ପାର୍କିଂ ଟେଣ୍ଡର୍‌: ୫ ମାସର ଦେୟ ଛାଡ଼ିଦେଲେ

Advertisment

ସ୍ମାର୍ଟ ସିଟିର ୨୫ତମ ବୋର୍ଡ ବୈଠକ

ସ୍ମାର୍ଟ ସିଟିର ୨୫ତମ ବୋର୍ଡ ବୈଠକ

ପାର୍କିଂ ଟେଣ୍ଡର୍‌: ୫ ମାସର ଦେୟ ଛାଡ଼ିଦେଲେ

ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ବ ନେଇଛନ୍ତି ଉନ୍ନୟନ କମିସନର ଅନୁ ଗର୍ଗ। ଆଜି ନୂଆ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଏସ୍‌ସିଏଲ୍‌ର ୨୫ତମ ବୋର୍ଡ ବୈଠକ। ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତେବେ ବିଏସ୍‌ସିଏଲ୍‌ର ଅଧିକାରୀମାନେ ଏମ୍‌ଏଲ୍‌ସିପି (ବହୁତଳ କାର୍‌ ପାର୍କିଂ) ଟେଣ୍ଡର ନେଇଥିବା ଠିକାସଂସ୍ଥାକୁ ୫ ମାସର ଦେୟ ଛାଡ଼ି ଦେବାକୁ ଯେଉଁ ଚକ୍ରାନ୍ତ କରିଥିଲେ, ସେଥିରେ ସଫଳ ହୋଇଛନ୍ତି। ଅନ୍ୟପଟେ ନୂଆ ଅଧିକାରୀଙ୍କୁ ଭୁଆଁ ବୁଲାଇ ମାନବ ସମ୍ବଳ ନୀତି (ଏଚ୍‌ଆର ପଲିସି) କରିବାକୁ ଅଧିକାରୀମାନେ କରିଥିବା ଯୋଜନା ଫସର ଫାଟିଛି। ଏଚ୍‌ଆର ପଲିସି ବୋର୍ଡର ସ୍ବୀକୃତି ଲାଭ କରିପାରି ନାହିଁ।

ବେପାର ହେଉନଥିବା ଦର୍ଶାଇ ସହିଦନଗର ଏମ୍‌ଏଲ୍‌ସିପିର ଠିକା ସଂସ୍ଥା ବାକି ପଡ଼ିଥିବା ୨୦ ଲକ୍ଷ ଛା‌ଡ଼ି ଦେବାକୁ ବିଏସ୍‌ସିଏଲ୍‌କୁ ଅନୁରୋଧ କରିଥିଲା। ଦାୟିତ୍ବରେ ଥିବା ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ଏହି ମୋଟା ଅଙ୍କର ଦେୟ ଛାଡ଼ କରିବା ପାଇଁ ଠିକା ସଂସ୍ଥା ଯୋଜନା କରିଥିବା ଚର୍ଚ୍ଚା ହୋଇଥିଲା। ହେଲେ କୌଣସି ଚର୍ଚ୍ଚାକୁ ଖାତିର ନ କରି ଅଧିକାରୀମାନେ ଠିକାସଂସ୍ଥାର ଏହି ଆବେଦନକୁ ବୋର୍ଡ ବୈଠକରେ ମଞ୍ଜୁର କରାଇଛନ୍ତି। ଏହା ବୋର୍ଡର କ୍ଷମତା ବାହାରେ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଠିକା ସଂସ୍ଥାକୁ ମୋଟା ଅଙ୍କର ଦେୟ ଛାଡ଼ି ଦିଆଯାଇଛି। ଅନ୍ୟପଟେ ରାଜମହଲରେ ବାକି ପଡ଼ିଥିବା ଅର୍ଥ ବାବଦ‌ରେ ବୋର୍ଡକୁ ଅଧିକାରୀମାନେ ଅନ୍ଧାରରେ ରଖିଛନ୍ତି। ଏ ବାବଦରେ ବୈଠକରେ ଉଠାଇ ନାହାନ୍ତି।

ବଡ଼ କଥା ହେଉଛି ଏହି ପଲିସି ୨୦୨୧ରେ ମଞ୍ଜୁର ହୋଇଥିଲା। ସେହି ପଲିସି ଅନୁଯାୟୀ ବିଏସସିଏଲ୍‌ର ମାନବ ସମ୍ବଳ ବ୍ୟବସ୍ଥା ଚାଲିଥିଲା। କିନ୍ତୁ ଏବେ ଆଉଟ୍‌ ସୋର୍ସିଂରେ ରହିଥିବା କର୍ମଚାରୀ ଓ ଅଧିକାରୀମାନଙ୍କର ଦରମା ବହୁଗୁଣିତ କରିବା ପାଇଁ ଏହି ଏଚ୍‌ଆର୍‌ ପଲିସିକୁ ଆପ୍ରୁଭ୍‌ କରିବା ପାଇଁ ଆଜି ବୈଠକରେ ଉପସ୍ଥା‌ପିତ କରାଯାଇଥିଲା। ହେଲେ ବୈଠକରେ ଉପସ୍ଥିତ ସରକାରଙ୍କ ଅର୍ଥ ବିଭାଗ ସଚିବ ତଥା ବୋର୍ଡ ସଦସ୍ୟ ବିଶାଲ୍‌ ଦେବ ଏହାକୁ ଧରିଥିଲେ। ଦରମା ବୃଦ୍ଧି କରିବାକୁ ହେଲେ ଏକ ‘ରାସ୍‌ନାଲାଇଜେସନ କମିଟି’ ଗଠନ ହୁଏ। କମିଟିର ସୁପାରିସ ମୁତାବକ ଦରମା କର୍ମଚାରୀଙ୍କ ବଢ଼ାଯାଏ। କିନ୍ତୁ କମିଟି ଗଠନ ହୋଇନଥିବାରୁ ଏଭଳି ଦରମା ବଢ଼ାଯାଇ ପାରିବ ନାହିଁ। ୨୦୨୧ରେ ଏଚ୍‌ଆର ପଲିସ୍‌ ଆପ୍ରୁଭ୍‌ ହୋଇଥିବାରୁ ଏବେ ଆଉ ଥରେ ମଞ୍ଜୁର ପ୍ରଶ୍ନ ଉଠୁ ନାହିଁ ବୋଲି କହିଥିଲେ।

ବଡ଼କଥା ହେଉଛି ଆସନ୍ତା ଏପ୍ରିଲ ମାସରେ ସ୍ମାର୍ଟ ସିଟି ପ୍ରକଳ୍ପ ଶେଷ ହେବାକୁ କେନ୍ଦ୍ର ଘୋଷଣା କରିଛି। କିନ୍ତୁ ଅଧିକାରୀମାନେ ନୂଆ ପ୍ରକଳ୍ପର ତାଲିକା ପ୍ରସ୍ତୁତ କରି ବୋର୍ଡର ସ୍ବୀକୃତି ନେବାକୁ ଯୋଜନା କରିଥିଲେ। ମିଳିଥିବା ୧ ହଜାର କୋଟିରୁ ପାଖାପାଖି ୭୫୦ କୋଟି ଖର୍ଚ୍ଚ ହୋଇଛି। ସୁଧ ବାବଦକୁ ୩୦ କୋଟି ମିଳିଛି। ଏ ସବୁ ଅର୍ଥ ଖର୍ଚ୍ଚ କରିବା ପାଇଁ ନୂଆ ଯୋଜନା କରି ପ୍ରକଳ୍ପ ସମାପ୍ତି ଅବଧିକୁ ଆଉ କିଛି ଦିନ ଘୁଞ୍ଚାଇ ଦେବା ପାଇଁ ଯେଉଁ ଯୋଜନା ହୋଇଥିଲା ତାହା ସମ୍ଭବ ହୋଇ ନାହିଁ। ଏହି ପ୍ରକଳ୍ପକୁ ବୋର୍ଡର ସ୍ବୀକୃତି ମିଳିନାହିଁ। ଏଥିରେ ସରକାର ଅଦାଲତି ବିବାଦରେ ଛନ୍ଦି ହୋଇଥାନ୍ତେ। କାରଣ ପୂର୍ବରୁ ଯେଉଁ ସବୁ ଅର୍ଥ ମଞ୍ଜୁର ହୋଇଛି ତାହା ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ସ୍ଥିର ହୋଇଛି।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି ନୂଆ ବିଏମ୍‌ସି-ଆଇସିଓଏମ୍‌ସି ଟାୱାରରେ ବିଏମ୍‌ସି ଅଫିସ୍‌ ଆରମ୍ଭ ହୋଇଛି। ଏଥିରେ ବିଏମ୍‌ସି ଖର୍ଚ୍ଚ କରୁଥିବା ବିଦ୍ୟୁତ ବାବଦକୁ ବିଲ୍‌ ଜମା କରିବ। ତା ଛଡ଼ା ରକ୍ଷଣା‌ବେକ୍ଷଣ ଦେୟ ମଧ୍ୟ ଜମା କରିବାକୁ ବୈଠକ‌ରେ ନିଷ୍ପତ୍ତି ହୋଇଛି। ସେହିଭଳି ମୋ ସାଇକେଲ୍‌ ବ୍ୟବହାର ହେଉନଥିବାରୁ ଏହାକୁ ନନ୍ଦନକାନନକୁ ଦେଇ ଦେବାକୁ ପ୍ରସ୍ତାବ ଆସିଛି। ସେଠ‌ାରେ ଏହାକୁ ପର୍ଯ୍ୟଟକମାନେ ବ୍ୟବହାର କରିବେ। ତେବେ ଏହି ପ୍ରସ୍ତାବ ଉପରେ ଆସନ୍ତା ବୈଠକରେ ଆଲୋଚନା ହେବ ବୋଲି ରଖାଯାଇଛି। ଶେଷରେ ବାର୍ଷିକ ଆୟ-ବ୍ୟୟ ପାରିତ ହୋଇଛି। ଶ୍ରୀମତୀ ଗର୍ଗଙ୍କ ଅଧ୍ୟକ୍ଷତା‌ରେ ବସିଥିବା ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି. ମାଥିଭାଥନନ୍‌, ଏମ୍‌ଡି ବଲୱନ୍ତ ସିଂ, ସିଇଓ ବିଜୟ ଅମୃତା କୁଲାଙ୍ଗେ ଓ ମହାପ୍ରବନ୍ଧକ ସୁବ୍ରତ ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe