କାଗଜ ରସିଦ୍‌ ନେଇ ପାର୍କିଂ ଫି’ ଦେଇ ଦେଉଛନ୍ତି। ଫଳରେ ଏଗୁଡ଼ିକ ଆଦାୟକାରୀଙ୍କ ପକେଟ୍‌କୁ ସିଧାସଳଖ ଯାଉଛି ବୋଲି ଅଭିଯୋଗ ହେଉଛି। ତେଣୁ ଏସବୁକୁ ଚଢ଼ଉ କରି ବନ୍ଦ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe