ରାଜଧାନୀରେ ଟିକା ନେବେ ୨୪ହଜାର

Advertisment

୫ ସ୍ବାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହେବ, ୪୩ଟି କେନ୍ଦ୍ରରେ ଦିଆଯିବ

୫ ସ୍ବାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହେବ, ୪୩ଟି କେନ୍ଦ୍ରରେ ଦିଆଯିବ

୩ ସପ୍ତାହରେ ସରିବ ଆଗଧାଡ଼ି ଯୋଦ୍ଧାଙ୍କ ଟିକାକରଣ

ପ୍ରଥମ ପର୍ଯ୍ୟାୟରେ କେବଳ ହସ୍ପିଟାଲ କର୍ମଚାରୀ
ଜଣେ ସ୍ବାସ୍ଥ୍ୟକର୍ମୀ ୧୦୦ଜଣଙ୍କୁ ଟିକା ଦେବେ
ଦ୍ବିତୀୟ ପର୍ଯ୍ୟାୟରେ ବିଏମ୍‌ସି ଓ ପୁଲିସ କର୍ମଚାରୀ
ତୃତୀୟ ପର୍ଯ୍ୟାୟରେ ୬୦ବର୍ଷରୁ ଅଧିକ ସମ୍ବେଦନଶୀଳ ବ୍ୟକ୍ତି

ଭୁବନେଶ୍ବର : ସାରା ଦେଶରେ ଆସନ୍ତା ୧୬ତାରିଖରୁ କୋଭିଡ-୧୯ ଟିକାକରଣ ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌ ଟିକା ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଭୁବନେଶ୍ବରରେ ଯେପରି ଟିକାକରଣ ବ୍ୟବସ୍ଥିତ ଢଙ୍ଗରେ ହେବ ସେଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ୪୩ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୨୪୦୦୦ ହସ୍ପିଟାଲ କର୍ମଚାରୀଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ଏଥିରେ ହସ୍ପିଟାଲର ଡାକ୍ତରଙ୍କଠାରୁ ଆରମ୍ଭ କରି ସୁରକ୍ଷାକର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ୍‌ ହେବେ।

ଭୁବନେଶ୍ବର ଏଡିୟୁ-ପିଏଚ୍‌ଓ ଡାକ୍ତର ସିବିସିଏନ୍ ରାଓଙ୍କ ସୂଚନା ଅନୁଯାୟୀ, ଜାନୁଆରି ୧୬ରେ ସାରା ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଥିବାବେଳେ ଭୁବନେଶ୍ବରରେ ୫ଟି ସ୍ଥାନରେ ଏହାର ଶୁଭାରମ୍ଭ ହେବ। ସେଗୁଡ଼ିକ ହେଲା କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଆଇଏମ୍‌ଏସ୍‌ ଏବଂ ସମ୍‌ ହସ୍ପିଟାଲ, କିମ୍‌ସ ହସ୍ପିଟାଲ ଓ ବିଏମ୍‌ସି ହସ୍ପିଟାଲ ପ୍ରମୁଖ। ଶୁଭାରମ୍ଭ ଦିନ ଏହି ୫ଟି କେନ୍ଦ୍ରରେ ଟିକାକରଣ ହେବ। କେବଳ ହସ୍ପିଟାଲର କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଏଥିରେ ହସ୍ପିଟାଲର ଡାକ୍ତରଙ୍କଠାରୁ ଆରମ୍ଭ କରି ସିକ୍ୟୁରିଟି ଗାର୍ଡ ପର୍ଯ୍ୟନ୍ତ ସବୁ କର୍ମଚାରୀଙ୍କୁ ଟିକା ଦେବାକୁ ଯୋଜନା କରାଯାଇଛି। ଗୋଟେ ବ୍ୟାଚ୍‌ରେ ୧୦୦ଜଣଙ୍କୁ ଟିକା ଦିଆଯିବ। ଯେଉଁ କର୍ମଚାରୀ ଟିକାଦେବେ ସେ ୧୦୦ ଜଣଙ୍କୁ ଟିକା ଦେବେ ବୋଲି ଏବେ ନିଷ୍ପତ୍ତି ହୋଇଛି।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ତିନିଟି ପ୍ରମୁଖ ମେଡିକାଲ କଲେଜ୍‌, ସବୁ ବଡ଼ ଘରୋଇ ହସ୍ପିଟାଲ, ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଦିକୁ ମିଶାଇ ମୋଟ୍‌ ୪୩ଟି କେନ୍ଦ୍ରରେ ଟିକାକରଣ ହେବ। ଏଥିରେ କ୍ୟାପିଟାଲ ହସ୍ପିଟାଲକୁ ମିଶାଇ ୨୭ଟି ସରକାରୀ ଟିକାକରଣ କେନ୍ଦ୍ର, ୧୬ଟି ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ। ଯେଉଁ ହସ୍ପିଟାଲରେ ୧୦୦ରୁ ଅଧିକ କର୍ମଚାରୀ ଅଛନ୍ତି ସେଠାରେ ଗୋଟିଏ ଟିକାକରଣ କେନ୍ଦ୍ର କରାଯାଇଛି। କେଉଁମାନେ ଟିକା ନେବେ ତାହା କୋୱିନ୍-୧୯ ୱେବସାଇଟ୍‌ରେ ଅପଲୋଡ୍‌ ହୋଇଛି। ଏହି ୱେବସାଇଟ୍‌ରେ କିଏ ଟିକା ନେଇପାରିବେ, କାହାକୁ ଟିକା ଦିଆଗଲା ତା’ର ସବିଶେଷ ତଥ୍ୟ ରହିବ। ଏବେ ସୁଦ୍ଧା ମୋଟ୍‌ ପ୍ରାୟ ୨୪ହଜାର ହସ୍ପିଟାଲ କର୍ମଚାରୀଙ୍କର ତାଲିକା ହୋଇଥିଲେ ହେଁ କାହାକୁ ଟିକା ନେବାକୁ ବାଧ୍ୟ କରାଯିବନି। ଯିଏ ସ୍ବେଚ୍ଛାକୃତ ଭାବେ ଚାହିଁବେ ସେ ଟିକା ନେଇପାରିବେ।

ଡାକ୍ତର ରାଓଙ୍କ କହିବାନୁଯାୟୀ, ବିଏମ୍‌ସି କମିସନରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ହସ୍ପିଟାଲ କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ଦ୍ବିତୀୟ ପର୍ଯ୍ୟାୟରେ ବିଏମ୍‌ସିର କର୍ମଚାରୀ, ସଫେଇ ସଂସ୍ଥାର ପରିମଳ କର୍ମଚାରୀ, ପୁଲିସ କର୍ମଚାରୀଙ୍କୁ ଟିକା ଦିଆଯିବ। ତୃତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ସମ୍ବେଦନଶୀଳ ଲୋକଙ୍କୁ ଟିକା ଦିଆଯିବ। ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ କେତେ ଜଣ ଟିକା ନେବେ ଏବେ ତା’ର ତାଲିକା ପ୍ରସ୍ତୁତ ହେଉଛି। ଖୁବ୍‌ ଶୀଘ୍ର ଏହାକୁ କୋୱିନ୍‌-୧୯ ୱେବସାଇଟ୍‌ରେ ଅପଲୋଡ୍ କରାଯିବ।

ଅପରପକ୍ଷେ କେଉଁ ଟିକା ଦିଆଯିବ ଏବେ ସୁଦ୍ଧା ତାହା ଚୂଡ଼ାନ୍ତ ହୋଇନି। ରାଜ୍ୟ ଟିକାକରଣ ‌େକନ୍ଦ୍ରକୁ ଟିକା ଆସିବା ପରେ ଏହାକୁ ବିଭିନ୍ନ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ପଠାଯିବ। ଭୁବନେଶ୍ବରରେ ଏହା କ୍ୟାପିଟାଲ ହସ୍ପିଟାଲକୁ ଆସିବ। ଏଠାରେ ୨ରୁ ୮ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରାରେ ସଂରକ୍ଷିତ ରଖାଯିବ। ଯେପରି ପୋଲିଓ ଓ ଡିପିଟି ଟିକା ରହୁଛି ସେହିପରି କରୋନା ଟିକା ରହିବ। ନୂତନ କିଛି ବ୍ୟବସ୍ଥା ନାହିଁ। କ୍ୟାପିଟାଲ ହସ୍ପିଟାଲରୁ ବାକି ୪୨ଟି ଟିକାକରଣ କେନ୍ଦ୍ରକୁ ଟିକା ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe