ସାମ୍ପ୍ରତିକ ଧାରା ଓଡ଼ିଆ ସିନେମା ପାଇଁ ବିପଜ୍ଜନକ: ସିଦ୍ଧାନ୍ତ

କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱିତୀୟ ଦିବସ

ସାମ୍ପ୍ରତିକ ଧାରା ଓଡ଼ିଆ ସିନେମା ପାଇଁ ବିପଜ୍ଜନକ: ସିଦ୍ଧାନ୍ତ

ଭୁବନେଶ୍ବର: ସାମ୍ପ୍ରତିକ ଧାରା ଓଡ଼ିଆ ଚଳଚ୍ଚିତ୍ର ଉଦ୍ୟୋଗ ପ୍ରତି ଭବିଷ୍ୟତରେ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ ବୋଲି ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି। କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ବିତୀୟ ଦିବସରେ ଆୟୋଜିତ ଆଲୋଚନାଚକ୍ର ‘ଓଡ଼ିଶାରେ ଚଳଚ୍ଚିତ୍ର ଓ ନାଟକ ବ୍ୟବସାୟ’ରେ ଭାଗନେଇ ସେ କହିଥିଲେ ଯେ ଆଜିକାଲି ଓଡ଼ିଆ ସିନେମା ଜଗତରେ ଯାହା ଚାଲିଛି, ସେଇଟା ହିଁ ବିସଂଗତି। ସେସବୁ ହେବା ଉଚିତ ନୁହେଁ। ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ଓଡ଼ିଆ ସିନେମାର ଭବିଷ୍ୟତ ସଂପର୍କରେ ମତ ରଖିଥିଲେ। ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଲେ, ନାଟକ କଳା ବଞ୍ଚି ରହିବା ପାଇଁ ଏହାର ବ୍ୟବସାୟକରଣ ହେବା ଜରୁରୀ। ନିକଟରେ ନିର୍ମିତ ହୋଇଥିବା ‘ପ୍ରତୀକ୍ଷା’ ଓ ‘ଦମନ’ ଚଳଚ୍ଚିତ୍ରର ଉଦାହରଣ ଦେଇ ସେ ଆହୁରି କହିଲେ, ଭଲ ସିନେମା ପ୍ରସ୍ତୁତ କରିବା ପାଇଁ ବଜେଟ୍‌ କେବେ ବାଧକ ସାଜି ନଥାଏ।

ଅଧି‌ବେଶନରେ ‘ଗାନ୍ଧୀ ଭର୍ସେସ୍ ଗଡ୍‌ସେ: ଏକ ୟୁଦ୍ଧ’ ଚଳଚ୍ଚିତ୍ରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉପରେ ଏହାର ଲେଖକ ଅସଗର ୱାଜାହତ୍ କହିଲେ, ଫିଲ୍ମରେ ଗଡ୍‌ସେଙ୍କ ଚରିତ୍ରର ମହିମା ମଣ୍ଡନ କରାଯାଇନାହିଁ। ଗଡ୍‌ସେଙ୍କ ପ୍ରତି ଲୋକଙ୍କ ଯେଉଁ ନକାରାତ୍ମକ ଧାରଣା ରହିଛି ଏହା ଜରୁରି ବୋଲି ସେ ଆଲୋଚନାରେ ମତ ଦେଇଥିଲେ। ଏହି ଚଳଚ୍ଚିତ୍ରରେ ଗାନ୍ଧୀ ଓ ଗଡ୍‌ସେଙ୍କ ଭିତରେ ହୋଇଥିବା ଏକ କାଳ୍ପନିକ ତର୍କକୁ ଉପସ୍ଥାପନା କରାଯାଇଛି। ଏହି ଅବସରରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଉପରେ ଲିଖିତ କୈଳାସ ସତ୍ୟାର୍ଥୀଙ୍କ ଇଂରାଜୀ ପୁସ୍ତକ ‘ମାହାଗାଥା’କୁ ଓଟିଭିର ମୁଖ୍ୟ ଜଗି ମଙ୍ଗତ ପଣ୍ଡା ଉନ୍ମୋଚନ କରିଥିଲେ। ଦ୍ୱିତୀୟ ଦିବସରେ ସାହିତ୍ୟ, ସିନେମା, ପୌରାଣିକ ଗାଥା ଆଦିକୁ ନେଇ ପ୍ରାୟ ୨୪ଟି ସମାନ୍ତରାଳ ଅଧିବେଶନ ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe