କେବିଏନ୍‌ ଗ୍ରୁପ୍‌ର ଆଉ ୨ କାବୁ

Advertisment

୨୯ରୁ ବନ୍ଧାହେଲେଣି ୬, ଜାଲରେ ପଡ଼ୁନି ବୁବୁ, ଖଣ୍ଡା ଓ କାତି ଜବତ

୨୯ରୁ ବନ୍ଧାହେଲେଣି ୬, ଜାଲରେ ପଡ଼ୁନି ବୁବୁ, ଖଣ୍ଡା ଓ କାତି ଜବତ

କେବିଏନ୍‌ ଗ୍ରୁପ୍‌ର ଆଉ ୨ କାବୁ

ଭୁବନେଶ୍ବର : କମିସନରେଟ୍‌ ପୁଲିସ ଆଖିରୁ ନିଦ ହଜେଇ ଦେଇଥିବା ଅସାମାଜିକ ସଂଗଠନ କେବିଏନ୍‌ ଗ୍ରୁପ୍‌ର ଆଉ ଦୁଇ ଜଣଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ କଟକ ସାଲେପୁର ଅଞ୍ଚଳର ସାହିଲ୍‌ ସାଗର ‌ଷଡ଼ଙ୍ଗୀ(୧୯) ଓ ଗଞ୍ଜାମ ଆସ୍କା ଅଞ୍ଚଳର କାହ୍ନୁ ସାହୁ (୨୩)। ସାହିଲ୍‌ ବରମୁଣ୍ଡା ପାଇକନଗର ଅଞ୍ଚଳରେ ରହୁଥିବା ବେଳେ କାହ୍ନୁ ଡେଲ୍ଟା ଅଞ୍ଚଳରେ ରହୁଥିଲା। ପୁଲିସ ସେମାନଙ୍କଠାରୁ ଖଣ୍ଡା, କାତି ଆଦି ମାରଣାସ୍ତ୍ର ଜବତ କରିଛି। ଏହି ୨ ଜଣଙ୍କୁ ମିଶାଇ କେବିଏନ୍‌ ଗ୍ରୁପ୍‌ର ୬ ଜଣଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇଛି। କିନ୍ତୁ ମୁଖିଆ ଦେବୀପ୍ରସାଦ ଜେନା ଓରଫ୍ ବୁବୁ ଏବେ ବି ପୁଲିସ ପଞ୍ଝାରୁ ଦୂରରେ ରହିଛି।

publive-image

ସୂଚନାନୁସାରେ ରବିବାର ସନ୍ଧ୍ୟାରେ କା‌ହ୍ନୁ ଓ ସାହିଲ୍ ନିଜ ନିଜ ଖଟିରେ ଛପି ବସିଥିବା ଖବର ପୁଲିସ ପାଇଥିଲା। ତୁରନ୍ତ ନୂଆପଲ୍ଲୀ ଥାନା ପୁଲିସର ଦୁଇଟି ଟିମ୍‌ ପାଇକନଗର ଓ ଡେଲ୍ଟା ଖଟିରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଉଭୟ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏମିତିକି ପୁଲିସକୁ ପାଲଟା ଆକ୍ରମଣ କରିବାକୁ ବସିଥିଲେ। ମାତ୍ର ସବୁ ପ୍ରସ୍ତୁତି କରି ଯାଇଥିବା ପୁଲିସ ଟିମ୍‌ ହାବୁଡ଼ରୁ ଖସି ପାରିନଥିଲେ। ଏନ୍‌କାଉଣ୍ଟର ଭୟରେ ଶେଷରେ ଦୁଇ ଜଣଯାକ ହାତ ଟେକି ଦେଇଥିଲେ। ପୁଲିସ ସେମାନଙ୍କୁ କାବୁ କଲା ପରେ ଖଟି ଯାଞ୍ଚ କରିଥିଲା ଓ ସେଠାରୁ ଖଣ୍ଡା ଓ କାତି ଭଳି ମାରଣାସ୍ତ୍ର ଜବତ କରିଥିଲା। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଗ୍ୟାଙ୍ଗ୍‌ର ଅନ୍ୟତମ ସଦସ୍ୟ ରାଜେଶ ବେହେରା ଓରଫ୍ ଚେଙ୍ଗ ଆଜି ପୁଲିସ ହାବୁଡ଼ରୁ ଅଳ୍ପକେ ବର୍ତ୍ତିଯାଇଛି। କାହ୍ନୁ ଓ ସାହିଲ୍‌ଠାରୁ ସୂଚନା ପାଇ ପୁଲିସ ଟିମ୍‌ ପୋଖରୀପୁଟ ଅଞ୍ଚଳରରେ ଚେଙ୍ଗ ଘରେ ଚଢ଼ଉ କରିଥିଲେ। ମାତ୍ର କୌୗଣସି ସୂତ୍ରରୁ ଖବର ପାଇ ଚେଙ୍ଗ ଖସି ପଳାଇଥିଲା। ସେ ମାରଣାସ୍ତ୍ର ରଖୁଥିବା ଏକ ଆଜ୍‌ବେଷ୍ଟସ୍‌ ଘରକୁ ପୁଲିସ ଭାଙ୍ଗି ଭିତରୁ କିଛି ଅସ୍ତ୍ର ଜବତ କରିଥିଲା।

ପୁଲିସ ସୂଚନାନୁସାରେ ଦେବୀପ୍ରସାଦ ଜେନା ଓରଫ୍ ବୁବୁ ପରିଚାଳିତ କେବିଏନ୍‌ ଗ୍ୟାଙ୍ଗ୍‌ରେ ପ୍ରାୟ ୨୯ ଜଣ ସଦସ୍ୟ ଅଛନ୍ତି। ପୂର୍ବରୁ ୪ ଜଣଙ୍କୁ ଗିରଫ କରାଯାଇଛି। ଆଜି ଗିରଫ ହୋଇଥିବା ୨ ଜଣ ମଧ୍ୟ ବିଭିନ୍ନ ସଂଗିନ୍ ମାମଲାରେ ସମ୍ପୃକ୍ତ। ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଛି ଓ ଖୁବ୍‌ ଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ। ମୁଖିଆ ବୁବୁ ଓ ଅନ୍ୟ କିଛି ସଦସ୍ୟ ରାଜଧାନୀ ଛାଡ଼ି ବାହାରକୁ ପଳାଇଛନ୍ତି। କିନ୍ତୁ ସ୍ବତନ୍ତ୍ର ପୁଲିସ ଟିମ୍‌ ବୁବୁକୁ ପିଛା କରୁଛି। ସେ ବେଶି ଦିନ ପୁଲିସ ହାତରୁ ବର୍ତ୍ତିବ ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସେହିଭଳି ଏହି ଗ୍ୟାଙ୍ଗ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ଯୋଜନା କରାଯାଉଛି। ସୂଚନାଯୋଗ୍ୟ ଗତ ୫ ଦିନ ପୂର୍ବେ ବୁବୁ ପୁରୀରେ ପୁଲିସକୁ ଚକ୍‌ମା ଦେଇ ଖସିଯାଇଛି। ଏବେ ସେ ପୁରୀ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe