୨୩ ଶିଶୁଙ୍କ ସ୍ୱପ୍ନର ଉଡ଼ାଣ

Advertisment

ବିମାନରେ ଭୁବନେଶ୍ୱରରୁ ଗଲେ କୋଲକାତା

ବିମାନରେ ଭୁବନେଶ୍ୱରରୁ ଗଲେ କୋଲକାତା

୨୩ ଶିଶୁଙ୍କ ସ୍ୱପ୍ନର ଉଡ଼ାଣ

ଭୁବନେଶ୍ୱର: ଆକାଶରେ ଉଡ଼ାଜାହାଜ ଦେଖିବା ମାତ୍ରେ ସେମାନଙ୍କ ନଜର ହଟୁନଥିଲା। ବେଳେବେଳେ ଲାଗୁଥିଲା ଏମିତି ଉଡ଼ିବା ହୁଏତ ତାଙ୍କ ପାଇଁ ସ୍ୱପ୍ନ। ମାତ୍ର ଏଡ଼ିକି ବକଟେ ବୟସରେ ଆଜି ସେଇ କୋମଳମତିଙ୍କ ସ୍ୱପ୍ନ ସାକାର ହୋଇଛି। ୨୩ ଜଣ ମେଧାବୀ ଛାତ୍ରଛାତ୍ରୀ ଗୋ-ଏୟାର ବିମାନରେ ଆଜି ସକାଳ ୯ଟା ବେଳେ କୋଲକାତାକୁ ଉଡ଼ାଣ କରିଛନ୍ତି। ପିଲାମାନଙ୍କର ଏହି କଳ୍ପନାର ଉଡ଼ାଣ (ଫାଣ୍ଟାସି ଅଫ୍‌ ଫ୍ଲାଇଟ୍‌)କୁ ସାକାର କରିଛି ବିକେଆର୍‌ଟି ୨୩୦ ଏବଂ ବିକ୍ୟୁଏଲ୍‌ସି ୧୩୦। ରାଜ୍ୟପାଳ ଏସ୍‌ ସି ଜମିର୍‌ ପତାକା ଦେଖେଇ ଏହି ଉଡ଼ାଣ ଆରମ୍ଭ କରିବାକୁ ସଂକେତ ଦେବା ସହ ପିଲାମାନଙ୍କର ଇଚ୍ଛା ଓ ସ୍ୱପ୍ନ ବିଷୟରେ ପଚାରି ବୁଝିଥିଲେ। ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଏହି ମହତ ଯୋଜନାରେ ସାମିଲ୍‌ ହୋଇ ପିଲାଙ୍କ ସହ ବାର୍ତାଳାପ କରିଥିଲେ।
ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଭୁବନେଶ୍ୱରରେ ଅଧ୍ୟୟନରତ ପିଲାମାନେ ଏହି ଉଡ଼ାଣରେ ସାମିଲ୍‌ ହୋଇଛନ୍ତି। ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଥମରୁ ତୃତୀୟ ସ୍ଥାନ ଦଖଲ କରିଥିବା ପିଲାଙ୍କୁ ଏହି ସୁଯୋଗ ଦେଇଛି ଆୟୋଜକ ସଂସ୍ଥା। ୨୩ ଜଣ ପିଲାଙ୍କ ସମେତ ୨ ଶିକ୍ଷକ ଏହି ଭ୍ରମଣର ସୁଯୋଗ ନେଇଛନ୍ତି। ପିଲାମାନଙ୍କୁ କୋଲକାତାରେ ରାଉଣ୍ଡ୍‌ ଟେବୁଲ୍‌ ୧୧୩ ଏବଂ ଲେଡିଜ୍‌ ସର୍କଲ୍‌ ୧୩୨ କୋଲକାତା ଚାପ୍ଟର ପକ୍ଷରୁ ଆତିଥ୍ୟ ଯୋଗାଇ ଦେବାର ବନ୍ଦୋବସ୍ତ ହୋଇଛି। ପିଲାମାନେ ସେଠାରେ ନିକୋପାର୍କ, ଆର୍‌ଡିବି ଆଡ୍‌ଲାବ୍‌ସ, ଭିକ୍ଟୋରିଆ ମେମୋରିଆଲ୍‌ ଆଦି ପର୍ଯ୍ୟଟନସ୍ଥଳୀ ବୁଲିବା ପରେ ହୋଟେଲ୍‌ରେ ରାତ୍ରି ରହଣି କରିବେ। ପିଲାମାନେ ଆସନ୍ତାକାଲି ସନ୍ଧ୍ୟା ୬ଟା ୪୫ରେ ଭୁବନେଶ୍ୱର ଫେରିବେ।
ଏହି କାର୍ଯ୍ୟକ୍ରମର ଆୟୋଜକ ଗୌରବ ଚାଓ୍ଵଲା, ଅନୁରାଧା ଅଗ୍ରଓ୍ଵାଲ, ପୂଜା ଜୟସ୍ୱାଲ୍‌, ବିଶେଷ ଅଗ୍ରଓ୍ଵାଲ୍‌, ରିତେଶ ଚାନ୍ଦୁକା ପ୍ରମୁଖ ଯାତ୍ରାରେ ସାମିଲ୍‌ ହୋଇଥିବା ବେଳେ ଅମନଦୀପ ସିଂହ, ସ୍ୱାତୀ ସରାଫ୍‌ ପ୍ରମୁଖ ପିଲାମାନଙ୍କୁ କୋଲକାତାରେ ଆତିଥ୍ୟ ଯୋଗାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe