ଦଶହରାରେ ଦାଦାବଟି: କୁଖ୍ୟାତ ବିକୁ ସମେତ ୩ ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଭୁବନେଶ୍ୱର : କମିସନରେଟ୍‌ ପୁଲିସର ଚେତାବନୀ‌ ସତ୍ତ୍ବେ ରାଜଧାନୀରେ ଦାଦାବଟି ଆଦାୟ ଥମୁନାହିଁ। ଗୁରୁବାର ଦିନ ଏଭଳି ଅଭିଯୋଗ‌ରେ କମିସନରେଟ୍‌ ପୁଲିସ ପୁଣି ୩ ଜଣଙ୍କୁ ଗିରଫ କରିଛି। ଜଣେ ଜମି ବେପାରୀକୁ ୫୦ ହଜାର ଟଙ୍କା ବଟି ମାଗିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୁଲିସ କପିଳେଶ୍ବରର କୁଖ୍ୟାତ ଦେବାଶିଷ ମହାପାତ୍ର ଓରଫ୍ ବିକୁ(୩୨)କୁ ଗିରଫ କରିଛି। ସେହିଭଳି ବିମାନବନ୍ଦର ନିକଟରେ ବ୍ୟବସାୟୀମାନଙ୍କୁ ବଟି ମାଗୁଥିବା ଅଭିଯୋଗରେ ଏୟାର୍‌ପୋର୍ଟ ଥାନା ପୁଲିସ ଭୀମପୁର ଅଞ୍ଚଳର ପବିତ୍ର ଦଳେଇ ଓରଫ୍ ନାନୁ(୨୭) ଓ ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳର ସନ୍ତୋଷ ବଳିଆରସିଂହ ଓରଫ୍ ଗଉ(୩୦)କୁ ଗିରଫ କରିଛି।

ସୂଚନା ଅନୁଯାୟୀ ପୁରୁଣା ଭୁବନେଶ୍ବର କୁମ୍ଭାରସାହିର ପ୍ରଫୁଲ କୁମାର ମୁଦୁଲି ଜଣେ ଜମି ବ୍ୟବସାୟୀ। ଗତ କିଛି ଦିନ ପୂର୍ବେ କପିଳେଶ୍ବରର ବିକୁ ତାଙ୍କୁ ୫୦ ହଜାର ଟଙ୍କା ଦେବା ପାଇଁ କହିଥିଲା। ଦଶହରା ପାଇଁ ବଟି ଆକାରରେ ଦେବାକୁ ଫୋନ୍‌ କରି ଧମକ ଦେଇଥିଲା। କିନ୍ତୁ ପ୍ରଫୁଲ ବଟି ଦେବାକୁ ରୋକ୍‌ଠୋକ୍ ମନା କରିଦେଇଥିଲେ। ଗତକାଲି ପ୍ରଫୁଲଙ୍କୁ ଗଙ୍ଗୁଆ ପୋଲ ଉପରେ ବିକୁ ଅଟକାଇଥିଲା। ବର୍ଷକୁ କୋଟି କୋଟି ଟଙ୍କା କମାଉଛୁ, ୫୦ ହଜାର କାହିଁକି ଦେବୁନି ବୋଲି କହି ଅଶାଳୀନ ଭାଷାରେ ତାଙ୍କୁ ଗାଳିମନ୍ଦ କରିଥିଲା। ଦଶହରା ପୂର୍ବରୁ ବଟି ନଦେଲେ ଜୀବନ ନେଇଯିବି ବୋଲି ଧମକ ଦେଇଥିଲା। ଏହାପରେ ସେ ପ୍ରଫୁଲଙ୍କ ସାର୍ଟ ପକେଟ୍‌ରୁ ୫ ହଜାର ୨ଶହ ଟଙ୍କା ଛଡ଼ାଇ ନେଇଥିଲା ଏବଂ ବାକି ଟଙ୍କା ଘରେ ଦେଇ ଆସିବାକୁ ଧମକ ଦେଇଥିଲା। ଏନେଇ ପ୍ରଫୁଲ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସୂଚନାନୁସାରେ ଅଭିଯୁକ୍ତ ବିକୁ ନାମରେ ୯ଟି ଆପରାଧିକ ମାମଲା ରହିଛି। ଗୁରୁବାର ଦିନ ତାକୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ମାମଲାରେ ଏୟାର୍‌ପୋର୍ଟ ଥାନା ପୁଲିସ ଭୀମପୁରର ନାନୁ ଓ ଗଉକୁ କୋର୍ଟ ଚାଲାଣ କରିଛି। ସେମାନେ ବିମାନବନ୍ଦର ପାର୍କିଂ ନିକଟରେ କାର୍‌ ପାର୍କିଂ ପାଇଁ ବଟି ଆକାରରେ ଟଙ୍କା ମାଗୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା।

ସୂଚନାଯୋଗ୍ୟ ଯେ କମିସନରେଟ୍‌ ପୁଲିସର ‘ଦାଦାବଟିକୁ ନା’ ଅଭିଯାନରେ ପାର୍ବଣ ଅବସରରେ ଚଳିତ ମାସରେ ପୁଲିସ ୧୨ଟି ମାମଲା ରୁଜୁକରି ୨୧ଜଣଙ୍କୁ କୋର୍ଟ ଚାଲାଣ କରିଛି। ଏହି ଅଭିଯାନରେ ଚଳିତ ବର୍ଷ ୪୧ଜଣ ଗିରଫ ହୋଇଛନ୍ତି। ଏବେ ପାର୍ବଣ ଅବସରରେ କମିସନରେଟ୍‌ ପୁଲିସ ଏକ କ୍ରାଇମ ହେଲ୍‌ପଲାଇନ ନମ୍ବର- ୭୦୭୭୭୯୮୧୧୧ ଜାରି କରିଛି। କେହି ବଟି ମାଗୁଥିଲେ ତୁରନ୍ତ ଉକ୍ତ ନମ୍ବରକୁ ଯୋଗାଯୋଗ କରିବା ପାଇଁ ପୁଲିସ ଜନସାଧାରଣକୁ ନିବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe