Babylon Radio
ଭୁବନେଶ୍ୱର : ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ଶାନ୍ତିପଲ୍ଲୀ ବସ୍ତିର ଅଭିମନ୍ୟୁ ଶ୍ରୀଚନ୍ଦନ ଓ ସନ୍ତୋଷ ନାୟକଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ଉଭୟ ଆଜି ସକାଳେ ଘରେ ପଶି ଆକ୍ରମଣ କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଉଭୟଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି। ପୀଡ଼ିତାଙ୍କ ଘର ମଧ୍ୟ ଶାନ୍ତିପଲ୍ଲୀରେ ବୋଲି ପୁଲିସ କହିଛି।
ଲୁହା ଛଡ଼ ଚୋରି କରି ଯୁବକ ଗିରଫ
ଚନ୍ଦ୍ରଶେଖରପୁର : ନାଲକୋ ଛକରେ ଚାଲିଥିବା ଏକ ନିର୍ମାଣାଧୀନ କୋଠା କାର୍ଯ୍ୟାଳୟ ଗୋଦାମରୁ ୩୦ଖଣ୍ଡ ୬ଫୁଟିଆ ଲୁହା ଛଡ଼ ଚୋରି କରିନେଉଥିବା ଜଣେ ଚୋରକୁ ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ପାଟ୍ରୋଲିଂ ବେଳେ କାବୁ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲା, ସନ୍ତୋଷ ଦାସ (୨୮)। ତା’ ନିକଟରୁ ୩୦ଟି ଲୁହା ଛଡ଼ ଜବତ ହୋଇଛି। ସେ ନିକଟ ବସ୍ତିରେ ରହୁଥିବା ବେଳେ ଦିନରେ ଉକ୍ତ କୋଠା ନିକଟରେ ବୁଲାବୁଲି କରି ଦେଖିବା ପରେ ରାତିରେ ଛଡ଼ ଚୋରି କରୁଥିଲା।
୧୦ ଗ୍ରାମ ବ୍ରାଉନ୍ସୁଗାର ଜବତ, ୩ ବେପାରୀ ଗିରଫ
ଚନ୍ଦ୍ରଶେଖରପୁର : ଈଶାନେଶ୍ବର ବସ୍ତି ନିକଟରେ ନିଶା ବେପାର କରୁଥିବା ୩ ଦୁର୍ବୃତ୍ତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ପଟିଆ ଶ୍ରୀବିହାର ଅଞ୍ଚଳର ସମରେଶ ଦାସ(୩୨), ଗୋବିନ୍ଦପୁର ବ୍ରାହ୍ମଣସଇଲୋର ସନ୍ତୋଷ କୁମାର ପାତ୍ର(୨୮) ଓ ମଦନପୁର କେନ୍ଦ୍ରପଡ଼ା ପଟ୍ଟମୁଣ୍ଡାଇର ଚନ୍ଦ୍ରଭାନୁ ରାଉତ(୩୮)। ପୁଲିସ ସେମାନଙ୍କଠାରୁ ୧୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରିଛି। ଈଶାନେଶ୍ବର ବସ୍ତି ନିକଟରେ ନିଶା ବେପାର ଚାଲୁଥିବା ସୂଚନା ପାଇ ଦୁଇ ଦିନ ତଳେ ପୁଲିସ ଚଢ଼ଉ କରିଥିଲା। ସେଠାରୁ ଏହି ୩ ବେପାରୀଙ୍କ ସହ ୧୫ଗ୍ରାହକଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। ଜରିମାନା ଆଦାୟ କରି ଗ୍ରାହକମାନଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ୩ ବେପାରୀଙ୍କୁ ପୁଲିସ ଗିରଫ କରିଛି। ତେବେ ସେମାନେ କେଉଁଠାରୁ ଏହି ଧଳା ଜହର ଆଣୁଥିଲେ, ସେମାନଙ୍କର ମାଷ୍ଟରମାଇଣ୍ଡ କିଏ, ଆଦି ସଂପର୍କରେ ପୁଲିସ ଅଧିକ ତଦନ୍ତ ଚଳାଇଛି। ଉଲ୍ଲେଖଯୋଗ୍ୟ, କମିସନରେଟ୍ ପୁଲିସ ଏବେ ନିଶାବେପାରୀଙ୍କ ଉପରେ କଠୋର୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବତନ୍ତ୍ର ଅଭିଯାନ ଜାରି ରଖିଛି।
Follow Us