ରମାଦେବୀରେ ଯୁକ୍ତ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା

Advertisment
ରମାଦେବୀରେ ଯୁକ୍ତ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ରାଜଧାନୀବାସୀଙ୍କ ମନରୁ ନ ଲିଭୁଣୁ ଆଜି ରମାଦେବୀ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରୀନିବାସରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ବିଭିନ୍ନ ମହଲରରେ ଗଭୀର ଆଲୋଡନ ସୃଷ୍ଟି କରିଛି। ମୃତ ଛାତ୍ରୀ ହେଲେ ରାୟଗଡ଼ା ଜିଲ୍ଲା ଟିକିରିର ଯୁକ୍ତ ଦୁଇ କଳା ପ୍ରଥମ ବର୍ଷର ଛାତ୍ରୀ ପ୍ରଜ୍ଞା ମହାନ୍ତି। ତେବେ ରୁଚିକା ରୢାଗିଂର ଶିକାର ହୋଇଥିବା ନେଇ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିବା ବେଳେ ପ୍ରଜ୍ଞା ପାଠପଢ଼ା ଚାପ ଯୋଗୁଁ ଏହି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ସୁଇସାଇଡ୍‌ ନୋଟ୍‌ରୁ ଜଣାପଡ଼ିଛି। କିନ୍ତୁ ତାଙ୍କ ସହପାଠିନୀମାନେ ଏଥିପାଇଁ ଏକ କୋଚିଂ ସେଣ୍ଟରକୁ ଦାୟୀ କରୁଥିବାରୁ ପଢ଼ା ଚାପ ପାଇଁ କିଏ ଦାୟୀ, ତାହା ଏବେ ତଦନ୍ତସାପେକ୍ଷ ହୋଇପଡ଼ିଛି। ସହିଦନଗର ଥାନା ପୁଲିସ ପ୍ରଜ୍ଞାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଆସନ୍ତାକାଲି ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ।

ସୁଇସାଇଡ୍‌ ନୋଟ୍‌ରେ ‘ପଢ଼ା ଚାପ’
କୋଚିଂ ସେଣ୍ଟରକୁ ଦାୟୀ କଲେ ସହପାଠିନୀ

ସୂଚନା ମୁତାବକ ଆସନ୍ତାକାଲି ପ୍ରଜ୍ଞା ରାଜନୈତିକ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଥା’ନ୍ତେ। ଆଜି ପରୀକ୍ଷା ନଥିବାରୁ ସେ ଅନ୍ୟତମା ହଷ୍ଟେଲ୍‌ର ତିନି ମହଲାରେ ରୁମ୍‌ ନଂ-୫୨ରେ ଏକୁଟିଆ ପଢ଼ାପଢ଼ି କରୁଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୧ଟା ସମୟରେ ଅନ୍ୟ ଛାତ୍ରୀମାନେ ପରୀକ୍ଷାରୁ ହଷ୍ଟେଲ୍‌କୁ ଫେରି ପ୍ରଜ୍ଞାଙ୍କୁ କବାଟ ଖୋଲିବାକୁ ଡାକିଥିଲେ। କିନ୍ତୁ ସେ କୌଣସି ଜବାବ ନ ଦେବାରୁ ସେମାନେ ଝରକା ବାଟେ ଦେଖିଥିଲେ। ବେକରେ ଚୁନ୍‌ରି ବନ୍ଧା ହୋଇଥିବା ଅବସ୍ଥାରେ ପ୍ରଜ୍ଞାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖି ସହପାଠିନୀମାନେ ଚିତ୍କାର କରି ଅନ୍ୟମାନଙ୍କୁ ଡାକିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ରୁମ୍‌ରୁ ପୁଲିସ ଏକ ସୁଇସାଇଡ୍‌ ନୋଟ, ମୋବାଇଲ୍‌ ଫୋନ୍‌ ଜବତ କରିଛି। ‘ବାପା ଯେତେ ପଢ଼ିଲେ ବି ମନେ ରହୁନି। ବର୍ଷେ ହେବ ବହୁତ ପଢ଼ୁଛି। ‌ହେଲେ ମୋ ଦ୍ବାରା ହେଉନି। କ’ଣ କରିବି?’ ଏମିତି କିଛି ଲେଖାଥିଲା ସୁଇସାଇଡ୍‌ ନୋଟ୍‌ରେ।

ସହପାଠିନୀମାନଙ୍କଠାରୁ ମିଳିଥିବା ସୂଚନାନୁସାରେ ପ୍ରଜ୍ଞା ବିଜ୍ଞାନ ପଢ଼ିବା ପାଇଁ ମନସ୍ଥ କରିଥିଲେ ବି କଳାରେ ନାମ ଲେଖାଇଥିଲେ। ତେଣୁ ସେ ଆଦୌ ଖୁସିନଥିଲେ। ପ୍ରଥମେ ସେ ହଷ୍ଟେଲ୍‌ରେ ରହୁଥିଲେ। କିନ୍ତୁ କିଛି ଦିନ ପରେ ହଷ୍ଟେଲ୍‌ ଛାଡ଼ି ବାହାରେ ଅନ୍ୟସାଙ୍ଗଙ୍କ ସହ ମେସ୍‌ରେ ରହିଲେ। ହେଲେ ସେଠି ବି ସେ ବେଶି ଦିନ ରହିନଥିଲେ। ତେଣୁ ପ୍ରାୟ ୩ ମାସ ତଳେ ସେ ପୁଣି ହଷ୍ଟେଲ୍‌କୁ ଫେରିଥିଲେ। ହଷ୍ଟେଲ୍‌ରେ ସେ ସବୁବେଳେ ଅନ୍ୟମନସ୍କ ରହୁଥିଲେ ଏବଂ ଭଲରେ ଖିଆପିଆ କରୁନଥିଲେ। ତେବେ ଏନେଇ ସେ ସାଙ୍ଗମାନଙ୍କୁ କିଛି କହୁନଥିଲେ। କିଛି ସହପାଠିନୀ କହିଛନ୍ତି ‌ଯେ ପ୍ରଜ୍ଞା ଏକ କୋଚିଂ ସେଣ୍ଟରକୁ ଯାଉଥିଲେ। ସେଠାକୁ ଯିବା ପରଠୁ ସେ ବିଚଳିତ ରହୁଥିଲେ। ତେଣୁ ଆଜି ପ୍ରଜ୍ଞାଙ୍କ ଆତ୍ମହତ୍ୟା କଥା ଜଣାପଡ଼ିବା ପରେ ଛାତ୍ରୀମାନେ ହୋ-ହଲ୍ଲା କରି ସେହି କୋଚିଂ ସେଣ୍ଟରକୁ ଏଥିପାଇଁ ଦାୟୀ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe