ଏକାମ୍ର କ୍ଷେତ୍ରର ୨୧ ମଣ୍ଡପରେ ମା’

Advertisment
ଏକାମ୍ର କ୍ଷେତ୍ରର ୨୧ ମଣ୍ଡପରେ ମା’

ପୁରୁଣା ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ପାଳିତ ହେଉଥିଲେ ମଧ୍ୟ ମା’ଜଗତ ଜନନୀଙ୍କ ପୂଜାକୁ ନେଇ ଏକାମ୍ର କ୍ଷେତ୍ର ତଥା ପୁରୁଣା ଭୁବନେଶ୍ବର ଅଞ୍ଚଳରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି କ୍ଷେତ୍ରର ୨୧ ମଣ୍ଡପରେ ମା’ ଦୁର୍ଗା ବିରାଜମାନ ହୋଇଛନ୍ତି। ସାଜସଜ୍ଜା, ବାଣବାଜାର କୋଳାହଳ ନଥିଲେ ମଧ୍ୟ ସମଗ୍ର ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଛି। ଦୁର୍ଗତିନାଶିନୀ ଦେବୀ ମା’ ଦୁର୍ଗାଙ୍କ ଆଗମନ ଘରେ ଘରେ ଉତ୍ସବର ମାହୋଲ ସୃଷ୍ଟି କରିଛି। ସର୍ବପୁରାତନ ବଣିଆ ସାହି, ଜମେଶ୍ବର ପାଟଣାସାହି, ହାଟ ସାହି, ବଡ଼ୁ ସାହି, ବ୍ରାହ୍ମଣ ସାହି, ହରଚଣ୍ଡୀ ସାହି, ଗୋସାଗରେଶ୍ବର ସାହି, କୈବର୍ତ୍ତ ସାହି, ଭୀମଟାଙ୍ଗୀ, ପୁନାମା ଗେଟ୍‌, ରବି ଟକିଜ୍, ବ୍ରହ୍ମେଶ୍ବର ପାଟଣା, ଶିଶୁପାଳଗଡ଼, ସାମନ୍ତରାପୁର, ଖରାଖିଆ ବୈଦନାଥ, ବିଦ୍ୟୁତ୍ ଅଫିସ୍‌ ଛକ, କପିଳ ପ୍ରସାଦ ଅଞ୍ଚଳରେ ମା’ଙ୍କ ମୂର୍ତି ପୂଜା ଆରମ୍ଭ ହୋଇଛି। ତେବେ ଦର୍ଜି ସାହି, ଡାକବଙ୍ଗଳା, ପୂଜାପଣ୍ଡା ସାହି, ରାମେଶ୍ବର ବାରିକ ସାହି, ମହାବୀର ଛକ, ମଠ ଭୋଇସାହି, କେଦାରଗୌରୀ ମହାବୀର ପଳାସପଲ୍ଲୀ ପ୍ରଭୂତି ସ୍ଥାନରେ ଶୁକ୍ରବାର ସକାଳୁ ପୂଜା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ସୂଚନାନୁସାରେ ଚଳିତ ବର୍ଷ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ୨୧ଟି ମଣ୍ଡପରେ ପୂଜା କରାଯାଇଛି। କରୋନା କଟକଣା ଯୋଗୁଁ ସର୍ବସାଧାରଣଙ୍କ ମଣ୍ଡପ ଦର୍ଶନ ବନ୍ଦ ରହିଛି ଓ ଏଥିପାଇଁ ପୁଲିସ ପ୍ରଶାସନ ସଜାଗ ରହିଛି। ଆଜି କିଛି ମଣ୍ଡପରେ ପୁଲିସ ପକ୍ଷରୁ ମୂର୍ତ୍ତି ମାପ କରାଯାଇଛି। କୋଭିଡ୍‌ କଟକଣା ଅନୁସାରେ ମୂର୍ତ୍ତି କରିବାକୁ ସବୁ କମିଟିକୁ ନିର୍ଦ୍ଦେଶ ଥିଲା। ତେଣୁ ମୂର୍ତ୍ତି ନିର୍ମାଣ ଯାଞ୍ଚ ପାଇଁ ମାପ ନିଆଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି।

ପଟ୍ଟଚିତ୍ରରେ ଦୁର୍ଗାଙ୍କୁ ଅବାହନ
ପୁରୁଣା ଭୁବନେଶ୍ୱର : ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମା’ ଜଗତ ଜନନୀ। ତେ‌ବେ କରୋନା ଯୋଗୁଁ ଏଥର କଟକଣାରେ ମା’ ଦୂର୍ଗାଙ୍କ ପୂଜା ହେଉଥିବା ବେଳେ ପଟ୍ଟଚିତ୍ରରେ ମା’ଙ୍କୁ ଆବାହନ କରିଛନ୍ତି ଯୁବ ଚିତ୍ରକର। ଚିତ୍ରକଳା ଅଭିନବ ଉପାୟରେ ମା’ ଦୁର୍ଗାଙ୍କ ଚିତ୍ର ଆଙ୍କିଛନ୍ତି ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ନଗରର ଶିଳ୍ପୀ ରାଜକିଶୋର ମହାରଣା। ଦେବୀ ଦୁର୍ଗାଙ୍କ ଆବାହନ ସହ ଅସୁରଘାତିନୀ ମହାଶକ୍ତିଙ୍କର ପୂଜା କରାଯାଏ। ଏହି ମହାଶକ୍ତିଙ୍କୁ ସେ ନିଜ ସୃଜନରେ ପରିପ୍ରକାଶ କରି ଚର୍ଚ୍ଚାକୁ ଆସିଛନ୍ତି।

ଚାରି ଫୁଟ୍‌ରେ ମୃଣ୍ମୟୀ ମା’
ଭୁବନେଶ୍ବର : କରୋନା କେବଳ ପୂଜାକୁ ଫିକା କରିଦେଇନି, ମା’ଙ୍କ ଉଚ୍ଚତା ଉପରେ ବି ଅଙ୍କୁଶ ଲଗାଇଛି। କମିସନରେଟ୍‌ ପୁଲିସ୍‌ର କଟକଣା ପରେ ରାଜଧାନୀରେ ମା’ଙ୍କ ମୃଣ୍ମୟୀ ମୂର୍ତିକୁ ୪ ଫୁଟ ମଧ୍ୟରେ ସୀମିତ ରଖାଯାଇଛି। ଏନେଇ ଯଦିଓ ପୂଜା କମିଟି ସନ୍ତୁଷ୍ଟ ହୋଇପାରିନାହାନ୍ତି, କିନ୍ତୁ କରୋନା ଆଗେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଛନ୍ତି। ମୂର୍ତି ୪ ଫୁଟ ଉଚ୍ଚର ହୋଇଥିଲେ ହେଁ କିଛି ସ୍ଥାନରେ ଏହାକୁ ଦୃଷ୍ଟିରେ ରଖି ଆକର୍ଷଣୀୟ ମେଢ଼ ପ୍ରସ୍ତୁତ ହୋଇଛି। ତେବେ ଅଳଙ୍କାରରେ ଭୂଷିତ ହେଉଥିବା ମା’ଙ୍କୁ ଏଥର ବିନା ଅଳଙ୍କାରରେ ଦେଖିବାକୁ ମିଳିଛି। କିଛି ପୂଜା କମିଟି ମାଟିରେ ଅଳଙ୍କାର ପ୍ରସ୍ତୁତ କରି ପିନ୍ଧାଇଛନ୍ତି। ଷ୍ଟେସନ ବଜାର ଦୁର୍ଗାପୂଜା କମିଟି ଓ ସହିଦନଗର ପୂଜା କମିଟି ପକ୍ଷରୁ ଚାନ୍ଦି ମେଢ଼ ଲାଗୁଥିଲେ ହେଁ ଏଥର ଏଠାରେ ବିନା ଚାନ୍ଦି ମେଢ଼ରେ ମା’ ବିରାଜମାନ କରିଛନ୍ତି।

ବଡ଼ଗଡ଼ ଗ୍ରାମ ଦୁର୍ଗାପୂଜା, ନିରାଡ଼ମ୍ବରରେ ମହାଷ୍ଟମୀ ସନ୍ଧି ପୂଜା
ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ର ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ୧୯୮୫ ମସିହାରୁ ମା’ ପୂଜା ପାଇ ଆସୁଥିଲେ ହେଁ ଏଥର ସବୁ ଆଡ଼ମ୍ବରରେ ରୋକ୍‌ ଲାଗିଛି। କରୋନା ପାଇଁ କଟକଣା ଜାରି ହୋଇଥିବା ବେଳେ ବିଧି ରକ୍ଷା ପାଇଁ ବିଲ୍ବବରଣ ସହ ପୂଜା ଆରମ୍ଭ ହୋଇଛି। ଆଗରୁ ସନ୍ଧ୍ୟାରେ ୩ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିବା ବେଳେ ଏଥର ଏହା ଦେଖିବାକୁ ମିଳିବନାହିଁ। ତେବେ ମା’ଙ୍କ ମହାଷ୍ଟମୀ ସନ୍ଧି ପୂଜା ବିଶେଷ ଭାବେ ପାଳନ କରାଯିବ। ବହୁ ସଂଖ୍ୟାରେ ମହିଳା ଶାଢ଼ି ପୂଜା କରିବା ସହ ଶତାଧିକ ବ୍ୟକ୍ତି ସହସ୍ର ଦୀପ ଦାନ କରିଥାଆନ୍ତି। ଏଥର କିନ୍ତୁ ଏହାକୁ ବାରଣ କରାଯାଇଛି ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe