ନନ୍ଦନକାନନରେ ୨ କଳାବାଘ ଜନ୍ମ

Advertisment
ନନ୍ଦନକାନନରେ ୨ କଳାବାଘ ଜନ୍ମ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୩ ନମ୍ବର ଖୁଆଡ଼ ମଧ୍ୟରେ ସାଧାରଣ ନାଲି ରଙ୍ଗର ବାଘୁଣୀ ରେଣୁକା(୧୦)ର ଦ୍ୱିତୀୟ ଗର୍ଭରୁ ୨ଟି ବିରଳ କଳାବାଘ ଶାବକ ଜନ୍ମ ଲାଭ କରିଛନ୍ତି। ଦୁଇ ଶାବକ ମଧ୍ୟରୁ ଗୋଟିଏ ଶୁକ୍ରବାର ରାତି ୩ଟା ୪୦ ମିନିଟ୍‌ରେ ଓ ଅନ୍ୟଟି ଶନିବାର ମଧ୍ୟାହ୍ନ ୧୨ଟା ବେଳେ ଜନ୍ମ ହୋଇଥିବା ଖୁଆଡ଼ ମଧ୍ୟରେ ଲାଗିଥିବା ୬ଟି ସିସିଟିଭି ଚିତ୍ରରୁ ସ୍ପଷ୍ଟ ହୋଇଛି। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଏହି ସୂଚନା ଦେଇଛନ୍ତି। ମନୀଷ ସହ ମିଳନରୁ ଗର୍ଭଧାରଣ କରିଥିବା ରେଣୁକା ୧୦୧ ଦିନ ପରେ ଏହି ଶାବକଦ୍ୱୟଙ୍କୁ ଜନ୍ମ ଦେଇଛି। ମା’ ବାଘୁଣୀ ଛୁଆଙ୍କୁ କୋଳରେ ରଖି କ୍ଷୀର ପାନ କରାଉଥିବା ଦେଖିବାକୁ ମିଳିଛି। ଗତ ସେପ୍ଟେମ୍ବର ୨ ତାରିଖରେ ମୃତ୍ୟୁବରଣ କରିଥିବା ସାଧାରଣ ନାଲି ରଙ୍ଗର ମହାବଳ ବାଘ ମନୀଷ ଔରସରୁ ଜନ୍ମଲାଭ କରିଥିବାରୁ ଏମାନଙ୍କୁ ମନୀଷର ଶେଷ ସନ୍ତକ ବୋଲି କୁହାଯାଉଛି। ଶାବକ ଦୁଇଟିଙ୍କ ଜନ୍ମ ଫଳରେ ନନ୍ଦନକାନନର କଳାବାଘ ସଂଖ୍ୟା ୪କୁ ବୃଦ୍ଧି ହୋଇଛି। ଏମାନଙ୍କ ଜନ୍ମ ପରେ ବିଶ୍ୱରେ ପ୍ରଥମ କଳାବାଘ ସଫାରି କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। ଭିକି ଏବେ ୩୦ ନମ୍ବର ଖୁଆଡ଼ ମଧ୍ୟରେ ରହୁଥିବା ବେଳେ କ୍ରିଷ୍ଣା ଓ ସ୍ନେହାଶିଷ ବାଘ ସଫାରି ମଧ୍ୟରେ ରହି ପର୍ଯ୍ୟଟକଙ୍କୁ ମନୋରଂଜନ କରୁଛନ୍ତି। ଆଜି ଜନ୍ମିତ କଳା ଶାବକ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ବେଶ୍ ଉତ୍ସାହିତ କରିଛନ୍ତି। ସେମାନେ ଏକ କଳା ବାଘ ସଫାରି କରି ବିଶ୍ୱରେ ନନ୍ଦନକାନନକୁ ଚର୍ଚ୍ଚିତ କରିବା ସହ ଓଡ଼ିଶାର ଗୌରବ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି।

କଳାବାଘଙ୍କ ଇତିହାସ
ବିଶ୍ୱର ଚିଡ଼ିଆଖାନା ଇତିହାସରେ ପ୍ରଥମ କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୨୦୧୪ ଜୁଲାଇ ୨୮ତାରିଖରେ କଳାବାଘ ଜନ୍ମଲାଭ କରିଥିଲା।
ଧଳା ରଙ୍ଗର ବାଘୁଣୀ ସ୍ନେହା ଓ ସାଧାରଣ ରଙ୍ଗର ମହାବଳ ବାଘ ମନୀଷର ମିଳନରୁ ଜନ୍ମଲାଭ କରିଥିଲେ ଗୋଟିଏ ବିରଳ କଳାବାଘ କ୍ରିଷ୍ଣା ଓ ଧଳା ବାଘ ସ୍ନେହାଶିଷ।
ଏହା ପରେ ଦ୍ୱିତୀୟ କଳାବାଘ ଛୁଆ ଗତ ୨୦୧୬ ମେ’ ୨୫ ତାରିଖରେ ରେଣୁକାର ପ୍ରଥମ ଗର୍ଭ ତଥା ଧଳା ବାଘ ସମ୍ରାଟ ଔରସରୁ ଜନ୍ମଲାଭ କରଥିଲା। କିନ୍ତୁ ଜନ୍ମ ପରବର୍ତ୍ତୀ ଯତ୍ନ ଅଭାବରୁ ତା’ର ମୃତ୍ୟୁ ହୋଇ ଯାଇଥିଲା।
ସେହିବର୍ଷ ୨୦୧୬ ଅଗଷ୍ଟ ୫ ତାରିଖରେ ଧଳା ବାଘୁଣୀ ସ୍ନେହା ଓ ମହାବଳ ମନୀଷର ମିଳନରୁ ଏକ କଳାବାଘ ଭିକିର ଜନ୍ମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe