ଭୁବନେଶ୍ୱର: ଆଜି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଦରମା ବୃଦ୍ଧି ଓ ଦଶହରା ବୋନସ ଦାବିରେ ସଫେଇ କର୍ମଚାରୀମାନେ ହସ୍ପିଟାଲ ସମ୍ମୁଖରେ ପ୍ରଶାସନିକ ବିଭାଗ ସମ୍ମୁଖରେ ଧାରଣା ଦେଇଛନ୍ତି। ଆନ୍ଦୋଳନ କାରଣରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଆଇନ ଶୃଙ୍ଖଲା ପରିସ୍ଥିତିକୁ ନେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିଲା। ହେଲେ ଦରମା ବୃଦ୍ଧି ସହ ଦଶହରା ବୋନସ ନ ମିଳିବା ଯାଏଁ ସେମାନଙ୍କର ଧାରଣା ଜାରି ରହିବ ବୋଲି ସଫେଇ କର୍ମଚାରୀମାନେ କହିଛନ୍ତି। ସଫେଇ କର୍ମଚାରୀମାନେ ଜିଦ୍ରେ ଅଟଳ ଥିବାରୁ ହସ୍ପିଟାଲର ବିଭିନ୍ନ କାର୍ଯ୍ୟ ଠପ୍ ହୋଇପଡିଛି। ଏନେଇ ନିର୍ଦ୍ଦେଶକ କହିଛନ୍ତି, ‘‘କାର୍ଯ୍ୟରେ ଅବହେଳା କରାଯାଉଛି। ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବା ସହିତ ଆଉଟସୋର୍ସ କମ୍ପାନୀର ଅଧିକାରୀଙ୍କୁ ସଫେଇ କର୍ମଚାରୀଙ୍କ ଧାରଣା ନେଇ ଅବଗତ କରାଯାଇଛି।’’ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସେ ଅନୁରୋଧ କରିଛନ୍ତି।
ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ହସ୍ପିଟାଲ ପରିସରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଟଏଲେଟ୍ରୁ ପରିସ୍ରା ବାହାରି ୱାର୍ଡ ବାରଣ୍ଡାରେ ବୋହିଥିଲା। କ୍ୟାବିନ ସଫା ହୋଇ ନଥିବାରୁ ରୋଗୀମାନଙ୍କୁ କ୍ୟାବିନ୍ ମିଳି ପାରିନଥିଲା। ସେହିପରି ଡଷ୍ଟ୍ବିନ୍ରୁ ଖାଦ୍ୟ ସହ ଗଜ କପଡ଼ା, ରକ୍ତଲଗା ତୁଳା, ମେଡିସିନ ଖୋଳ ଆଦି ଏଣେତେଣେ ପଡ଼ିଥିଲା। ଷ୍ଟ୍ରେଚର ଓ ହୁଇଲ ଚେୟାର ସଫା ହୋଇ ନଥିବାରୁ ରୋଗୀଙ୍କୁ ତାହା ଦିଆଯାଇ ପାରି ନଥିଲା। ଫଳରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆସନ୍ତାକାଲି ସଫେଇ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ନଦେଲେ ପରିସ୍ଥିତି ଅସମ୍ଭାଳ ହେବାର ସବୁ ଆଶଙ୍କା ରହିଛି। ଗତବର୍ଷ ମଧ୍ୟ ତିନିଦିନ ଧରି ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଦ୍ୱାରା ହସ୍ପିଟାଲ ପରିସର ଦୁର୍ଗନ୍ଧମୟ ହୋଇଯାଇଥିଲା।
Follow Us