ଭୁବନେଶ୍ବର: ଢାକାଠାରେ ଆୟୋଜିତ ସିନେମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ବନି’କୁ ୨ଟି ପରୁସ୍କାର ମିଳିଛି। ଚଳଚ୍ଚିତ୍ରର ନାୟିକା ସ୍ବପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବା ବେଳେ ନିର୍ଦ୍ଦେଶକ ଏ.କେ ବୀରଙ୍କୁ ମିଳିଛି ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ ପୁରସ୍କାର। ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରି ଓଡ଼ିଆ ନିର୍ମାତା ନିର୍ଦ୍ଦେଶକଙ୍କ ଦ୍ବାରା ପ୍ରସ୍ତୁତ ‘ଅନ୍ତର୍ଧ୍ବନି’ ଦେଶ ପାଇଁ ଗୌରବ ଆଣିଛି। କେବଳ ସେତିକି ନୁହେଁ, ୨୪ ଏଫ୍ପିଏସ୍ ନିବେଦିତ ତଥା ରାଜେଶ କୁମାର ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ସିନେମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦ୍ଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବାର ସୌଭାଗ୍ୟ ଲାଭ କରିଥିଲା। ମହୋତ୍ସବରେ ୭୦ଟି ଦେଶରୁ ପାଖାପାଖି ୪୦୦ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ବାଂଲାଦେଶର ୨୮ଟି ଚଳଚ୍ଚିତ୍ର ସମେତ ୫୪ଟି ରାଷ୍ଟ୍ରର ମୋଟ ୧୫୦ଟି ଚଳଚ୍ଚିତ୍ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ସିନେମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୦ର ଆୟୋଜକ ଥିଲେ ଢାକା ଫେଷ୍ଟିଭାଲ ଏବଂ ସିନେମେକିଙ୍ଗ ଅନୁଷ୍ଠାନ। ସହଯୋଗୀ ଥିଲେ ମାସୁଦ ମାଂଚୋ ଓ ରୁସଦା ଫିଲ୍ମସ୍। ଫେଷ୍ଟିଭାଲ ଡିରେକ୍ଟର ଥିଲେ ମଞ୍ଜୁରୁଲ ଇସଲାମ ମେଘା। ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ନିର୍ଦ୍ଦେଶକ ଏ.କେ ବୀର ‘ଅନ୍ତର୍ଧ୍ବନି’ର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ରାଜେଶ ମହାନ୍ତି। ଚଳଚ୍ଚିତ୍ରର ୯୫ ପ୍ରତିଶତ ଜଙ୍ଗଲରେ ସୁଟିଂ ହୋଇଛି ଏବଂ ଜଙ୍ଗଲକୁ ଏଥିରେ ଏକ ଚରିତ୍ର ଭାବେ ଚିତ୍ରଣ କରାଯାଇଛି। ଚଳଚ୍ଚିତ୍ରର ପ୍ରମୁଖ ଭୂମିକାରେ ଅଛନ୍ତି ଗୌରବ ପାଶୱାଲ, ସ୍ବପ୍ନା ପତି ଓ ତଲୱିନ୍ଦର ସିଂହ। ସାଉଣ୍ତରେ ନିହାର ରଞ୍ଜନ ସାମଲ ଥିବାବେଳେ ଅସୀମ ସିହ୍ନା ଏହାର ସମ୍ପାଦନା କରିଛନ୍ତି। ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ପ୍ରାକୃତିକ ଆଲୁଅରେ ନିର୍ମିତ ହୋଇଛି।
ଢାକା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ବନି’କୁ ୨ପୁରସ୍କାର
Advertisment
Follow Us