Thai PBS World
ଭୁବନେଶ୍ବର : ରାଜଧାନୀରେ ଗତ ସପ୍ତାହେ ହେଲା କୋଭିଡ୍ ଟିକା ଅଭାବ ଦେଖା ଦେଇଥିବା ବେଳେ ବିଏମ୍ସି କର୍ତ୍ତୃପକ୍ଷ ଏବେ ଏହାକୁ ସ୍ବୀକାର କରିଛନ୍ତି। ବିଏମ୍ସି କମିସନର ସଂଜୟ ସିଂହ କହିଛନ୍ତି ଯେ ଆମର ଟିକା ଅଭାବ ଅଛି। ଯେଉଁଥିପାଇଁ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଏବେ କେବଳ ଦ୍ବିତୀୟ ଡୋଜ୍ ଟିକା ଦେଉଛୁ। ସମସ୍ତଙ୍କୁ ଧାର୍ଯ୍ୟ ସମୟରେ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ। ବିଏମ୍ସି କମିସନର କହିଛନ୍ତି ଯେ ଯେଉଁମାନେ ମେ’ ୩ରେ ପ୍ରଥମ ଡୋଜ୍ ଟିକା ନେଇଥିଲେ, ସେମାନଙ୍କର ଦ୍ବିତୀୟ ଡୋଜ୍ ଟିକା ନେବା ଅବଧି ଜୁନ୍ ୧୨ପର୍ଯ୍ୟନ୍ତ ଅଛି। ଆମେ ଏହି ସମୟ ମଧ୍ୟରେ ସମସ୍ତଙ୍କୁ ଟିକା ଦେଇଦେବୁ। ବିଏମ୍ସି କମିସନର ଜୁନ୍ ୩ରେ ଟିକା ନେଇଥିବା ଲୋକଙ୍କୁ ଟାର୍ଗେଟ୍ କରି କହୁଥିଲେ ହେଁ ଅସଲରେ ଟିକା ଆସିଲା ବେଳକୁ ମେ’ ୩ ପରେ ଯେଉଁମାନେ ଟିକା ନେଇଛନ୍ତି, ସେମାନଙ୍କର ୨୮ ଦିନ ହୋଇଯାଇଥିବ। ଆଉ ସେମାନେ ଯଥାସମ୍ଭବ ଶୀଘ୍ର ଟିକା ନେବା ପାଇଁ ବୁକିଂ କରିଦେବେ। ସ୍ଲଟ୍ ବୁକିଂ ବେଳେ ଯେଉଁଭଳି ଭିଡ଼ ଜମୁଛି, ସେଥିରେ ମେ’ ୩ରେ ଟିକା ନେଇଥିବା ଲୋକ ଯଦି ସ୍ଳଟ୍ ନପାଇବ, ତେବେ କେମିତି ଟିକା ନେବ, ସେନେଇ ପ୍ରଶ୍ନ ଉଠିଲାଣି।
ବିଏମ୍ସି ପକ୍ଷରୁ କୋ-ୱିନ୍ ମାଧ୍ୟମରେ ବୁକିଂ ରଖାଯାଉଥିବା ବେଳେ ଏବେ ଦୈନିକ ହଜାର ହଜାର ଲୋକ ଦ୍ବିତୀୟ ଡୋଜ୍ ଆଶାୟୀ ହେବାରେ ଲାଗିଛନ୍ତି। ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ପ୍ରଥମ ଡୋଜ୍ ଟିକାକରଣ ଆରମ୍ଭ କରିବା ବେଳେ ଟିକାର ଅଭାବ ନଥିବାରୁ ସେତେବେଳେ ଦୈନିକ ପ୍ରାୟ ୭ହଜାର ଯୁବବର୍ଗଙ୍କୁ ଟିକା ଦିଆଯାଉଥିଲା। ତେଣୁ ମେ’ ୧ରୁ ଦୈନିକ ପ୍ରାୟ ୭ହଜାର ଦ୍ବିତୀୟ ଡୋଜ୍ ଆଶାୟୀ ସୃଷ୍ଟି ହେଉଛନ୍ତି। ୭ ତାରିଖରେ ୨୬ ହଜାର ଟିକା ଆସିବାର ସମ୍ଭାବନା ଥିବା ବେଳେ ଏହା ୮ ତାରିଖରେ ଦିଆଯିବ। ହେଲେ ୮ ତାରିଖ ବେଳକୁ ୫୬ ହଜାର ଲୋକ ଦ୍ବିତୀୟ ଡୋଜ୍ ଆଶାୟୀ ହୋଇଯାଇଥିବେ। ଏଥିରୁ ଯଦିଓ ଏବେ ୧୬୦୦ରୁ ୨ହଜାର ଲୋକ ଟିକା ନେଇସାରିଥିବେ କିନ୍ତୁ ଆହୁରି ୫୪ହଜାର ଲୋକ ଟିକା ଅପେକ୍ଷାରେ ଥିବେ। ଅପରପକ୍ଷେ ଦିନ ଯେତେ ବଢ଼ିବ, ଟିକା ଆଶାୟୀ ସେତେ ବଢ଼ିବେ। ତେଣୁ କାହାକୁ କିପରି ଟିକା ଦିଆଯିବ, ତାହା ଏବେ ବିଏମ୍ସି ପାଇଁ ଚାଲେଞ୍ଜ ହେବାକୁ ଯାଉଛି। ଅପରପକ୍ଷେ ଏବେ ଟିକା ଆସିଲେ, ଏହାକୁ ଅନଲାଇନ୍ରେ ବୁକିଂ ରଖି ଦିଆଯିବ ନା ଲୋକଙ୍କ ଟିକା ନେବାର ଅବଧି ଦେଖି ଦିଆଯିବ, ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। କାରଣ ଲୋକଙ୍କୁ ଦ୍ବିତୀୟ ଡୋଜ୍ ନେବାର ଅବଧି ଶେଷ ହେବା ପୂର୍ବରୁ ଟିକା ଦେଇ ନପାରିଲେ ଏହା କାମ କରିବନି। ପୁଣି ଜଣେ ପ୍ରଥମ ଡୋଜ୍ ଟିକା ନେବାକୁ ଆଶାୟୀ ହୋଇଯିବ।
Follow Us