୨୨ତମ ରାଜ୍ୟସ୍ତରୀୟ ରଜ ମହୋତ୍ସବ: ରଜ ଗୀତରେ ଝୁମିଲା ରବୀନ୍ଦ୍ର ମଣ୍ଡପ

୨୨ତମ ରାଜ୍ୟସ୍ତରୀୟ ରଜ ମହୋତ୍ସବ: ରଜ ଗୀତରେ ଝୁମିଲା ରବୀନ୍ଦ୍ର ମଣ୍ଡପ

ଭୁବନେଶ୍ବର: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ‘ମଶାଲ୍‌’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଛି ୨୨ତମ ରାଜ୍ୟସ୍ତରୀୟ ରଜ ମହୋତ୍ସବ।
ଏହି ଅବସରରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳାମାନେ ଘରେ ତିଆରି କରି ଆଣିଥିବା ପିଠା ପ୍ରଦର୍ଶନ କରିଥିଲେ। ମଣ୍ଡପ ବାହାରେ ବୟସ୍କମାନେ ବସି ପଶା ଖେଳୁଥିବା ବେଳେ ଝିଅମାନେ ଦୋଳି ଖେଳୁଥିଲେ। ରାମ କଥା, ପାଲା, ପୁରୀ ସାହି ଯାତ, ବନ୍ନାଟି, ସମ୍ବଲପୁରୀ ମେଲୋଡି, ମୋଗଲ ତାମ୍‌ସା, ବହୁରୂପୀ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି ଅବସରରେ ଶ୍ରେଷ୍ଠ ଓଡ଼ିଆଣୀ, ପିଠା, ଝୋଟି, ପଶା ଖେଳ ଆଦି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ମିସ୍‌ ଅଞ୍ଜଳିଙ୍କୁ ମଶାଲ୍‌ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। କ୍ରିଷ୍ଣା ଗ୍ରୁପ୍ କଂପାନିଜ୍‌ର ପରିଚାଳନା ନିର୍ଦ୍ଦେଶକ ପବିତ୍ର କୁମାର ରାଉତରାୟ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିବା ବେଳେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ, ଓଡ଼ିଶା ସଂଗୀତ ଏକାଡେମି ସଭାପତି ଅରୁଣା ମହାନ୍ତି, ଶ୍ରୀକାନ୍ତ ଗୌତମ, ଅଭିନେତ୍ରୀ ଭୂମିକା ଦାଶ, ଦିବ୍ୟା, ଜ୍ୟୋତି ରଞ୍ଜନ, ପୁପିନ୍ଦର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ମଦନପୁରରେ ରଜ

ମେଣ୍ଢାଶାଳ: ଆଜି ପହିଲି ରଜ ଅବସରରେ ଇନ୍‌ଫୋଭ୍ୟାଲି ଥାନା ଅଧୀନ ମଦନପୁରରେ ରଜ ମହୋତ୍ସବର ଦ୍ୱିତୀୟ ବାର୍ଷିକୀ ଉଦ୍‌ଘାଟିତ ହୋଇଯାଇଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବିଜେଡି ନେତା ସନ୍ତୋଷ କୁମାର ଜେନା, ଭୁବନେଶ୍ୱର ବ୍ଲକର ପୂର୍ବତନ ଚେୟାରମ୍ୟାନ ଦୁଃସାଶନ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ନବଜ୍ୟୋତି କ୍ଲବ ଓ ରଜ ମହୋତ୍ସବ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ କମିଟି ସଭାପତି ଛୋନୁ ଶେଖର ପଟ୍ଟନାୟକ ପରିଚାଳନା କରିଥିଲେ। ଆଜି ଝୋଟି ଓ ଚିତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଝିଅପିଲାଙ୍କ ପାଇଁ ଏଠାରେ ୫୦ଟି ଦୋଳି ଲାଗିଛି।

ତେଜସ୍ବିନୀ ମିସନ ଶକ୍ତି ମହାସଂଘ ଓ ତ୍ରିଶକ୍ତି ମହିଳା ପରିଷଦର ରଜ

publive-image

ଭୁବନେଶ୍ୱର: ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ମେଧାବୀ ଛାତ୍ରୀ ସଞ୍ଜୁ କମ୍ ବୟସରେ ବାହା ହୋଇଯାଏ। ସଞ୍ଜୁକୁ ମିଳେ ଶାଶୁଘର ଲୋକଙ୍କ ଅକଥନୀୟ ନିର୍ଯାତନା। ନିର୍ଯାତନା ସହି ନପାରି ସଞ୍ଜୁ ଶାଶୁଘର ଛାଡ଼ି ଦିଏ। ନିଜ ଗୋଡ଼ରେ ଛିଡ଼ା ହୋଇ ପାଠ ପଢ଼େ। ଶେଷରେ ଜିଲ୍ଲାପାଳ ହୋଇ ଶାଶୁଘର ଜିଲ୍ଲାକୁ ଫେରେ। ତେଜସ୍ବିନୀ ମିସନ ଶକ୍ତି ମହାସଂଘ ଓ ବରମୁଣ୍ଡା ତ୍ରିଶକ୍ତି ମହିଳା ପରିଷଦର ମିଳିତ ଆନୁକୁଲ୍ୟରେ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଆୟୋଜିତ ରଜ ମହୋତ୍ସବ ଅବସରରେ ମଞ୍ଚସ୍ଥ ନାଟକ ‘ପରିବର୍ତ୍ତନ’ର ଏହି କାହାଣୀ ଦର୍ଶକଙ୍କ ମନ ଜିଣିଛି।

ଏହି ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତ୍ରିଶକ୍ତି ମହିଳା ପରିଷଦର ଉପଦେଷ୍ଟା ତଥା ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଓଟିଡିସି ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରୀ ସନ୍ଧ୍ୟାରାଣୀ ଦେବୀ, ମିସନ ଶକ୍ତି ସଚିବ ବିନୋଦ ଜେନା, କର୍ପୋରେଟର ରାମଚନ୍ଦ୍ର ରଣସିଂହ, ମହାମାୟା ସ୍ବାଇଁ, ପରିଷଦର ସମ୍ପାଦିକା ବନଜା ନାୟକ, ସଭାନେତ୍ରୀ ସଂଯୁକ୍ତା ଭୂତିଆ ପ୍ରମୁଖ ମହିଳା ସଶକ୍ତୀକରଣ ଉପରେ କହିଥିଲେ। ଜ୍ୟୋତ୍ସ୍ନାରାଣୀ ସାହୁ ଧନ୍ୟବାଦ ଦେଇଥିଲେ।

ମା’ ଉତ୍ତରମୁଖୀ ପୀଠରେ ଚଇତି ଘୋଡ଼ାନାଚ

ବାଲିଅନ୍ତା: ସ୍ଥାନୀୟ ଭୁବନପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ଉତ୍ତରମୁଖୀଙ୍କ ପୀଠରେ ରଜ ମହୋତ୍ସବ ଆରମ୍ଭ ହୋଇଛି। ମଙ୍ଗଳବାର ପହିଲି ରଜ ଅବସରରେ ପରମ୍ପରା ଅନୁସାରେ ଯୋଡ଼ି ମହୁରୀ ଓ ନାଗରା ବାଜା ସାଙ୍ଗକୁ ଘୋଡ଼ା ନାଚ ଆରମ୍ଭ ହୋଇଛି। ଘୋଡ଼ା ନାଚ ପ୍ରତିଯୋଗିତା ସପ୍ତାହେ ବ୍ୟାପୀ ପରିବେଷଣ ହେବ।
ଏହି ଅବସରରେ ମା’ଙ୍କ ପୀଠ ନିକଟ ପଡ଼ିଆରେ ଲାଗିଥିବା ଦୋଳିରେ କୁମାରୀମାନେ ଝୁଲିଥିଲେ। ବୟସ୍କମାନଙ୍କ ପାଇଁ ତାସ ଓ ଲୁଡ଼ୁ ଖେଳର ବ୍ୟବସ୍ଥା କରାଯାଇଥିଲା। ଏଠାରେ ରଜର ମୁଖ୍ୟ ଆକର୍ଷଣ ହେଉଛି ଚଇତି ଘୋଡ଼ାନାଚ। ଏହି ପରମ୍ପରା ପ୍ରାୟ ଶହେ ବର୍ଷ ପୁରୁଣା ବୋଲି କୁହାଯାଏ। ଏହି ଉତ୍ସବ ସମୟରେ ମା’ଙ୍କ ପାଖରେ ଶ୍ରଦ୍ଧାଳୁମାନେ ମାନସିକ କରିଥାଆନ୍ତି। ମାନସିକ ପୂରଣ ହେଲେ ମା’ଙ୍କ ନିକଟରେ ଘୋଡ଼ା ନାଚ କରାଇଥାଆନ୍ତି। ମା’ଙ୍କ ପୀଠରେ ଚାଲିଥିବା ଏହି ପର୍ବ ଦେଖିବା ପାଇଁ ଅଣ୍ଡିଲୋ, ମାଟିକୋଟ, ତଳଗଡ଼, ବେଣୁପୁର, ବଇଁଚୁଆ, ଧବହାଗାର, ପାଟଣା, ଅଟଳା, ହଂସପାଳ ଆଦି ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଛି। ଜନ ସମାଗମ ଦେଖି ଏଠାରେ ମୀନାବଜାର ଦୋଳି ଓ ଖାଦ୍ୟ ଷ୍ଟଲ୍‌ର ବ୍ୟବସ୍ଥା କରାଯାଇଛି।

ପ୍ରଜ୍ଞାବିହାର ବିକାଶ ପରିଷଦର ରଜ ମହୋତ୍ସବ

publive-image

ଭୁବନେଶ୍ୱର: ପ୍ରଜ୍ଞାବିହାର ବିକାଶ ପରିଷଦ ପକ୍ଷରୁ ଆଜି ବରମୁଣ୍ଡାସ୍ଥିତ ପ୍ରଜ୍ଞାବିହାର ପାର୍କ ପରିସରରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ସଂଯୁକ୍ତା ସୁନ୍ଦରରାୟ, ପୂର୍ବତନ କର୍ପୋରେଟର ଅଶ୍ବିନୀ ସୁନ୍ଦରରାୟ, ପରିଷଦର ସଭାପତି ଆର ସି ମହାନ୍ତି, ସମ୍ପାଦକ ମନ୍ମଥ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଜ୍ଞାବିହାର କଲୋନି ପିଲାମାନଙ୍କ ମଧ୍ୟରେ ଗୀତ, ନାଚ, ରଙ୍ଗୋଲି, ଡ୍ରଇଂ, ବ୍ରିଜ୍ ଓ କ୍ୟାରମ୍ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ସଫଳତା ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ବିଭିନ୍ନ ନାମୀ କଳାକାରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ପାର୍କ ପରିସରରେ ଏକ ଫୁଡ୍ ପାର୍କ ଆୟୋଜନ କରାଯାଇଥିଲା। ଫୁଡ୍ ଷ୍ଟଲ୍‌ରେ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ ରହିଥିଲା।

ନବଜ୍ୟୋତି ମହିଳା ସମିତିର ରଜ ମହୋତ୍ସବ

ନାରୀମାନେ ଆଗଭର ହୋଇ ପରାକାଷ୍ଠା ଦେଖାଇଲେ ସାମାଜିକ ପରିବର୍ତ୍ତନ ସମ୍ଭବ। ନବଜ୍ୟୋତି ମହିଳା ସମିତିର ରଜ ମହୋତ୍ସବର ଉଦ୍‌ଘାଟନ ଅବସରରେ ଏଭଳି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅନ୍ୟତମ ଅତିଥିଙ୍କ ମଧ୍ୟରେ ଅମିତା ସିଂ, ଜୟନ୍ତୀ, ନିରଞ୍ଜନ ମହାରଣା ପ୍ରମୁଖ କହିଥିଲେ ଯେ ମହିଳାମାନେ ଉନ୍ନତି କଲେ ସମାଜର ଉନ୍ନତି ହେବ। ଡୁମଡୁମାସ୍ଥିତ ଭକ୍ତକବି ମଧୁସୂଦନ ପ୍ରାଥମିକ ସ୍କୁଲ କ୍ୟାମ୍ପସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଧୁସୂଦନ ନାଏକ ଅତିଥି ପରିଚୟ ପ୍ରଦାନ, ନମିତା ସାହୁ କାର୍ଯ୍ୟକ୍ରମ ପରିଚାଳନା, ଶ୍ରଦ୍ଧାଞ୍ଜଳି ନାଏକ, ଶୁଭଲକ୍ଷ୍ମୀ ନାଏକ, ମିନତି ନାଏକ, ରୀତାଞ୍ଜଳି ସେଠୀ, ସସ୍ମିତା ସେଠୀ, ପିଙ୍କି ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ଝୋଟି, ରଙ୍ଗୋଲି ସହିତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା। ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ।

ଅନନ୍ୟ ମଞ୍ଚ ପକ୍ଷରୁ ରଜ ଉତ୍ସବ-୨୦୨୨

publive-image

ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ୱର ଅନନ୍ୟ ମଞ୍ଚ ପକ୍ଷରୁ ଗ୍ରିନ୍ସ ମଣ୍ଡପରେ ରଜ ଉତ୍ସବ-୨୦୨୨ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଦେଇ ଉତ୍ସବକୁ ଉଦ୍‌ଘାଟନ କରି ଓଡ଼ିଶା ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ, ଆଜି ରଜ ପର୍ବ ସହ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାର ପବିତ୍ର ଅବସର। ଏହି ଦିନ ହିନ୍ଦୁ ଧର୍ମାବଲମ୍ବୀ ଏବଂ ଓଡ଼ିଆଙ୍କ ପାଇଁ ଉତ୍ସାହ ଆଣିଦେଇଛି ବୋଲି କହିଥିଲେ। ଉତ୍ସବରେ ଏକକ ନୃତ୍ୟ, ପାନଭଙ୍ଗା, ପିଠା ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିନୟ ରାଉତ, ମିହିର ଦାସ, ସୁଶାନ୍ତ ଜେନା, ଅଶିଲ ବ୍ରହ୍ମା, ବସନ୍ତ ରାଉତ, ଦୁଷ୍ମନ୍ତ ଜେନା, ମାନସୀ ମଞ୍ଜରୀ ରାୟ, ମନ୍ଦାକିନୀ ପାତ୍ର, ପ୍ରତୀକ୍ଷା ମହାପାତ୍ର, ଅଭିଷେକ ଆଚାର୍ଯ୍ୟ ନିରଞ୍ଜନ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ଆବାହକ ପ୍ରଦୀପ ଜେନା ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe