୨୦୧୯ ଡିସେମ୍ବର ପରେ ସର୍ବାଧିକ: ଦିନକରେ ୨୬୭ ହାତଗଣ୍ଠି

Advertisment

ଧୁମଧାମ୍‌ରେ ବିବାହ ଉତ୍ସବକୁ କରିଥିଲେ ଅପେକ୍ଷା, କଟକଣାରେ କମିଥିଲା, ପୁଣି ଜମିଲା ବେପାର

ଧୁମଧାମ୍‌ରେ ବିବାହ ଉତ୍ସବକୁ କରିଥିଲେ ଅପେକ୍ଷା, କଟକଣାରେ କମିଥିଲା, ପୁଣି ଜମିଲା ବେପାର

୨୦୧୯ ଡିସେମ୍ବର ପରେ ସର୍ବାଧିକ: ଦିନକରେ ୨୬୭ ହାତଗଣ୍ଠି

ଭୁବନେଶ୍ବର : ସବୁ ସ୍ଥିର ହୋଇସାରିଥିଲା, ଅପେକ୍ଷା ଥିଲା ହରି ଉତ୍‌ଥାପନ ଚତୁର୍ଦ୍ଦଶୀକୁ। ଗତ ଗୁରୁବାର ମହାପ୍ରଭୁ ଲିଙ୍ଗରାଜଙ୍କ ଉତ୍‌ଥାପନ ନୀତି ସଂପନ୍ନ ହେବା ପରେ ବିବାହ ଋତୁ ଆରମ୍ଭ ହୋଇଯାଇଥିଲା। ଗତ ୩ ଦିନ ଭିତରେ କାଁ ଭାଁ ବାହାଘର ହୋଇଥିବା ବେଳେ ଆଜି ରାଜଧାନୀରେ ସର୍ବାଧିକ ବିବାହ ସଂପନ୍ନ ହୋଇଛି। କରୋନା ଓ କଟକଣା ପାଇଁ ରାଜଧାନୀରେ ଯେତିକି ବିବାହ ଅଟକି ରହିଥିଲା, ସେଥିରୁ ଅଧିକାଂଶ ଆଜି ଗୋଟିଏ ଦିନରେ ସଂପନ୍ନ ହୋଇଛି। ଆଜି ରାଜଧାନୀରେ ୨୬୭ ‌ଯୋଡ଼ା ବରକନ୍ୟାଙ୍କ ହାତଗଣ୍ଠି ପଡ଼ିଛି।

ରବିବାର ଭୁବନେଶ୍ବର ଚିତ୍ର ଅନ୍ୟ ଦିନ ଅପେକ୍ଷା ଅଲଗା ଥିଲା। ଯୁଆଡ଼େ ଅନାଇବ, ସିଆଡ଼େ ଚାଲିଥିଲା ସୁସଜ୍ଜିତ ବରଗାଡ଼ି, ଶୋଭାଯାତ୍ରା। ମ୍ୟୁଜିକ୍‌ରେ ତାଳେ ତାଳେ ନାଚ ବି ଚାଲିଥିଲା, ଝୁମୁଥିଲେ ବରଯାତ୍ରୀ। ରାଜଧାନୀ ରାଜରାସ୍ତାରେ ଆଜି ଏମିତି କୌଣସି ଜାଗା ନଥିଲା, ଯେଉଁଠି ବରଯାତ୍ରୀ ଦଳ ଦେଖିବାକୁ ମିଳି ନଥିଲା। ସବୁଠୁ ଅଧିକ ଶୋଭାଯାତ୍ରା ଥିଲା ପୁରୀ ବାଇପାସ୍‌ରେ। ସକାଳୁ ରାତି ପର୍ଯ୍ୟନ୍ତ ଚାଲିଥିଲା ଉତ୍ସବ ଆସର। ଖାଲି ସେତିକି ନୁହେଁ, କେତେକ ସ୍ଥାନରେ ଭିଡ଼, ଟ୍ରାଫିକ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

publive-image

କମିସନରେଟ୍‌ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ ରାଜଧାନୀରେ ୨୬୭ଟି ବିବାହ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ଏପରିକି କଟକଣା କୋହଳ ପରେ ଶୋଭାଯାତ୍ରା ପାଇଁ ଅନୁମତି ମିଳିଥିଲା। ଏହା ୨୦୧୯ ଡିସେମ୍ବର ପରେ ସର୍ବାଧିକ ବୋଲି ଜଣାପଡ଼ିଛି। ୨୦୧୯ରେ ଗୋଟିଏ ଦିନରେ ସର୍ବାଧିକ ୩୬୦ ବିବାହ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା।

କରୋନା ପ୍ରଥମ ଲହର, ଲକଡାଉନ୍‌ ପାଇଁ କଠୋର୍‌ କଟକଣା ଲାଗୁ ହୋଇଥିଲା। କଟକଣା କୋହଳ ପରେ କିଛି ବାହାଘର ହୋଇଥିଲା। ପୁଣି ଚଳିତବର୍ଷ ଦ୍ବିତୀୟ ଲହର କଟକଣା ପାଇଁ ବାହାଘର ପାଇଁ ବାଟ ଓଗାଳିଥିଲା। ଅଟକି ଯାଇଥିଲା ଶହ ଶହ ବାହାଘର। ତା’ ସାଙ୍ଗକୁ ହରିଶୟନ ଚତୁଦ୍ଦର୍ଶୀରୁ ପର୍ଶୁରା‌ମେଶ୍ବରଙ୍କୁ ରାଜ୍ୟଭାର ଅର୍ପଣ କରି ମହାପ୍ରଭୁ ଶ୍ରୀଲିଙ୍ଗରାଜ ୪ ମାଧ ଧରି ଶୟନ କରିଥିଲେ। ଶାସ୍ତ୍ର ଅନୁସାରେ ଏହି ସମୟରେ ବିବାହ, ଘର ପ୍ରତିଷ୍ଠା, ନିର୍ବନ୍ଧ ଭଳି ମାଙ୍ଗଳିକ କାର୍ଯ୍ୟରେ ବାରଣ ରହିଥାଏ। ଗତ ଗୁରୁବାର ଉତ୍‌ଥାପନ ଚତୁର୍ଦ୍ଦଶୀରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଉତ୍‌ଥାପନ ନୀତି ସଂପନ୍ନ ହେବା ପରେ ବିବାହ ଋତୁ ଆରମ୍ଭ ହୋଇଛି।

ଜଣେ ବରପିତାଙ୍କ ସୂଚନା ଅନୁସାରେ, ଗତ ଏପ୍ରିଲରେ ନିର୍ବନ୍ଧ ସରିଥିଲା। କିନ୍ତୁ ସେତିକିବେଳେ ଦ୍ବିତୀୟ ଲହର ମାଡ଼ି ଆସିଥିଲା। ଗୋଟିଏ ପୁଅ ହୋଇଥିବାରୁ ବାହାଘର ଓ ଭୋଜି ଧୁମଧାମ୍‌ରେ କରିବା ପାଇଁ ଅନେକ ଦିନରୁ ଯୋଜନା ରହିଥିଲା। କଟକଣା କୋହଳକୁ ଅପେକ୍ଷା କରିଥିଲୁ। କୋହଳ ହେଲା ପରେ କମିସନରେଟ୍‌ ପୁଲିସ ପାଖରେ ଲାଇସେନ୍ସ ଆବେଦନ କରିଥିଲୁ। ୨୧ ତାରିଖ, ରବିବାର ଥିବାରୁ ଆଜି ଦିନକୁ ବାହାଘର ପାଇଁ ସ୍ଥିର କରିଥିଲୁ। ଗୋଟିଏ ବି ବିବାହ ମଣ୍ଡପ ଫାଙ୍କା ନଥିଲା। ସବୁ ଆଗୁଆ ବୁକିଂ ହୋଇସାରିଥିଲା। ସେହିପରି ଜଣେ ଫୁଲ ବ୍ୟବସାୟୀ କହିଛନ୍ତି, ବାହାଘର କମି ଯାଇଥିବାରୁ ବ୍ୟବସାୟ ମାନ୍ଦା ପଡ଼ି ଯାଇଥିଲା। କିନ୍ତୁ ଆଜି ପୁଣି ଥରେ କରୋନା ପୂର୍ବ ଅବସ୍ଥା ଫେରି ଆସିଛି, ଆଗ ଭଳି ବେପାର ଜମିଛି। ବରଗାଡ଼ି ହେଉ କି ମଣ୍ଡପ ସାଜସଜା, ଜୋରଦାର ହୋଇଛି। ସେହିପରି ସାଉଣ୍ଡ ଅନୁମତି ମିଳିଥିବାରୁ ବ୍ୟାଣ୍ଡପାର୍ଟି, ମ୍ୟୁଜିକ୍‌ ବେପାରୀ ମଧ୍ୟ ଖୁସି ଅଛନ୍ତି। ଆଜି ପୁଣି ଶୋଭାଯାତ୍ରାରେ ସାଉଣ୍ଡ ସିଷ୍ଟମ୍‌ ଦେଖିବାକୁ ମିଳିଛି। ଫୁଲ, ବାଜା, ସାଉଣ୍ଡ ଆଦି ବେପାର ପୁଣିଥରେ ସକ୍ରିୟ ହୋଇଛି। ସେହିପରି ଡିସେମ୍ବର ୧ରେ ମଧ୍ୟ ରାଜଧାନୀ‌‌‌ରେ ବହୁ ବାହାଘର ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe