ଅଜଗର ଦେଖାଇ ଭିକ ମାଗୁଥିବା ୨ ଅଟକ

Advertisment
ଅଜଗର ଦେଖାଇ ଭିକ ମାଗୁଥିବା ୨ ଅଟକ

ବାରଙ୍ଗ/ତ୍ରିଶୁଳିଆ: ଅଜଗର ଦେଖାଇ ବାରଙ୍ଗ ଅଞ୍ଚଳରେ ଭିକ ମାଗୁଥିବା ଅଭିଯୋଗରେ କଟକ ସିଟି ଫରେଷ୍ଟ ଡିଭିଜନ୍ କାର୍ଯ୍ୟାଳୟରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ସେମାନେ ହେଲେ ଯାଜପୁର ଜିଲ୍ଲା ମୁଣ୍ଡମାଳର ଜଗନ୍ନାଥ ପ୍ରଧାନ ଓ ସମୀର ପ୍ରଧାନ। ସେମାନଙ୍କ ପାଖରୁ ଏକ ସାଢ଼େ ୫ଫୁଟ୍‌ ଲମ୍ବର ପାହାଡ଼ିଆ ଅଜଗର ସାପ (ରକ୍ ପାଇଥାନ) ଉଦ୍ଧାର କରାଯାଇଛି। ସାପ ଏକ ସଂରକ୍ଷିତ ତାଲିକାଭୁକ୍ତ ବନ୍ୟପ୍ରାଣୀ ଓ ପାଖରେ ରଖିବା ବେଆଇନ ବୋଲି ସେମାନେ ଜାଣିନଥିବା କହିଛନ୍ତି। ତଥାପି ଅଧିକ ପଚରାଉଚରା ପାଇଁ ବନ ବିଭାଗ ସେମାନଙ୍କୁ ଅଟକ ରଖିଛି।

ସୂଚନାନୁସାରେ ଆଜି ଏହି ଦୁଇ ବ୍ୟକ୍ତି ସାପଟିକୁ ଧରି ସ୍ଥାନୀୟ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଭିକ୍ଷାବୃତ୍ତି କରୁଥିଲେ। ଏହା ଦେଖି ଗାଁର ମଣ୍ଡୁ ମାଝୀ ଓ ସଞ୍ଜୟ ବିଷୋୟୀ ସ୍ନେକ୍‌ ରେସ୍‌କ୍ୟୁ ସେଣ୍ଟରକୁ ଫୋନ୍‌ କରି ଜଣାଇଥିଲେ। ସ୍ନେକ୍ ରେସ୍‌କ୍ୟୁ ସେଣ୍ଟରର ପ୍ରତିଷ୍ଠାତା ବିଭୂଦତ୍ତ ଜେନା ଓ ସଦସ୍ୟ ଦୀପକ ସ୍ବାଇଁ କୃଷ୍ଣଚନ୍ଦ୍ରପୁର ଗାଁରେ ପହଞ୍ଚିବା ସହ ବାରଙ୍ଗ ଥାନାକୁ ଅବଗତ କରାଇଥିଲେ। ସାପକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ଓ ସେମାନଙ୍କୁ ବାରଙ୍ଗ ଥାନାକୁ ଆଣି ପଚରାଉଚରା କରିବା ବେଳ ସେମାନେ ସାତକୋଶିଆ ଅଞ୍ଚଳରୁ ସାପଟିକୁ କିଣିଥିବା କହିଥିଲେ। ସେଠିକାରେ କିଛି ଲୋକ ଏମିତି ସାପ ଧରି ଶହେ/ ଦୁଇ ଶହ ଟଙ୍କାରେ ବିକ୍ରି କରିଥାଆନ୍ତି ବୋଲି ସେମାନେ କହିଥିଲେ। ରୋ‌ଜଗାର ପାଇଁ ସେମାନେ ସାପଟିକୁ କିଣି ଥିଲେ ଓ ଭିକ ମାଗି ଚଳୁଥିଲେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe