The Indian Express
ଭୁବନେଶ୍ବର: ରାଜ୍ୟର ୩ଟି ମ୍ୟୁନିସିପାଲଟିରେ ପାଇଲଟ୍ ପ୍ରକଳ୍ପ ଜରିଆରେ ୪ଟି ଷ୍ଟ୍ରିଟ୍ ଫୁଡ୍ ହବ୍କୁ ରାଜ୍ୟ ସରକାର ବିକଶିତ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ସର୍ପୋଟ ଟୁ ଅର୍ବାନ୍ ଷ୍ଟ୍ରିଟ ଭେଣ୍ଡର୍ସ(ଏସ୍ୟୁଭିୟୁ) ଯୋଜନାରେ ଏହି ଫୁଡ୍ ହେବ କାର୍ଯ୍ୟକ୍ଷମ ହେବ। ଗୋଟିଏ ହବ୍ରେ ଅତିକମ୍ରେ ୫୦ଜଣ ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡର ରହିବା ସହିତ ଏହାକୁ ବିକଶିତ କରିବା ପାଇଁ ୧କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏନ୍ଏଚ୍ଏମ୍, ଓଡ଼ିଶା ଓ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସହାୟତାରେ ଏହି ଫୁଡ୍ ହବ୍ ଖୋଲିବ। ଭୁବନେଶ୍ବରସ୍ଥିତ ଅରଣ୍ୟ ଭବନ ସମ୍ମୁଖରେ ଥିବା ପ୍ରୟାସ, ଶୈଳଶ୍ରୀବିହାରସ୍ଥିତ ମଙ୍ଗଳା ମନ୍ଦିର ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍କୁ ଚୟନ କରାଯାଇଛି।
ଏସବୁ ଷ୍ଟ୍ରିଟ୍ ଫୁଡ୍ ହବ୍ରେ ବିକ୍ରି ହେବାକୁ ଥିବା ଖାଦ୍ୟକୁ ୨୦୧୧ ମସିହା ଖାଦ୍ୟ ସୁରକ୍ଷା ଓ ମାନଦଣ୍ଡ ନିୟମକୁ ଅନୁପାଳନ କରିବାକୁ ହେବ। ହବ୍କୁ ବିକଶିତ କରିବା ପାଇଁ ୧କୋଟି ଖର୍ଚ୍ଚ ହେବ। ତହିଁରୁ ୬୦% ଏନ୍ଏଚ୍ଏମ୍ ଓ ୪୦% ସ୍ଥାନୀୟ ମହାନଗର ନିଗମ ପକ୍ଷରୁ ପ୍ରଦାନ କରିବେ। ସେଠାରେ ବିଶୁଦ୍ଧ ପାଣି, ୱାସରୁମ୍, ତରଳ ଓ କଠିନ ବର୍ଜ୍ୟବସ୍ତୁର ନିର୍ଗମନ ପାଇଁ ବ୍ୟବସ୍ଥାରେ ଏହି ଅର୍ଥ ଖର୍ଚ୍ଚ କରାଯିବ। ମାତ୍ର ଦୋକାନର ନିର୍ମାଣ କିମ୍ବା ନବୀକରଣ, ଚିହ୍ନ, ବ୍ରାଣ୍ଡିଂ ପାଇଁ ଏହି ଅର୍ଥକୁ ଖର୍ଚ୍ଚ କରାଯିବ ନାହିଁ। ଏହାସହ ମୁକ୍ତା ଯୋଜନାର କୌଣସି ପ୍ରକାର ନକଲ ନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଅାସନ୍ତା ସପ୍ତାହରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ଏକ ଟିମ୍ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ଓ କଟକରେ ଷ୍ଟ୍ରିଟ୍ ଫୁଡ୍ରେ ଉପଲବ୍ଧ ଖାଦ୍ୟର ମାନ ଯାଞ୍ଚ କରିବେ।
Follow Us