ରହସ୍ୟରେ ୨୦ ମିନିଟ୍‌, ସନ୍ଦେହରେ ଡାକ୍ତରଙ୍କ ମୃତ୍ୟୁ

୫ ଦିନ ପରେ ବି ପୁଲିସ ହାତ ଖାଲି, ବାଇକ୍‌ ପରେ ଏବେ ଅଟୋରିକ୍ସା

 ଷ୍ଟେସନ୍‌ରେ ଡାକ୍ତରଙ୍କ ମୃତଦେହ ମିଳିବା ଘଟଣା: ମାମଲା ଚାପି ଦେବାକୁ ଷଡ଼ଯନ୍ତ୍ର

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଜଣାଶୁଣା ଶିଶୁ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର ନାଥ ରଥଙ୍କ ମୃତ୍ୟୁକୁ ୫ ଦିନ ବିତି ଯାଇଥିଲେ ହେଁ ଜିଆରପି ଥାନା ପୁଲିସର ତଦନ୍ତ ପାଦେ ଆଗେଇ ପାରି ନାହିଁ। ଡା. ରଥଙ୍କୁ ହତ୍ୟା କରାଯାଇଛି ନା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି, ପୁଲିସ ତାହା ସ୍ପଷ୍ଟ କରି ପାରି ନାହିଁ। ଅନ୍ଧାରରେ ବାଡ଼ି ବୁଲାଇବା ଭଳି ପୁଲିସ ଡା. ରଥଙ୍କ ପରିବାର, କ୍ଲିନିକ୍‌ କର୍ମଚାରୀ ଓ ଷ୍ଟେସନ୍‌ରେ ଥିବା କିଛି ଦୋକାନୀଙ୍କୁ ପଚରାଉଚରା କରୁଛି। କିନ୍ତୁ ଏଯାବତ୍‌ କୌଣସି ନିଷ୍କର୍ସରେ ପହଞ୍ଚି ପାରି ନାହିଁ। ଡା. ରଥଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅନେଇ ବସିଥିଲା। ସୋମବାର ରିପୋର୍ଟ ଆସିବା ପରେ ମଧ୍ୟ ପୁଲିସ ସେଥିରୁ କିଛି ଖିଅ ପାଉନାହିଁ। ଅପରପକ୍ଷେ ଏତେ ରାତିରେ ଡା. ରଥଙ୍କୁ କିଏ ଷ୍ଟେସନ୍‌ ଆଣି ଆସିଥିଲା, ତାହା ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଡା. ରଥ ଯେଉଁ ବାଇକ୍‌ରେ ଷ୍ଟେସନ୍‌ ଆସିଥିଲେ ବୋଲି ପୁଲିସ କହୁଛି, ତାହାର ନମ୍ବର କିମ୍ବା ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ସଂପର୍କରେ ପୁଲିସ ହାତରେ କିଛି ତଥ୍ୟ ଲାଗି ନାହିଁ।

ଅପରପକ୍ଷେ ଆଜି ଡା. ରଥଙ୍କ ସାନପୁଅ ସ୍ୱରୂପ ଏକ ଭିନ୍ନ ତଥ୍ୟ ଦେଇଥିବାରୁ ଘଟଣା ଅଧିକ ରହସ୍ୟମୟ ହୋଇପଡ଼ିଛି। ସେ କହିଛନ୍ତି ଯେ ଡା. ରଥ ସାମନ୍ତରାପୁରସ୍ଥିତ କ୍ଲିନିକ୍‌ରୁ ଏକ ଅଟୋରେ ଷ୍ଟେସନ୍‌କୁ ଯାଇଥିଲେ। ସେ ଅଟୋରେ ଚଢ଼ିବା ବେଳର ଦୃଶ୍ୟ କ୍ଲିନିକ୍‌ ନିକଟରେ ଥିବା ଏକ ସିସିଟିଭିରେ କଏଦ୍‌ ହୋଇଛି। ରାତି ପ୍ରାୟ ୯ଟା ୧୪ରେ ସେ ଅଟୋରେ ଚଢ଼ିଥିବା ବେଳେ ୯ଟା ୨୫ରେ ଷ୍ଟେସନ୍‌ରେ ପହଞ୍ଚି ଯାଇଥିଲେ। ଏହାର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ମିଳିଛି। ଅଟୋ ରିଜର୍ଭ ନ କଲେ ଏତେ କମ୍‌ ସମୟ ମଧ୍ୟରେ (ମାତ୍ର ୧୧ ମିନିଟ୍‌)ରେ ଜଣେ ଷ୍ଟେସନ୍‌ରେ ପହଞ୍ଚିବା ସମ୍ଭବ ନୁହେଁ ବୋଲି ତାଙ୍କ ପୁଅ ଯୁକ୍ତି ବାଢ଼ିଛନ୍ତି। ଅପରପକ୍ଷେ ସ୍ୱରୂପ ଆହୁରି କହିଛନ୍ତି ଯେ ଅଟୋରେ ବାପା ଚଢ଼ିବା ପୂର୍ବରୁ ସେଥିରେ ଜଣେ ବ୍ୟକ୍ତି ବସିଥିଲେ। ସେ ବାପାଙ୍କର ଜଣାଶୁଣା ହୋଇପାରନ୍ତି ଓ ପୂର୍ବରୁ ସେ ଅଟୋଟିକୁ ରିଜର୍ଭ କରିଥାଇପାରନ୍ତି ବୋଲି ସ୍ୱରୂପ ସନ୍ଦେହ କରୁଛନ୍ତି। ଯେଉଁଥିପାଇଁ ଅଟୋଟି ଏତେ କମ୍‌ ସମୟ ମଧ୍ୟରେ ଷ୍ଟେସନ୍‌ରେ ପହଞ୍ଚି ଯାଇଥିଲା। ତେଣୁ ଉକ୍ତ ବ୍ୟକ୍ତିଙ୍କ ସଂପର୍କରେ କିଛି ସୂଚନା ମିଳିପାରିଲେ, ଅନେକ ରହସ୍ୟ ଉପରୁ ପରଦା ହଟିପାରନ୍ତା ବୋଲି ସେ କହିଛନ୍ତି। ସେହିପରି ୯ଟା ୨୫ରେ ଡାକ୍ତର ରଥ ଷ୍ଟେସନ୍‌ରେ ପହଞ୍ଚିବାର ଦୃଶ୍ୟ କଏଦ୍‌ ହୋଇଥିବା ବେଳେ ୯ଟା ୪୫ରେ ତାଙ୍କୁ ଫୁଟ ଓଭରବ୍ରିଜ୍‌ ଉପରେ ଠାବ କରାଯାଇଥିଲା। କିନ୍ତୁ ଏହି ମଧ୍ୟବର୍ତ୍ତୀ ୨୦ ମିନିଟ ସମୟ ସେ ଷ୍ଟେସନ୍‌ ଭିତରେ କେଉଁଠାରେ, କାହା ସହ ଥିଲେ ବା କଥାବାର୍ତ୍ତା କଲେ, ସେ ନେଇ କୌଣସି ସିସିଟିଭି ଫୁଟେଜ୍‌ ନାହିଁ। ତେଣୁ ସେହି ସମୟତକ ମଧ୍ୟ ତଦନ୍ତ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱରୂପ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe