Kalinga TV
ପୁରୁଣା ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଜମି କିଣିବାକୁ ଯାଇ ଠକାମିର ଶିକାର ହେଲେ ଆଇନଜୀବୀ। ଜମି ଦଲାଲ ତାଙ୍କଠାରୁ ଅଢ଼େଇ ଲକ୍ଷ ଟଙ୍କା ନେଇ ଚଳୁ କରିଦେଲା। ନା ଜମି ଦେଲା, ନା ଟଙ୍କା ଫେରାଇଲା। ଜଣେ ଆଇନଜୀବୀ ବୋଲି ଜାଣିବା ପରେ ବି ଦଲାଲ୍ ଖାତିର କଲାନାହିଁ। ଆଇନଜୀବୀ ଥାନାର ଦ୍ବାରସ୍ଥ ହେଲେ। ପରେ ହାଇକୋର୍ଟର ଦ୍ବାରସ୍ଥ ହେଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଦଲାଲ୍ ବେଖାତିର କଲା। ଏଥିରେ ବି ପୁଲିସ ସହଯୋଗ କଲା ନାହିଁ। ତେଣୁ ଆଇନଜୀବୀ ମାନବାଧିକାର କମିସନଙ୍କ ନିକଟରେ ଗୁହାରି କଲେ। ଏଥର କମିସନ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ବିରୋଧରେ ୱାରେଣ୍ଟ୍ ଜାରି କଲେ। ତେଣୁ ପୁଲିସ କାନମୁଣ୍ଡା ଝାଇଁଝାଇଁ ହୋଇଗଲା। ତଦନ୍ତ ଅଧିକାରୀ ତୁରନ୍ତ ଦଲାଲ୍ଠାରୁ ଟଙ୍କା ଆଦାୟ କଲେ। ଠକାମିର ଶିକାର ହୋଇ ଟଙ୍କା ଫେରି ପାଇବାକୁ ଜଣେ ଆଇନଜୀବୀଙ୍କ ଏହି ସଂଘର୍ଷ ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ଘଟଣାଟି ଥିଲା ଏମିତି। ଲକ୍ଷ୍ମୀସାଗର ଥାନା ଝାରପଡ଼ା ଅଞ୍ଚଳରେ ରହୁଥିବା ଆଇନଜୀବୀ ଶିବାଶିଷ ମହାପାତ୍ର ଜମି କିଣିବା ପାଇଁ ଜଟଣୀ ଥାନା ଦେଉଳବସ୍ତ ଗ୍ରାମର ନବୀନ ଚରଣ ପରିଡ଼ାଙ୍କ ସହ ଯୋଗାଯୋଗ କରିଥିଲେ। ଏହା ୨୦୧୦ ମସିହାର କଥା। ପୂର୍ବରୁ ନବୀନଙ୍କ ସହ ତାଙ୍କର ପରିଚିତି ଥିଲା। ଭୁବନେଶ୍ବର ଆଇଆଇଟି ନିକଟ ଅରୁଗୁଳ ମୌଜାରେ ୧୦୦ ଡିସିମିଲି ଜମି ବିକ୍ରି କରିବାକୁ ନବୀନ କହିଥିଲେ। ଏଥିପାଇଁ ଶିବାଶିଷ ବିଭିନ୍ନ ପର୍ଯ୍ୟାୟରେ ଚେକ୍ ଜରିଆରେ ନବୀନଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ। ଏନେଇ ଉଭୟ ନବୀନ ଓ ଶିବାଶିଷଙ୍କ ମଧ୍ୟରେ ଅଦାଲତ କାଗଜାତରେ ଲିଖିତ ଚୁକ୍ତିପତ୍ର ହୋଇଥିଲା। ମାତ୍ର ଟଙ୍କା ପାଇବା ପରେ ନବୀନ ଆଉ ଧରାଛୁଆଁ ଦେଇନଥିଲେ।
ଏନେଇ ଶିବାଶିଷ ଜଟଣୀ ଥାନାରେ ଓ ପୁଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଫଳ ମିଲିଲା ଶୂନ୍। ତେଣୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ଜାନୁଆରି ୨୮ରେ ହାଇକୋର୍ଟ ୧୪ଦିନ ମଧ୍ୟରେ ଡ୍ରାଫ୍ଟ ମାଧ୍ୟମରେ ଟଙ୍କା ଫେରାଇବାକୁ ନବୀନଙ୍କୁ ନିର୍ଦେଶ ଦେଇଥିଲେ। ଏହା ପରେ ମଧ୍ୟ ନବୀନ ଟଙ୍କା ଫେରାଇନଥିଲେ। ଶେଷରେ ଶିବାଶିଷ ମାନବାଧିକାର କମିସନଙ୍କୁ ଅଭିଯୋଗ କରିଥିଲେ। ଶିବାଶିଷଙ୍କ କହିବା ଅନୁଯାୟୀ ମାନବାଧିକାର କମିସନର ଏହି ଘଟଣାର ବିଚାର କରି ସମ୍ପୃକ୍ତ ଥାନାର ଆଇଓଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ମାନବାଧିକାର କମିସନଙ୍କ ଏହି ନିର୍ଦ୍ଦେଶ ପରେ ଉକ୍ତ ତଦନ୍ତ ଅଧିକାରୀ ନବୀନଙ୍କଠାରୁ ଅଢ଼େଇ ଲକ୍ଷ ଟଙ୍କା ଆଦାୟ କରି ଶିବାଶିଷଙ୍କୁ ଫେରସ୍ତ କରିଛନ୍ତି।
Follow Us