ଖତ ଖାଉଛି ୨ କୋଟିର ଦୋକାନଘର: ଖୋଲିପାରୁନି ଭେଣ୍ଡିଂ ଜୋନ୍‌

ଖତ ଖାଉଛି ୨ କୋଟିର ଦୋକାନଘର: ଖୋଲିପାରୁନି ଭେଣ୍ଡିଂ ଜୋନ୍‌

ଚନ୍ଦ୍ରଶେଖରପୁର: ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଛି। ପ୍ରାକୃତିକ ଜଳାଶୟକୁ ପୋତି ଭେଣ୍ଡିଂ ଜୋନ୍‌ ଭିତରେ ୩୦ରୁ ଅଧିକ ଦୋକାନ ଘର ତିଆରି ହୋଇଛି। ସେଠାରେ ଯେଉଁମାନେ ବେପାର କରିବେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ନାମ ଓ ମୂଲ୍ୟ ଉଲ୍ଲେଖ କରିବାକୁ ବ୍ୟବସ୍ଥା ହୋଇଛି। ମାତ୍ର ଆଜି ପର୍ଯ୍ୟନ୍ତ ଦୋକାନୀମାନଙ୍କୁ ଘର ଆବଣ୍ଟନ କରାଯାଉ ନାହିଁ। ଗୋଟିଏ ପଟେ ଆଶାୟୀ ବ୍ୟବସାୟୀ ଦୋକାନ ଘର ପାଇବାକୁ ଅପେକ୍ଷା କରି ରହିଥିବା ବେଳେ ଅନ୍ୟପଟେ ଉଠାଦୋକାନୀ ଫୁଟ୍‌ପାଥକୁ ଜବରଦଖଲ କରି ଲୋକଙ୍କ ସମସ୍ୟା ବଢ଼ାଉଛନ୍ତି। ନୀଳାଦ୍ରିବିହାର ମଙ୍ଗଳା ମନ୍ଦିର ଛକ ନିକଟରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ୍‌ରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି।

ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଛପାର୍ଶ୍ବରେ ଥିବା ଏକ ପ୍ରାକୃତିକ ଜଳାଶୟକୁ ଆଜକୁ ପ୍ରାୟ ୧୦ ବର୍ଷ ତଳେ ନଷ୍ଟ କରିବାକୁ ପ୍ରଶାସନ ପକ୍ଷରୁ ସୁଚିନ୍ତିତ ପରିକଳ୍ପନା ହୋଇଥିଲା। ଅଞ୍ଚଳର ବଢ଼ୁଥିବା କଳେବରକୁ ଦୃଷ୍ଟିରେ ରଖି ପ୍ରଥମେ ୪ ଥାକିଆ ଏକ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ତାହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଏହି ପ୍ରାକୃତିକ ଜଳାଶୟକୁ ଧୀରେ ଧୀରେ ପୋତାଯାଇଥିଲା। ରାସ୍ତା ନିର୍ମାଣ ସରିବା କ୍ଷଣି ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଯାଇଥିଲା ଉଠାଦୋକାନୀଙ୍କୁ ଥଇଥାନ ପ୍ରକ୍ରିୟା। ରାସ୍ତା ଯିବା ପରେ ବଳକା ଥିବା ଜାଗାରେ ଭେଣ୍ଡିଂ ଜୋନ୍‌ କରିବାକୁ ଅଧିକାରୀମାନେ ପଦକ୍ଷେପ ନେଇଥିଲେ। ଜଳାଶୟକୁ ସମ୍ପୂର୍ଣ୍ଣ ଭାବେ ପୋତିବା ସହ ତାହା ଉପରେ ୩୦ଟି ଦୋକାନ ଘର କରିଥିଲେ। ଏହି ଦୋକାନ ଘରଗୁଡ଼ିକରେ ରାସ୍ତାପାର୍ଶ୍ବ ବେପାରୀଙ୍କୁ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିଲା। ଇତିମଧ୍ୟରେ ଭେଣ୍ଡିଂ ଜୋନ୍‌ ନିର୍ମାଣକୁ ଦେଢ଼ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ବଣ୍ଟନ ହୋଇପାରୁ ନାହିଁ।

ସେପଟେ ଭେଣ୍ଡିଂ ଜୋନ୍‌ ଖୋଲୁ ନ ଥିବାରୁ ରାତି ହେଲେ ଏଠାରେ ଅସାମାଜିକଙ୍କ ଆଡ଼ା ଜମୁଛି। ରକ୍ଷଣାବେକ୍ଷଣା ଅଭାବରୁ ଭେଣ୍ଡିଂ ଜୋନ୍‌ ନିକଟରେ ଗଛଲତା ମାଡ଼ିଗଲାଣି। ପେଭର୍‌ ବ୍ଲକ ଉଠିଗଲାଣି। ଭେଣ୍ଡିଂ ଜୋନ୍‌ ଉପରେ ‘ସବୁଜ ସୁନ୍ଦର ସହର ଆମ ଭୁବନେଶ୍ବର’ ବାର୍ତ୍ତା ଲେଖାଯାଇଥିଲେ ମଧ୍ୟ ତା’ ତଳେ ଆବର୍ଜନା ଜମା ହୋଇ ରହିଛି। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା) ଯୋଜନାରେ ଏହାକୁ ନିର୍ମାଣ କରାଯାଇଥିବା ବେଳେ ବଣ୍ଟନ ହେଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନେଇ ବିଏମ୍‌ସି ଜୋନାଲ୍‌ ଅଫିସର ଜଣେ ଅଧିକାରୀ କହିଛନ୍ତି ଯେ ଭେଣ୍ଡିଂ ଜୋନ୍‌ରେ ଆହୁରି କିଛି କାମ ବାକି ରହିଛି। କାମ ଶେଷ ହେବା ପରେ ଏହାକୁ ଉଦ୍‌ଘାଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe