ପ୍ରଫେସର୍‌ଙ୍କ ଘରୁ ଚୋରି ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଗିରଫ

Advertisment
ପ୍ରଫେସର୍‌ଙ୍କ ଘରୁ ଚୋରି ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଗିରଫ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସହକାରୀ ପ୍ରଫେସର୍‌ ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କ ଚକେଇସିଆଣିସ୍ଥିତ ବାସଭବନରୁ ଚୋରି ମାମଲାରେ ମଞ୍ଚେଶ୍ବର ଥାନା ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ତଳେଶ୍ବର ଗୋପାଳପୁରର ସୁଶାନ୍ତ ଗୌଡ଼, ସୁଶାନ୍ତଠାରୁ ଚୋରି ଗହଣା କିଣିଥିବା ପାଣ୍ଡରାର ସୁଧାକର ବେହେରା ଓ ଆଇଆର୍‌ସି ଭିଲେଜ୍‌ ନୟାପଲ୍ଲୀରେ ରହୁଥିବା ଯାଜପୁର ବଞ୍ଝାରପୁର ଥାନା ବଛଳାର ଭାଗବତ ସାହୁ। ୮ ଭରି ସୁନା ଗହଣା ‌ଚୋରି ହୋଇଥିବା ବେଳେ ପୁଲିସ ସେମାନଙ୍କଠାରୁ ମାତ୍ର ୧୪୦ ଗ୍ରାମ୍‌ର ସୁନା ଗହଣା, ୩୧୦ ଗ୍ରାମର ରୁପା ଗହଣା, ଗୋଟିଏ ମୋବାଇଲ, ଗୋଟିଏ ବାଇକ୍‌ ଜବତ କରିଛି। ଚୋରି ହୋଇଥିବା ୫୦ ହଜାର ନଗଦ ଟଙ୍କାରୁ ଟଙ୍କା ଟିଏ ଉଦ୍ଧାର କରି ପାରି ନାହିଁ। ତେବେ ଫେରାର୍‌ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ‌ ବୋଲି ପୁଲିସ କହିଛି।

ସୁଶାନ୍ତ ଏଭଳି ଅନେକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି। କୋଦଳା ଥାନା ଅଧୀନରେ ଆର୍ମସ୍‌ ଆକ୍ଟ ବଳରେ ଦୁଇଟି ମାମଲା ରହିଥିବା ବେଳେ ମଞ୍ଚେଶ୍ବର ଥାନାରେ ୫ଟି ମାମଲା ରହିଛି। ଅନ୍ୟ ଅଭିଯୁକ୍ତଙ୍କ ସମ୍ବନ୍ଧରେ ଜାଣିବା ପାଇଁ ସୁଶାନ୍ତକୁ ରିମାଣ୍ଡରେ ଆଣିବା ପାଇଁ ମଞ୍ଚେଶ୍ବର ଥାନା ପୁଲିସ ଯୋଜନା କରିଛି।

ଅଭିଯୁକ୍ତ ଭାଗବତର ଭିଏସ୍‌ଏସ୍‌ ନଗରରେ ଏକ ଗହଣା ମରାମତି ଦୋକାନ ରହିଛି। ସେ ଏଭଳି ଚୋରି ସୁନା କମ୍‌ ପଇସାରେ କିଣିଥାଏ। ପରେ ଏହାକୁ ତରଳାଇ କିମ୍ବା କୌଣସି ପରିବର୍ତ୍ତନ ନ କରି କେବଳ ସଫା କରିଦେଇ ବିକ୍ରି କରିଥାଏ। କଟକ ଓ ଭୁବନେଶ୍ବରର ବିଭିନ୍ନ ଚୋରଙ୍କ ସହ ‌ସେ ସମ୍ପର୍କରେ ଥାଏ। ଜିଲ୍ଲା ବାହାରେ ମଧ୍ୟ କେତେକ ଚୋର ତା’ ସହ ସିଧାସଳଖ ସମ୍ପର୍କରେ ରହିଛନ୍ତି। ପୂର୍ବରୁ ସୁଶାନ୍ତ ଅନେକ ସୁନା ଗହଣା ଏଠାରେ ବିକ୍ରି କରିଥିବା କହିଛି। ସୁଶାନ୍ତର ବୟାନକୁ ଆଧାର କରି ଭାଗବତକୁ ଏହି ଦୋକାନରୁ ଗିରଫ କରାଯାଇଛି। ଅନ୍ୟତମ ଅଭିଯୁକ୍ତ ସୁଧାକର ବେହେରା ଏହି ଚୋରି ସୁନା ନେଇ ବ୍ୟବହାର କରୁଥିଲା। କେବଳ ବ୍ୟବହାର କରୁନଥିଲା, ବରଂ ପାଣ୍ଡରା ଅଞ୍ଚଳରେ ଏହାକୁ ନେଇ ବିକ୍ରି କରୁଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି। ଏ ସମସ୍ତଙ୍କୁ ପୁଲିସ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରିଛି।

ସୂଚନାଯୋଗ୍ୟ, ଗତ ୧୭ ତାରିଖ ରାତିରେ ଶ୍ରୀ ଆଚାର୍ଯ୍ୟଙ୍କ ଘରୁ ଚୋରି ହୋଇଥିଲା। ଏହି ସୁଯୋଗରେ ଦୁର୍ବୃତ୍ତମାନେ ତାଙ୍କ ଘରୁ ନଗଦ ୫୦ ହଜାର ଟଙ୍କା, ୮ଭରି ସୁନା ଅଳଙ୍କାର, ୨୫୦ଗ୍ରାମ ରୁପା, ଏଲ୍‌ଇଡି ଟିଭି, ଘରର ଏକ ପୁରାତନ କାଠ ସିନ୍ଦୁକ ସହ ସମସ୍ତ ମୂଲ୍ୟବାନ ଜିନିଷ ନେଇଯାଇଥିଲେ। ଚୋରି ସାମଗ୍ରୀର ମୂଲ୍ୟ ୪ ଲକ୍ଷରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe