୨ଘଣ୍ଟା ବର୍ଷାପବନ, ୮ଘଣ୍ଟା ବିଦ୍ୟୁତ୍‌ କାଟ: କାଳ ବୈଶାଖୀରେ ଏତେ, ବାତ୍ୟା ହେଲେ କେତେ?

Advertisment

ଗଛଡାଳ, ବିଏମ୍‌ସି ଖୁଣ୍ଟି ସମସ୍ୟା ଆଣିଲା-ଟିପିସିଓଡିଏଲ୍‌

ଗଛଡାଳ, ବିଏମ୍‌ସି ଖୁଣ୍ଟି ସମସ୍ୟା ଆଣିଲା-ଟିପିସିଓଡିଏଲ୍‌

୨ଘଣ୍ଟା ବର୍ଷାପବନ, ୮ଘଣ୍ଟା ବିଦ୍ୟୁତ୍‌ କାଟ: କାଳ ବୈଶାଖୀରେ ଏତେ, ବାତ୍ୟା ହେଲେ କେତେ?

ଖଣ୍ଡଗିରି: କା‌ଳବୈଶାଖୀ ଯୋଗୁ ବୁଧବାର ୨ଘଣ୍ଟାର ବର୍ଷା ପବନ ଯୋଗୁ ଭୁବନେଶ୍ବରର କେତେକ ଅଞ୍ଚଳରେ ୬ରୁ ୮ ଘଣ୍ଟା ଧରି ଲାଇନ୍‌ ଚାଲିଗଲା। ଭୁବନେଶ୍ବର ସହର ଠାରୁ ଉପକଣ୍ଠ ଅବସ୍ଥା ଆହୁରି ଭୟଙ୍କର ଥିଲା। ସାମାନ୍ୟ କାଳବୈଶାଖୀରେ ଯଦି ଏମିତି, ତେବେ ବାତ୍ୟା ହେଲେ କି ଅବସ୍ଥା ହେବ ସେ ନେଇ ପ୍ରଶ୍ନ ଉଠିଛି। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଓ ଗ୍ରାହକ‌ସେବା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିବା ନେଇ କୁହାଯାଉଥିଲେ ମଧ୍ୟ ଏଭଳି ପରିସ୍ଥିତି ପୁଣି ଥରେ ବିଜୁଳି ଉପଭୋକ୍ତାଙ୍କୁ ଭୟଭୀତ କରିଛି। ଲାଇନ୍‌ କଟିବାପରେ ଓ ଲୋକେ ଜଣାଇବାପରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ସ୍ଥିତି ସ୍ବାଭାବିକ ନହେବା ପ୍ରମାଣିତ କରୁଛି ଯେ କୌଣସି ବଡ଼ ଜରୁରୀକାଳୀନ ସ୍ଥିତିକୁ ସାମ୍‌ନା କରିବାଲାଗି ଏ ସହର ଏଯାଏ ପ୍ରସ୍ତୁତ ହୋଇନାହିଁ ବୋଲି ସହରବାସୀ ଅଭିଯୋଗ କରିଛନ୍ତି।

ଗତକାଲି ବର୍ଷା ପବନ ଆରମ୍ଭ ହେଉ ହେଉ ଅପରାହ୍ନ ପ୍ରାୟ ୪ଟା ବେଳେ କଳିଙ୍ଗବିହାର ଅଞ୍ଚଳରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଗଲା। ବର୍ଷା ଛାଡ଼ିବା ପରେ ମଧ୍ୟ ଆସିଲା ନାହିଁ। ଲାଇନ୍‌ ଆସିବା ବେଳକୁ ରାତି ୯ଟା ହୋଇଯାଇଥିଲା। ପାଖାପାଖି ୬ ଘଣ୍ଟା ଧରି ସମଗ୍ର ଅଞ୍ଚଳ ଅନ୍ଧା‌ର ରହିଲା। ‌ହେ‌ଲେ ସେତିକିରେ ଦୁଃଖ ସରିଲାନି। ଆଜି ଅପରାହ୍ନ ଗୋଟାଏ ବେଳୁ ପୁଣି କଟିଲା। ଆସିବା ବେଳକୁ ଅପରାହ୍ନ ୩ଟା। କେବଳ କଳିଙ୍ଗବିହାର ନୁହେଁ, ବରଂ ଭରତପୁର, ବରମୁଣ୍ଡା, ପାଇକରାପୁର, ଗୋଠପାଟଣା, ନୟାପଲ୍ଲୀ, କଣ୍ଟାବାଡ଼, ଭରତପୁର ଜିଏ କଲୋନି, ଶ୍ୟାମପୁର, ଗିରିଶ ବିହାର, କୋଳଥିଆ, ଆମ୍ରି ହସ୍ପିଟାଲ ପଛ ପଟ ଅଞ୍ଚଳରେ ବିଭିନ୍ନ ସମୟରେ ଘଣ୍ଟା ଘଣ୍ଟା ଧରି ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ପ୍ରବଳ ଗରମ ଓ ଗୁଳୁଗୁଳିରେ ଏହି ବିଦ୍ୟୁତ୍‌ କାଟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ସେହିଭଳି ଖଣ୍ଡଗିରି, ଜାଗମରା, ବରମୁଣ୍ଡା ସମେତ ଅଞ୍ଚଳର ଲକ୍ଷାଧିକ ଉପଭୋକ୍ତା ଏହି ବିଜୁଳି କାଟ୍‌ର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। କେତେବେଳେ ୧୦ ମିନିଟ୍, କେତେବେଳେ ୨୦ ମିନିଟ୍‌ ହୋଇ ଦିନକୁ ୨ଘଣ୍ଟା ଲାଇନ୍‌ କଟି ଯାଉଛି। ଅଧିକାଂଶ ବିଦ୍ୟୁତ୍‌ କାଟ ବିଳମ୍ବିତ ରାତିରେ ହେଉଛି।

ଏ ନେଇ ସ୍ଥାନୀୟ ବରମୁଣ୍ଡା ଗ୍ରାମବାସୀଙ୍କ କହିବା କଥା, ଭୁବନେଶ୍ବର ଏବେ ଉତ୍ତପ୍ତ ପିଣ୍ଡ ପାଲଟିଛି। ସର୍ବାଧିକ ତାପମାତ୍ରା ତାଲିକାରେ ଏଇ କିଛି ଦିନ ହେବ ରହିଆସୁଛି। ପ୍ରବଳ ଗୁଳୁଗୁଳି ସହ ଗରମ ଅନୁଭୁତ ହେଉଥିବାରୁ ଅନେକ ସମୟରେ ଫ୍ୟାନ୍‌ କିମ୍ବା ଏସି ମଧ୍ୟ କାମ ଦେଉନାହିଁ। ବିଜୁଳି ଦର ବଢ଼ିଲା, ଲୋକଙ୍କୁ ୭ଦିନ ଭିତରେ ଦେୟ ପଇଠ କରିବାକୁ ବାଧ୍ୟ କରାଗଲା। ମାତ୍ର ସେବାରେ ଉନ୍ନତି ଘଟିଲା ନାହିଁ। ଅଭିଯୋଗ ପାଇଁ ଯେଉଁ ନମ୍ବର ଦିଆହେଲା ତାହା ଅନେକ ସମୟରେ କାମ କରୁନାହିଁ। ଭୁବନେଶ୍ବରରେ ଲାଇନ୍‌ କଟିବ ନାହିଁବୋଲି ଘୋଷଣା କରାଗଲା। ହେ‌ଲେ କିଛି ଲାଭ ହେଲାନାହିଁ। ବରଂ ଉପଭୋକ୍ତା କଲବଲ ହେଲେ। ଏ ନେଇ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କୁହାଯାଇଛି, ଲାଇନ୍‌ ନ କଟିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। କାଳବୈଶାଖୀ ପାଇଁ ହୋଇଥିବା ସମସ୍ୟା‌ ପଛରେ ଅନେକ କାରଣ ରହିଛି। ଲକ୍ଷ୍ମୀସାଗରରେ ବିଏମ୍‌ସିର ଏକ ଦୁର୍ବଳ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ ତାର ଉପରେ ପଡ଼ିଯିବାରୁ ତାର ଛିଣ୍ଡି ଯାଇଥିଲା। ଫଳରେ ତାର ଯୋଡ଼ି ବିଜୁଳି ସଂଯୋଗ ଦେବାକୁ ସମୟ ଲାଗିଥିଲା। ଅଭିଯୋଗ ପାଇବା କ୍ଷଣି ବର୍ଷାରେ ହିଁ ମରାମତି ଆରମ୍ଭ ହୋଇଥିଲା। ସେହିଭଳି କଳିଙ୍ଗନଗର ଓ ବୁରମୁଣ୍ଡା ଅଞ୍ଚଳରେ ବଡ଼ବଡ଼ ଗଛ ପଡ଼ିଯିବାରୁ ୧୧କେଭି ତାର ଛିଣ୍ଡି ଯାଇଥିଲା। ଉଭୟ ତାର ଏକାଠି ହୋଇଯିବାରୁ ଟ୍ରାନ୍‌ସ୍‌ଫର୍ମର ପ୍ରଭାବିତ ହୋଇଥିଲା। ରାତିରେ ତାର ଯୋଡ଼ି ଟ୍ରାନ୍‌ସ୍‌ଫର୍ମର ମରାମତି କରିବାକୁ ସମୟ ଲାଗିଥିଲା। ଅନ୍ୟାନ୍ୟ ସ୍ଥାନରେ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଡାଳ କଟାଯିବା ପରେ ବିଜୁଳି ସଂଯୋଗ ନିୟମିତ କରାଯାଇଥିଲା। ଯଥାସମ୍ଭବ ଶୀଘ୍ର ବିଦୁଳି ସଂଯୋଗ ନିୟମିତ କରାଯିବାକୁ ଉଦ୍ୟମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe