ଭୁବନେଶ୍ବରରେ ଯୁକ୍ତ୨ କଟ୍‌ ଅଫ୍‌ ମାର୍କ, ବିଜେବି ସମସ୍ତଙ୍କ ପସନ୍ଦ

୨ରୁ ୪ ପ୍ରତିଶତ ବଢ଼ିଲା, ସରକାରୀ ଆଗରେ, ସେଲ୍ଫ ଫାଇନାନ୍ସିଂ ପଛରେ

ଭୁବନେଶ୍ବରରେ ଯୁକ୍ତ୨ କଟ୍‌ ଅଫ୍‌ ମାର୍କ, ବିଜେବି ସମସ୍ତଙ୍କ ପସନ୍ଦ

Sambad English

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ବିଗତ ବର୍ଷଗୁଡ଼ିକ ପରି ଏଥର ବି ଭୁବନେଶ୍ବରର ପ୍ରମୁଖ କଲେଜର କଟ୍‌ ଅଫ୍‌ ମାର୍କ ଅଧିକ ରହିଛି। ସମସ୍ତ କଲେଜର କଟ୍‌ ଅଫ୍‌ ମାର୍କ ୨ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଏଥର ବି ଆବେଦନକାରୀଙ୍କ ପ୍ରଥମ ପସନ୍ଦ ବିଜେବି କଲେଜ ପାଲଟିଛି। କଳା ବିଭାଗର ଶ୍ରେଷ୍ଠ ୧୦ କଟ୍‌ ଅଫ୍‌ ମାର୍କ କଲେଜ ତାଲିକାରେ ଭୁବନେଶ୍ବରରୁ କେବଳ ବିଜେବି କଲେଜ ସ୍ଥାନ ପାଇଥିବା ବେଳେ ବିଜ୍ଞାନ ବିଭାଗର ଶ୍ରେଷ୍ଠ ୧୦ରେ ବିଜେବି, ବେସିକ୍‌ ସାଇନ୍ସ ଓ ରମାଦେବୀ କଲେଜ ଏବଂ ବାଣିଜ୍ୟ ବିଭାଗର ଶ୍ରେଷ୍ଠ ୧୦ରେ ବିଜେବି ଓ ରାଜଧାନୀ କଲେଜ ରହିଛି। କୌଣସି ଗୋଟିଏ ବି ସେଲ୍ଫ ଫାଇନାନ୍ସ କଲେଜ ବିଜ୍ଞାନ କିମ୍ବା ବାଣିଜ୍ୟ ବିଭାଗର ଶ୍ରେଷ୍ଠ ୧୦ ସ୍ଥାନରେ ନାହାନ୍ତି।

ମାଟ୍ରିକ୍‌ ପରେ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ଥାଏ ଭୁବନେଶ୍ବରରେ ରହିବେ। ଭଲ କଲେଜରେ ପଢ଼ିବେ। ବିଜେବି ନ ହେଲେ ରମାଦେବୀ, ରାଜଧାନୀ, ବେସିକ୍‌ ସାଇନ୍ସ, ମହର୍ଷି କଲେଜରେ ସିଟ୍‌ ମିଳିଗଲେ ଭାଗ୍ୟ ବଦଳିଯିବ। କମ୍‌ ଖର୍ଚ୍ଚରେ ପଢ଼ିପାରିବେ। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବି ନେଇପାରିବେ। ତେବେ ବିଗତ କିଛି ବର୍ଷ ହେଲା ସହରର ନାମକରା କଲେଜର ପାସ୍‌ହାର ଉତ୍ସାହ ଜନକ ହେଉ ନ ଥିବାରୁ ତାହାର ସିଧାସଳଖ ପ୍ରଭାବ ନାମଲେଖା ଉପରେ ପଡ଼ିଛି। ଯାହାକି ଯୁକ୍ତ୨ ପ୍ରଥମ ପର୍ଯ୍ୟୟ କଟ୍‌ ଅଫ୍‌ ମାର୍କ ତାଲିକାରେ ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ପରି ଏଥର ବି ରେଭେନ୍ସା କଲେଜ ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି। ବିଜେବି କଲେଜର କଟ୍‌ ଅଫ୍‌ ମ‌ାର୍କ କଳା ବିଭାଗରେ ୭ମ, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ତୃତୀୟ ସ୍ଥାନରେ ରହିଛି। ଆଉ କୌଣସି ବି କଲେଜର କଟ୍‌ ଅଫ୍‌ ମାର୍କ ଶ୍ରେଷ୍ଠ ୧୦ କଟ୍‌ ଅଫ୍‌ ମାର୍କ ତାଲିକାରେ ସ୍ଥାନ ନ ପାଇବା ଚିନ୍ତାର କାରଣ ପାଲଟିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ବିଜ୍ଞାନରେ ଭଲ ରେଜଲ୍ଟ କରୁଥିବା ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକର କଟ୍‌ ଅଫ୍‌ ମାର୍କ ଆଶାନୁରୂପ ନୁହେଁ। ବିଜ୍ଞାନ ବିଭାଗର ଶ୍ରେଷ୍ଠ ୧୦ କଟ୍‌ ଅଫ୍‌ ମାର୍କ ତାଲିକାରେ ରାଜ୍ୟର ଅନ୍ୟାନ୍ୟ ସହରର ସେଲ୍ଫ ଫାଇନାନ୍ସିଂ କଲେଜ ରହିଥିଲେ ମଧ୍ୟ ଭୁବନେଶ୍ବରର ବିଭିନ୍ନ କଲେଜ ନାଁ ନାହିଁ।

publive-image

୨୦୨୨-୨୩ ଶିକ୍ଷାବର୍ଷରେ ଖୋର୍ଧା ଜିଲ୍ଲାରେ ଥିବା ସିଟ୍‌ ମଧ୍ୟରୁ ଅର୍ଧାଧିକ କେବଳ ଭୁବନେଶ୍ବରରେ ରହିଛି। ଗଣଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ଖୋର୍ଧା ଜିଲ୍ଲାର ୧୫୩ କଲେଜରେ ୩୪ ହଜାର ୩୮୦ ସିଟ୍‌ ରହିଛି। କଳାରେ ୧୩ ହଜାର ୨୧୬, ବିଜ୍ଞାନରେ ୧୭ ହଜାର ୪୫୬, ବାଣିଜ୍ୟରେ ୨୯୧୨, ସଂସ୍କୃତରେ ୫୪୩ ଓ ଧନ୍ଦାମୂଳକ ବିଭାଗରେ ୭୯୬ ସିଟ୍‌ ରହିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ବରର ୬୯ଟି କଲେଜରେ ୧୮ ହଜାର ୪୬୦ ସିଟ୍‌ ରହିଛି। କଳାରେ ୪୬୦୮, ବିଜ୍ଞାନରେ ୧୧ ହଜାର ୨୪, ବାଣିଜ୍ୟରେ ୨୩୬୮, ଧନ୍ଦାମୂଳକରେ ୩୬୪, ସଂସ୍କୃତରେ ୯୬ଟି ସିଟ୍‌ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe