୨୫ତମ କଳିଙ୍ଗ ପୁସ୍ତକ ମେଳା ଉଦ୍‌ଯାପିତ, ୪ କୋଟିର ବହି ବିକ୍ରି

Advertisment
୨୫ତମ କଳିଙ୍ଗ ପୁସ୍ତକ ମେଳା ଉଦ୍‌ଯାପିତ, ୪ କୋଟିର ବହି ବିକ୍ରି

ଭୁବନେଶ୍ବର: ପ୍ରଦର୍ଶନୀ ପଡ଼ିଆରେ ଗତ ୧୦ ଦିନ ଧରି ଚାଲିଥିବା ୨୫ତମ କଳିଙ୍ଗ ପୁସ୍ତକ ମେଳା ଆଜି ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ୬୦ରୁ ଊର୍ଦ୍ଧ୍ବ ପ୍ରକାଶକ ଭାଗ ନେଇଥିବା ବେଳେ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ପୁସ୍ତକ ବିକ୍ରି ହୋଇଥିବା ପୁସ୍ତକ ମେଳା କମିଟି ପକ୍ଷରୁ କୁହାଯାଇଛି। ଦୁଇ ବର୍ଷ ପରେ ପୂର୍ଣ୍ଣାଙ୍ଗ ରୂପରେ ଏହି ପୁସ୍ତକ ମେଳା ଅନୁଷ୍ଠିତ ହୋଇଥିବାରୁ ପ୍ରତ୍ୟେକ ଦିନ ଲୋକଙ୍କ ଭିଡ଼ ଜମିଥିଲା।

ଆଜିର ଉଦ୍‌ଯାପନୀ ସଂଧ୍ୟାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଏହି ଅବସରରେ ସମାଜସେବା ଓ ସାହିତ୍ୟ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ପାଇଁ ମଞ୍ଜୁ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମାଜସେବା ପାଇଁ ଅଲେଖ ଚନ୍ଦ୍ର ଜେନା, ଗଣମାଧ୍ୟମ ଓ ଯୋଗଯୋଗ କ୍ଷେତ୍ରରେ ମିଲନ କୁମାର ପ୍ରଧାନଙ୍କୁ ‘କଳିଙ୍ଗ ପୁସ୍ତକ ମେଳା ସମ୍ମାନ ୨୦୨୨’ରେ ସମ୍ମାନିତ କରାଯାଇଥିଲା।

ଆଜିର ଉଦ୍‌ଯାପନୀ ସଭାରେ ଓଡ଼ିଶା ଲେଖିକା ସଂସଦର ସଭାପତି ଶକୁନ୍ତଳା ବଳିଆରସିଂହ ମୁଖ୍ୟ ଅତିଥି, ଉପସଭାପତି ସୁଚେତା ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏପରି ଏକ ସୁନ୍ଦର ଆୟୋଜନ ପାଇଁ ପୁସ୍ତକ ମେଳା କମିଟିକୁ ଧନ୍ୟବାଦ ଦେଇଥିଲେ। ଅନୁଷ୍ଠାନର ସଭାପତି ରେଣୁକା ମିଶ୍ର ଉଦ୍‌ଯାପନୀ ଅଭିଭାଷଣ ପ୍ରଦାନ କରିଥିଲେ। ପୂର୍ଣ୍ଣାନନ୍ଦ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି ସମାରୋହରେ ଅନୁଷ୍ଠାନର ସମସ୍ତ ସଦସ୍ୟାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe