ଆବର୍ଜନା, ପଲିଥିନ୍‌କୁ ନେଇ କାର୍ଯ୍ୟାନୁଷ୍ଠାନ: ୨ ଜଣଙ୍କୁ ୭୦ ହଜାର ଜରିମାନା‌

Advertisment
ଆବର୍ଜନା, ପଲିଥିନ୍‌କୁ ନେଇ କାର୍ଯ୍ୟାନୁଷ୍ଠାନ: ୨ ଜଣଙ୍କୁ ୭୦ ହଜାର ଜରିମାନା‌

ଭୁବନେଶ୍ବର : ରାସ୍ତାକଡ଼ରେ ବାଲି, ଗୋଡ଼ି, ଇଟା ଗଦା କଲେ ତଣ୍ଡ ଗଣିବେ। ଅନେକ ଦିନରୁ ବିଏମ୍‌ସି ଏ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି କ୍ରମରେ ଆଜି ଦୁଇଜଣଙ୍କୁ ୭୦ ହଜାର ଜରିମାନା କରାଯାଇଛି। ରାସ୍ତାକଡ଼ରେ ବାଲି ଗଦା କରିଥିବାରୁ ପ୍ଲଟ୍‌ ନମ୍ବର ୫୦୧ର ଉପାସନା ଜେନାଙ୍କୁ ୨୦ ହଜାର ଟଙ୍କା ଜରିମାନା କରାଯିବା ସହ ଗଦା ହୋଇଥିବା ବାଲିକୁ ଜବତ କରାଯାଇଛି। ସେହିଭଳି ସତ୍ୟନଗର ଓଭରବ୍ରିଜ୍‌ ନିକଟ କଟକ ରୋଡ୍‌ରେ ପଣ୍ଡା ଆଣ୍ଡ କମ୍ପାନିକୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି।

ବିଭିନ୍ନ ଫୋରମ୍‌ରେ ଅଭିଯୋଗ ଆସିବା ସହ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ବୁଲି ବୁଲି ଅନୁଧ୍ୟାନ କରୁଛି। ଏଣୁ ରାସ୍ତା କଡ଼ରେ ଏଭଳି ଗଦା ନ କରିବା ପାଇଁ ବିଏମ୍‌ସି ପରାମର୍ଶ ଦେଇଛି। ସେହିଭଳି ନିଷିଦ୍ଧ ପଲିଥିନ୍‌କୁ ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି। କୋଚିଲେଇ ହାଟରେ ଏକ ଦୋକାନ ସିଲ୍‌ କରାଯିବା ସହ ଦୋକାନୀଙ୍କୁ ସଚେତନ କରାଯାଇଛି।

ଅନ୍ୟପଟେ ରାସ୍ତା କଡ଼ରେ ପଡ଼ି ରହିଥିବା ଅଚଳ ଗାଡ଼ି ସହ କ୍ୟାବିନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବାକୁ ବିଏମ୍‌ସି ଯୋଜନା କରିଛି। ଗତ ସପ୍ତାହରେ ବିଭିନ୍ନ ଜାଗାରେ ନୋଟିସ୍‌ ଲଗାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ସେ ସବୁକୁ ସମ୍ପୃକ୍ତ ମାଲିକମାନେ ନ ନେଲେ ବିଏମ୍‌ସି ଉଠାଇ ଆଣିବ ବୋଲି ଘୋଷଣା କରିଛି। ଆଜି ସୁଦ୍ଧା ହଜାରରୁ ଊର୍ଦ୍ଧ୍ବ ଗାଡ଼ି, କ୍ୟାବିନ୍‌, ଠେଲାଗାଡ଼ି, ବାକ୍ସ ପ୍ରଭୃତିରେ ନୋଟିସ୍‌ ଲଗା ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe